ନୂଆଦିଲ୍ଲୀ, ୯।୩: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ୍-ଇସ୍ରାଏଲ୍ ଯୁଦ୍ଧର ଭୟଙ୍କର ପ୍ରଭାବ ଏବେ ବିଶ୍ୱ ତୈଳ ବଜାର ଉପରେ ଦେଖିବାକୁ ମିଳିଛି । ସୋମବାର ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ସାଢ଼େ ତିନି ବର୍ଷ ପରେ ପ୍ରଥମ ଥର ପାଇଁ ୧୧୦ ଡଲାର ଅତିକ୍ରମ କରିଛି । ଗୋଟିଏ ସମୟରେ ଏହା ବ୍ୟାରେଲ ପିଛା ୧୧୪ ଡଲାରରେ ପହଞ୍ଚି ଯାଇଥିଲା, ଯାହା ଶୁକ୍ରବାର ତୁଳନାରେ ପ୍ରାୟ ୨୧% ଅଧିକ । ଇରାନ୍ ସହ ଚାଲିଥିବା ସଂଘର୍ଷ ଯୋଗୁଁ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ପଥରେ ତୈଳ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି । ବିଶ୍ୱର ପ୍ରାୟ ୨୦% ତୈଳ ଏହି ପଥ ଦେଇ ଯାଇଥାଏ । ଯୁଦ୍ଧ କାରଣରୁ ଅନେକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ସେମାନଙ୍କ ଉତ୍ପାଦନ କମାଇଥିବାରୁ ବଜାରରେ ଅଭାବ ପରିଲକ୍ଷିତ ହେଉଛି ।
ଏହା ବି ପଢ଼ନ୍ତୁ... ଇରାନର ଏହି ଛୋଟ ଦ୍ଵୀପକୁ ଛୁଇଁବାକୁ ଆମେରିକାର ନାହିଁ ସାହାସ, ଆକ୍ରମଣ କଲେ ତୃତୀୟ ବିଶ୍ଵଯୁଦ୍ଧ
ଭାରତ ଉପରେ କି ପ୍ରଭାବ ପଡ଼ିବ?
ଭାରତ ନିଜର ଆବଶ୍ୟକତାର ପ୍ରାୟ ୮୫% ତୈଳ ଆମଦାନୀ କରିଥାଏ । ଅଶୋଧିତ ତୈଳ ଦର ବୃଦ୍ଧି ପରେ ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି ହୋଇଛି ଯେ, ଏବେ ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢ଼ିପାରେ । ସୂଚନାଯୋଗ୍ୟ, ଗତ ଶନିବାର ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଛି । ତେବେ ଏହି ସଙ୍କଟ ମଧ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଏକ ବଡ଼ ଆଶ୍ୱାସନା ମିଳିଛି । ସରକାରୀ ସୂତ୍ର ଅନୁସାରେ, ଭାରତରେ ବର୍ତ୍ତମାନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇବାର କୌଣସି ଯୋଜନା ନାହିଁ । ଭାରତ ପାଖରେ ପର୍ଯ୍ୟାପ୍ତ ପରିମାଣର ତୈଳ ଗଚ୍ଛିତ ଅଛି ଏବଂ ସରକାର ଅନ୍ୟ ବିକଳ୍ପ ପଥ ଦେଇ ତୈଳ ଆମଦାନୀ କରୁଛନ୍ତି । ହର୍ମୁଜ୍ ଜଳପଥ ବଦଳରେ ଭାରତ ଅନ୍ୟ ଉତ୍ସରୁ ତୈଳ ଆମଦାନୀ ହାର ୬୦% ରୁ ୭୦% କୁ ବୃଦ୍ଧି କରିଛି ।
ଓଡ଼ିଶାରେ ସ୍ଥିତି:
ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ପ୍ରାୟ ୧୦୧.୧୯ ଟଙ୍କା ଏବଂ ଡିଜେଲ ଦର ୯୨.୭୭ ଟଙ୍କା ରହିଛି । ଯଦିଓ ବିଶ୍ୱ ବଜାରରେ ଦର ବଢ଼ୁଛି, କିନ୍ତୁ ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଏପର୍ଯ୍ୟନ୍ତ ଖୁଚୁରା ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି ।