ସୋନପୁର,୨୧/୧୧: ବଲାଙ୍ଗୀରରୁ ବରଗଡ଼ । ସମ୍ବଲପୁରରୁ ସୁବର୍ଣ୍ଣପୁର ।  ସବୁଠି ପୁଳାପୁଳା ସମ୍ପତ୍ତି । ରାଜପ୍ରାସାଦ ଭଳି  କୋଠା । ଜମିବାଡ଼ି, ଘରଦ୍ୱାର । କୋଟି କୋଟି  ଟଙ୍କାର ବ୍ୟାଙ୍କ ଜମା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ  ଯୋଗାଣ ଅଧିକାରୀ (ସିଏସ୍‌ଓ) ସୁରେଶ  କୁମାର ପାଣିଗ୍ରାହୀଙ୍କ ଏଭଳି ଅଚଳାଚଳ ସମ୍ପତ୍ତି  ଦେଖି ଭିଜିଲାନ୍ସ ଆଖି ଟେରା ହୋଇଯାଇଛି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ  ପାଣିଗ୍ରାହୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବାବେଳେ ୨ଟି କୋଠା ୧୯ଟି ପ୍ଲଟ୍‌, ୪ ଏକରରେ ପରିବ୍ୟାପ୍ତ ଶାଗୁଆନ୍‌  ଫାର୍ମ ଠାବ ହୋଇଛି । କେବଳ ଏତିକି ନୁହେଁ  ବ୍ୟାଙ୍କ, ପୋଷ୍ଟଅଫିସ୍‌, ମ୍ୟୁଚୁଆଲ୍‌ ଫଣ୍ଡରେ  ବିନିଯୋଗ ବାବଦ ୧ କୋଟି ୭୨ ଲକ୍ଷ ଟଙ୍କା  ମିଳିଛି । ଏହି ଘଟଣାରେସିଏସ୍‌ଓ ସୁରେଶ  କୁମାର ପାଣିଗ୍ରାହୀଙ୍କ ଗିରଫ କରିଛି ଭିଜିଲାନ୍ସ। ପରେ ତାଙ୍କୁ କୋର୍ଟ ଚାଲଣ କରାଯିବ।

ସିଏସ୍‌ଓ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ  ବେନାମୀ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା  ପରେ ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି  ରୀତାଞ୍ଜଳି ପ୍ରଧାନଙ୍କ ନେତୃତ୍ୱରେ ଯାଞ୍ଚ ଆରମ୍ଭ  ହୋଇଛି । ଭିଜିଲାନ୍ସ ବିଭାଗର ୨ ଅତିରିକ୍ତ  ଏସ୍‌ପି, ୩ ଡିଏସ୍‌ପି, ୭ ଇନ୍ସପେକ୍ଟର ଏବଂ  ଅନ୍ୟ ସହାୟକ କର୍ମଚାରୀମାନେ ବୁଧବାର  ଭୋର୍‌ରୁ ଖୋର୍ଦ୍ଧା, ସମ୍ବଲପୁର, ବଲାଙ୍ଗୀର,  ବରଗଡ଼, ସୁବର୍ଣ୍ଣପୁର ଜିଲ୍ଲାର ୧୧ଟି ସ୍ଥାନରେ  ଏକକାଳୀନ ଚଢ଼ଉ କରିଛନ୍ତି । ସୁବର୍ଣ୍ଣପୁର  ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପ୍ରକୋଷ୍ଠ,  ବଲାଙ୍ଗୀର ସହର ତୁଳସୀନଗରସ୍ଥିତ  ଆବାସିକ ଗୃହ, ସମ୍ପର୍କୀୟଙ୍କ ବାସଭବନ,  ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବଲଣ୍ଡାର  ପୈତୃକ ଗୃହ, ସମ୍ପର୍କୀୟ ରହୁଥିବା  ଭୁବନେଶ୍ୱର ପଟିଆସ୍ଥିତ ରୟାଲ ଲାଗୁନ୍‌ର  ଫ୍ଲାଟ୍‌, ପଟିଆ ମଣିତ୍ରିଭୁବନର ଫ୍ଲାଟ୍‌,  ବରଗଡ଼ ଗଙ୍ଗାଧରସାହିସ୍ଥିତ ସମ୍ପର୍କୀୟଙ୍କ  ଘର, ଫ୍ଲାଇ ଆଶ୍‌ କାରଖାନା, ଫାର୍ମହାଉସ୍‌,  ସମ୍ପର୍କୀୟଙ୍କ ନାମରେ ବିଜେପୁର ପହଣ୍ଡିରେ  ଥିବା ସିଦେ୍ଧଶ୍ୱରୀ ପେଟ୍ରୋଲ ପମ୍ପରେ ଚଢ଼ଉ  ହୋଇଛି । ବଲାଙ୍ଗୀର ତୁଳସୀନଗରରେ  ତାଙ୍କର ୨୫୦୦ ବର୍ଗଫୁଟର ଦୁଇ ମହଲା  ବିଶିଷ୍ଟ ଆବାସିକ ଗୃହ ରହିଛି । ସେଠାରେ  ଆଉ ଏକ କୋଠା ମଧ୍ୟ ଅଛି । ଭୁବନେଶ୍ୱରରେ  ୩ଟି, ସମ୍ବଲପୁରରେ ୪ଟି, ବଲାଙ୍ଗୀରରେ  ଗୋଟିଏ, ବରଗଡ଼ରେ ଗୋଟିଏ, ବଲଣ୍ଡାରେ  ୪ଟି ଏବଂ ବିଜେପୁରରେ ୬ଟି ପ୍ଲଟ୍‌ ଠାବ  କରାଯାଇଛି । ଖାଲି ଏତିକି ନୁହେଁ, ବଲଣ୍ଡାରେ  ଶ୍ରୀ ପାଣିଗ୍ରାହୀଙ୍କ ୪ ଏକର ବିଶିଷ୍ଟ ଫାର୍ମ  ହାଉସ୍‌ ରହିଛି । ସେଠାରେ ପ୍ରାୟ ୫୦୦  ଶାଗୁଆନ୍‌ ଗଛ ଲାଗିଛି । ଶ୍ରୀ ପାଣିଗ୍ରାହୀ ତାଙ୍କ  ସମ୍ପର୍କୀୟଙ୍କ ନାମରେ କୋଟି କୋଟି ଟଙ୍କାର  ସମ୍ପତ୍ତି କିଣିଥିବା ଅନୁମାନ କରାଯାଉଛି । ଫ୍ଲାଇ  ଆଶ୍‌ କମ୍ପାନୀ, ସିଦେ୍ଧଶ୍ୱରୀ ପେଟ୍ରୋଲ୍‌ ପମ୍ପ  ଏବଂ ଭାଇଙ୍କ ନାମରେ କିଣାଯାଇଥିବା ଏକ  ଜେସିବି ଏସ୍କାଭେଟର ଓ ପେଟ୍ରୋଲ୍‌ ପମ୍ପରେ  ତାଙ୍କ ବେନାମୀ ଟଙ୍କା ଲାଗିଥିବା କୁହାଯାଉଛି । ଯାଞ୍ଚରୁ ଅଦ୍ୟାବଧି ନଗଦ ୧ ଲକ୍ଷ  ୪୯ ହଜାର ଟଙ୍କା ମିଳିଛି । ଏହାବାଦ୍‌  ବିଭିନ୍ନ କ୍ଷେତ୍ରରେ ଜମା ଥିବା ୧ କୋଟି  ୭୨ ଲକ୍ଷ ୩୫ ହଜାର ଟଙ୍କା ମଧ୍ୟ ଠାବ  ହୋଇଛି । ଶ୍ରୀ ପାଣିଗ୍ରାହୀଙ୍କ ଗୋଟିଏ କାର୍‌  ଓ ଦୁଇଟି ବାଇକ୍‌ ଅଛି । ବଲାଙ୍ଗୀର ଷ୍ଟେଟ୍‌  ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଲକର ଅଛି ।  ତଦନ୍ତ ପରେ ସମ୍ପତ୍ତି ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।