ଶ୍ରୀନଗର,୦୩/୦୩: ଜମ୍ମୁ-କାଶ୍ମୀରରେ ମୁତୟନ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ  (ସିଆର୍‌ପିଏଫ୍‌)ର ଯବାନ ଅନ୍‌ଲାଇନ୍‌ରେ ପାକିସ୍ତାନର ଜଣେ ଯୁବତୀଙ୍କ ସହ ନିକାହ କରିଥିଲେ । କାରଣ ଭିସା ସମସ୍ୟା ଯୋଗୁ ଯବାନ ଓ ତାଙ୍କ ପରିବାର ପାକିସ୍ତାନ ଯାଇପାରି ନ ଥିଲେ । ଏବେ ୧୫ ଦିନିଆ ପର୍‌ମିଟ୍‌ରେ ଯବାନଙ୍କ ପାକିସ୍ତାନୀ ପତ୍ନୀ ଭାରତ ଆସିଛନ୍ତି ।  ଯବାନ ଜଣକ ହେଉଛନ୍ତି ମୁନୀର୍‌ ଅହମ୍ମଦ । 

୨୦୨୪ ଜୁଲାଇରେ ଉଭୟଙ୍କର  ନିକାହ ହୋଇଥିଲା । ବିବାହର ୯ ମାସ  ପରେ ଯବାନଙ୍କ ପତ୍ନୀ ମେନଲ୍‌ ଖାନ୍‌  ଶାଶୂଘର ଆସିଛନ୍ତି । ମହିଳା ଜଣକ  ମାର୍ଚ୍ଚ ୧ରେ ୱାଘା ସୀମା ଦେଇ ଜମ୍ମୁକାଶ୍ମୀରର ହନ୍ଦୱାଲ ଗ୍ରାମରେ ପହଞ୍ଚିଥିଲେ । ମୁନୀର ଅହମ୍ମଦଙ୍କ ଘର ଜମ୍ମୁ-କାଶ୍ମୀରର ଭଲୱାଲରେ ରାବ୍‌ତା ତହସିଲ  ଅଧୀନ ହନ୍ଦୱାଲ ଗ୍ରାମରେ । ବର୍ତ୍ତମାନ  ସେ ରିୟାସି ଜିଲ୍ଲା ଅନ୍ତର୍ଗତ ଶିବ ଖୋରୀ  ରାନସୂରେ ସିଆର୍‌ପିଏଫ୍‌ର ୭୨ତମ  ବାଟାଲିୟନ୍‌ରେ କାର୍ଯ୍ୟରତ । କିଛିଦିନ  ତଳେ ମୁନୀରଙ୍କ ବିବାହ ପାକିସ୍ତାନର  ସିଆଲ୍‌କୋଟସ୍ଥିତ କୋଟଲୀ ଫକୀର  ଚନ୍ଦରେ ରହୁଥିବା ମେନଲ୍‌ ଖାନ୍‌ଙ୍କ  ସହ ସ୍ଥିର ହୋଇଥିଲା । ମେନଲ୍‌ଙ୍କ  ପିତାଙ୍କ ନାମ ମହମ୍ମଦ ଅସ୍‌ଗର ଖାନ୍‌ । 

ମୁନୀର୍‌ ମେନଲ୍‌ଙ୍କ ସହ ନିକାହ ପାଇଁ  ପାକିସ୍ତାନ ଯିବାକୁ ପ୍ରସ୍ତୁତି ଚଳାଇଥିଲେ । କିନ୍ତୁ  ଭିସା ସମସ୍ୟା ଯୋଗୁ ତାହା ସମ୍ଭବ ହୋଇ  ନ ଥିଲା। ଏହାପରେ ପରିବାର ଉଭୟଙ୍କର  ଅନ୍‌ଲାଇନ୍‌ (ଭିଡିଓ କନ୍‌ଫରେନ୍ସିଂ)  ଜରିଆରେ ନିକାହ କରାଇଥିଲେ । ନିକାହ  ପରେ ମେନଲ୍‌ଙ୍କୁ ଶାଶୂଘର ଆସିବାକୁ  ୧୫ ଦିନ ଲାଗି ଅନୁମତି ମିଳିଛି । ମାର୍ଚ୍ଚ  ୧ରେ ୱାଘା ସୀମାରେ ପହଞ୍ଚିବା ପରେ  ଶାଶୂଘର ଲୋକେ ତାଙ୍କୁ ସ୍ୱାଗତ କରିଥିଲେ ।  ମେନଲ୍‌ଙ୍କୁ ସ୍ୱାଗତ କରି ମୁନୀର୍‌ଙ୍କ ପରିବାର  ଲୋକ ବେଶ୍‌ ଖୁସି ଅଛନ୍ତି । ମେନଲ୍‌ ସମସ୍ତ  ଆଇନଗତ ରାସ୍ତା ଦେଇ ଭାରତ ଆସିଥିବା  ମୁନୀର୍‌ଙ୍କ ପରିବାର ଲୋକ କହିଛନ୍ତି ।