କଟକ,୧୯/୧୧: ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିପାରେ । ଏଭଳି ଏକ ସମ୍ଭାବନା ନେଇ ପ୍ରଶାସନିକ ଅଧିକାରୀ ଓ  ପୁଲିସ ଅଧିକାରୀ ଆଲୋଚନା କରୁଛନ୍ତି । ତେବେ ଏ ଚର୍ଚ୍ଚା ନେଇ  କେହି କିଛି କହିବାକୁ ନାରାଜ ।  

ଚଳିତ ବର୍ଷ ୮ ଦିନ ଯାତ୍ରା ହେବ  ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଛି । ଏନେଇ ସବୁ ପ୍ରକାର କାର୍ଯ୍ୟସୂଚୀ  ପ୍ରସ୍ତୁତ ହୋଇଛି । ମାତ୍ର ସୋମବାର ଅର୍ଥାତ୍‌ ୧୮ ତାରିଖରେ ପୂର୍ବତନ  ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତ ପରେ  ତାଙ୍କୁ ସମ୍ମାନ ଜଣାଇ ବାଲିଯାତ୍ରାରେ  ସବୁ ସରକାରୀ କାର୍ଯ୍ୟକ୍ରମକୁ  ହଠାତ୍‌ ବାତିଲ କରିବାକୁ ପଡ଼ିଲା । ଏପରିକି ମେଳାରେ ସରକାରୀ  ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥଗିତ ରହିବା  ସହିତ କୌଣସି ବେସରକାରୀ ଷ୍ଟଲ୍‌ରେ ମଧ୍ୟ ସାଉଣ୍ଡ୍‌ ବାଜିଲାନି । କଟକ୍‌ ଇନ୍‌ କଟକ ମଧ୍ୟରେ ହେବାକୁ ଥିବା ମନୋରଞ୍ଜନ  କାର୍ଯ୍ୟକ୍ରମ ଅଟକିଲା । ତେଣୁ ସୋମବାର ହେବାକୁ ଥିବା କାର୍ଯ୍ୟକ୍ରମକୁ  ଆଡ୍‌ଜଷ୍ଟ କରିବା ପାଇଁ ଯାତ୍ରାକୁ ଆଉ ଗୋଟିଏ ଦିନ  ବଢ଼ାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏନେଇ  ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ  କୌଣସି ସୂଚନା କିନ୍ତୁ ବିଧିବଦ୍ଧ ଭାବେ ଦିଆଯାଇନି ।  

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସ୍ୱତନ୍ତ୍ର ଅନୁମତି  ଅଣାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିମ୍ବା  ଜିଳ୍ଲାପାଳଙ୍କ ପକ୍ଷରୁ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏଭଳି ହେଲେ ଗତ ବର୍ଷ  ଭଳି ଏବର୍ଷ ମଧ୍ୟ ଯାତ୍ରାର ଅବଧି ୯ ଦିନ ହେବ ।