ପୁରୀ, ୨୮/୦୬: ସିଏସ୍ଆର୍ ( କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟୀ) କେବଳ ନିୟମରେ ସୀମିତ ନ ହେଉ । ସିଏସ୍ଆର୍ ହେଉ ସେବାର ନୂଆ ପରିଭାଷା । ଏଭଳି ସେବା ଯାହା ସମାଜରେ ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରିବ । ଯାହା ପ୍ରତ୍ୟେକ ଲୋକଙ୍କ ହୃଦୟକୁ ଛୁଇଁବ । ଶେଷ ଧାଡିରେ ଠିଆ ହୋଇଥିବା ମଣିଷ ମଧ୍ୟ ସିଏସ୍ଆର୍ର ଲାଭ ଉଠାଇବ । ଲୋକଦେଖାଣିଆ ସେବା ନ କରି ଲୋକଙ୍କ କାମରେ ଲାଗିବା ଭଳି ସିଏସ୍ଆର୍ ପାଣ୍ଠିକୁ ବିନିଯୋଗ କରାଯାଉ । ଶନିବାର ‘ପ୍ରମେୟ’ ଓ ‘ନ୍ୟୁଜ୍ ସେଭେନ୍’ ପକ୍ଷରୁ ଆୟୋଜିତ ସିଏସ୍ଆର୍ କନ୍କ୍ଲେଭ-୨୦୨୬ରେ ଅତିଥିମାନେ ଏହି ବାର୍ତ୍ତା ଦେଇଛନ୍ତି । ପ୍ରମେୟ ଓ ନ୍ୟୁଜ-୭ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ପରେ ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ସେଲ୍ସ ଆଣ୍ଡ ମାର୍କେଟିଂ ଗ୍ରୁପ୍ ଡିରେକ୍ଟର ହିମାଂଶୁ ହୋତା କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଡା. ପାତ୍ର କହିଥିଲେ, ସିଏସ୍ଆର୍ର ପ୍ରକୃତ ଅର୍ଥ ହେଉଛି କଲେକ୍ଟିଭ୍ ସଂକଳ୍ପ ଫର୍ ରାଷ୍ଟ୍ରନିର୍ମାଣ( ରାଷ୍ଟ୍ର ନିର୍ମାଣ ପାଇଁ ସାମୂହିକ ସଙ୍କଳ୍ପ) । ସମସ୍ତଙ୍କୁ ସାମିଲ କରି ସିଏସ୍ଆର୍ ପାଣ୍ଠିରେ ରାଷ୍ଟ୍ର ନିର୍ମାଣ କରାଯାଉ । ସିଏସ୍ଆର୍ର ପ୍ରଥମ ସଂଜ୍ଞା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ସେବା କହିଲେ ପ୍ରଥମେ ମହାପ୍ରଭୁଙ୍କୁ ହିଁ ବୁଝାଯାଏ, ଯିଏ ଜାତି, ଗୋତ୍ର ଧର୍ମର ବାଛ ବିଚାର ନ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏଣୁ ଏଭଳି ଏକ ସମ୍ମିଳନୀ ପାଇଁ ପୁରୀ ହିଁ ଉପଯୁକ୍ତ ସ୍ଥାନ । କାରଣ ଓଡିଶା କହିଲେ ମହାପ୍ରଭୁଙ୍କୁ ବୁଝାଏ । ବିଶ୍ୱରେ ଓଡ଼ିଶାର ମାନ ପୁରୀକୁ ନେଇ ହିଁ ନିର୍ଦ୍ଧାରିତ ହୁଏ । ଏଣୁ ସିଏସ୍ଆର୍ ପାଣ୍ଠିକୁ ବିନିଯୋଗ କରି ‘ବିକଶିତ ପୁରୀ, ବିକଶିତ ଓଡିଶା’ ଗଠନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହା ସହ ଗାଁ ଗହଳିରେ ମଧୁମେହ, ଆନେମିଆ, ରକ୍ତଚାପ ଭଳି ରୋଗ ମହିଳାଙ୍କ ନିକଟରେ ବଢିଚାଲୁଛି । ଏଣୁ ସିଏସ୍ଆର୍ ପାଣ୍ଠି ଗାଁ ଗହଳିରେ ତୃଣମୂଳସ୍ତରରେ କାର୍ଯ୍ୟ କରୁ ଏବଂ ଏଭଳି ରୋଗ ନିରାକରଣ କ୍ଷେତ୍ରରେ କାମ କରୁ ବୋଲି ସେ ପରାମର୍ଶ ଦେଇଥିଲେ ।
ପରେ ସିଏସଆର-ଏ ରେସ୍ପନ୍ସିବିଲିଟୀ ଉଇଦାଉଟ୍ ହାର୍ଟ: ଫ୍ୟାକ୍ଟ ଅର୍ ମିଥ୍’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଜେଏସ୍ପିଏଲ୍ ଓଡ଼ିଶାର କର୍ପୋରେଟ୍ କମ୍ୟୁନିକେସନ୍ ମୁଖ୍ୟ ପ୍ରଶାନ୍ତ କୁମାର ହୋତା, ନାଲ୍କୋର ଏକଜ୍ୟୁକଟିଭ୍ ନିର୍ଦ୍ଦେଶକ (ଏଚ୍ଆର୍) ଆଶୁତୋଷ ରଥ, ହିନ୍ଦାଲ୍କୋ ଇଣ୍ଡଷ୍ଟ୍ରିଜ୍ର ସିଏସ୍ଆର୍ ମୁଖ୍ୟ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଓଡ଼ିଶାର ୱାଟରମ୍ୟାନ୍ ତଥା ୟୁଥ୍ ଫର୍ ୱାଟର ଇଣ୍ଡିଆର ମେଣ୍ଟର ରଞ୍ଜନ କିଶୋର ପଣ୍ଡା, ଆଇଆଇଟି ଭୁବନେଶ୍ୱରର କର୍ପୋରେଟ ଆଣ୍ଡ ଇଣ୍ଟରନ୍ୟାସନାଲ ରିଲେସନ୍ ଆଲୁମିନି ପ୍ରଫେସର ଅନିମେଶ ମଣ୍ଡଳ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ସେଲ୍ସ ଆଣ୍ଡ ମାର୍କେଟିଂ ଗ୍ରୁପ୍ ଡିରେକ୍ଟର ହିମାଂଶୁ ହୋତା ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା ଯେ, ସିଏସ୍ଆର୍ କାର୍ଯ୍ୟ କେତୋଟି ହୃଦୟକୁ ଛୁଉଁଛି ଏହା ହିଁ କମ୍ପାନୀର ବଡ଼ ସଫଳତା । ନଚେତ ଟାର୍ଗେଟ୍ ମୁତାବକ ସିଏସ୍ଆର୍ ପାଣ୍ଠିକୁ ଖର୍ଚ୍ଚ କରିଦେଲେ ହୁଏତ କମ୍ପାନୀ ଏହାର କର୍ପୋରେଟ ଦାୟିତ୍ୱ ତୁଲାଇ ପାରିବ । କିନ୍ତୁ କମ୍ପାନୀ ଏହାର ସାମାଜିକ ଦାୟିତ୍ୱ ପୂରଣ କରିବାକୁ ହେଲେ ସାଧାରଣ ଲୋକଙ୍କର ଉପକାର ଏହାର ମୁଖ୍ୟ ଟାର୍ଗେଟ ହେବ ।
ଆଲୋଚନାଚକ୍ର ପରେ ନାଲ୍କୋ, ଟିପିସିଓଡିଏଲ୍, ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ୍, ଜିନ୍ଦଲ ଷ୍ଟିଲ୍, ଓମ୍ଫେଡ, ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମଟେଡ୍ (ଇମ୍ଫା), ଆର୍ସେଲର ମିତଲ ନିପୋନ ଷ୍ଟିଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ଟାଟା ଷ୍ଟିଲ ଆଦି କମ୍ପାନୀ ନିଜର ସିଏସ୍ଆର୍ ସମ୍ପର୍କିତ ପ୍ରେଜେଣ୍ଟେସନ୍ ପ୍ରଦର୍ଶନ କରିଥିଲେ । କମ୍ପାନୀଗୁଡିକ ନିଜର ପ୍ରମୁଖ ସିଏସ୍ଆର୍ କାର୍ଯ୍ୟ ଓ ଏହାର ସଫଳତା କାହାଣୀ ବଖାଣିବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ଜଣାଇଥିଲେ ।
ପୁରୀ ଏସ୍ପି ପ୍ରତୀକ ସିଂହ ଦ୍ୱିତୀୟ ଅଧିବେଶନକୁ ଉଦ୍ଘାଟନ କରିଥିଲେ । ସେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସାମ୍ବାଦିକମାନଙ୍କୁ ସେମାନଙ୍କ କଠୋର ପରିଶ୍ରମ ପାଇଁ ସାଧୁବାଦ ଦେଇଥିଲେ । ଏନେଇ କର୍ପୋରେଟ ଜଗତର ଉତ୍ତରଦାୟିତ୍ୱ ସମ୍ପର୍କରେ କହିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇଥିଲେ । ସୂର୍ଯ୍ୟ ଯେଉଁଭଳି ପୃଥିବୀ ପୃଷ୍ଠରୁ ପାଣି ନେଇ ଏହାକୁ ବର୍ଷା ଆକାରରେ ଫେରାଇଦିଏ, ସମୁଦ୍ର ଯେଉଁଭଳି ଯାହା ନେଲେ ବି ପୁଣି କୂଳରେ ଆଣି ଛାଡିଯାଏ, ସେମିତି ସିଏସ୍ଆର୍ ଦ୍ୱାରା କମ୍ପାନୀମାନେ ସମାଜରୁ ଯାହା ନେଉଛନ୍ତି ପ୍ରତିବଦଳରେ ସମାଜକୁ ତାହା ଉଚିତ ସମୟରେ ଫେରାଇ ଦିଅନ୍ତୁ । ୧୦ଟି ଗଛ ଲଗାଇ ଏହାର ଯତ୍ନ ନ ନେବାଠାରୁ ଗୋଟିଏ ଗଛ ଲଗାଇ ଏହାକୁ ବଡ଼ କରିବା ଶ୍ରେୟ । ଏଣୁ ସିଏସ୍ଆର୍ ପାଣ୍ଠି ଦୀର୍ଘସ୍ଥାୟୀ ଛାପ ଛାଡିବା ଜରୁରି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରମେୟ ପୁରୀ ଜିଲ୍ଲା ପ୍ରତିନିଧି ନିରଞ୍ଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପୁରୀ ପ୍ରମେୟ ଓ ନ୍ୟୁଜ୍-୭ର ସମସ୍ତ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।