ଭୁବନେଶ୍ୱର,୦୭/୦୨: ମୋ ବସ୍‌ ଦୁର୍ଘଟଣା ରୋକିବାକୁ କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନ୍ସପର୍ଟ ଅଟୋମେଟିକ୍‌ ଆଡଭାନ୍ସ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ  (ଏଡିଏଏସ୍‌) ଲଗାଇବ । ଏହା ଦ୍ୱାରା ୩୬୦ ଡିଗ୍ରୀ କ୍ୟାମେରା ସହିତ ମଦ ପିଇ ଗାଡ଼ି ଚଳାଇଲେ ଆପେ ଗାଡ଼ି ବନ୍ଦ ହୋଇଯିବ । ଖୁବ୍‌ଶୀଘ୍ର ଏହା ବସ୍‌ରେ ଲଗାଯିବ ।   

ମଙ୍ଗଳବାର ପଟିଆ ରଘୁନାଥପୁର ଛକ ନନ୍ଦନକାନ  ଥାନା ସାମ୍ନାରେ ଜଣେ ୧୨ବର୍ଷର ଛାତ୍ରୀ ଉପରକୁ ମୋ ବସ୍‌  ମାଡ଼ିଯାଇଥିଲା । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଏନେଇ ଲୋକେ ମୋ ବସ୍‌ ଅଟକାଇବା ସହ ରାସ୍ତାରେ  ଧାରଣା ଦେଇଥିଲେ । ସେହିପରି ପ୍ରତିଦିନ ମୋ ବସ୍‌  ଦୁର୍ଘଟଣା ଘଟାଉଛି । ସହର ଭିତରେ ଦୁର୍ଘଟଣାରେ ୧୦ରୁ  ଅଧିକ ଜୀବନ ଗଲାଣି ।  

ମୋ ବସ୍‌ ବିରୋଧରେ ବଢୁଥିବା ଜନ୍‌ ଆକ୍ରୋଶ ଓ  ଲୋକଙ୍କ କ୍ଷୋଭକୁ ଦୃଷ୍ଟିରେ ରଖି ଏବେ ଏଭଳି କିଛି ନୂଆ  ପଦକ୍ଷେପ ନେବାକୁ ଯାଉଛନ୍ତି ମୋ ବସ୍‌ କର୍ତ୍ତୃପକ୍ଷ । କ୍ରୁଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଭଳି ଦୁର୍ଘଟଣା ଜନିତ  ସମସ୍ୟା ପାଇଁ ଏଡିଏଏସ୍‌ ଚିପ୍‌ ଲାଗିବ ଯାହା ଦ୍ୱାରା କି  ଦୁର୍ଘଟଣା ୬୦ରୁ ୭୦ପ୍ରତିଶତ କମାଇଦେବ । ଏହି ସୁବିଧା  ଦ୍ୱାରା ଗାଡ଼ିର ଆଗ ପଛ ଚାରି ପାଶ୍ୱର୍ରେ ୩୬୦ ଡିଗ୍ରୀରେ କ୍ୟାମେରାରେ ସବୁ କିଛି ଦେଖି ହେବ।  ଦୁର୍ଘଟଣା ସମୟରେ ସ୍ୱୟଂଚାଳିତ ବ୍ରେକ୍‌  ଲାଗି ଗାଡ଼ି ଅଟକିଯିବ । ଡ୍ରାଇଭର ସାମ୍ନାରେ  ଏକ ସ୍କ୍ରିନରେ ଜଣାପଡ଼ିବ ଆଗ ପଛରେ କ'ଣ ହେଉଛି । ଏପରିକି ୨ଗାଡି ମଧ୍ୟରେ ଦୂରତା  ଓ କୌଣସି ସମସ୍ୟା ଥିଲେ ସ୍ୱୟଂଚାଳିତ  ଭାବେ ଗାଡ଼ିଟି ଦୁର୍ଘଟଣାରୁ ବର୍ତ୍ତି ପାରିବ ।