କଟକ,୨୯/୦୮:  ପାର୍ବଣ ବେଳେ ଜବରଦସ୍ତ ଚାନ୍ଦା ମାଗୁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେବାପରେ କଟକ ପୁଲିସ ପକ୍ଷରୁ ଦୁଇଟି ମୋବାଇଲ୍‌ ନମ୍ବର ଜାରି ହୋଇଛି । ଏହି ନମ୍ବରରେ ଫୋନ୍‌  କରି ଯେ କେହି ବି ଅଭିଯୋଗ କରିପାରିବେ । ଅଭିଯୋଗକାରୀଙ୍କ ନାଁ ଓ ଠିକଣା ଗୋପନ ରଖାଯିବ ବୋଲି ମଧ୍ୟ ପୁଲିସ ପ୍ରତିଶ୍ରୁତି ଦେଇଛି । 



ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ  ହୋଇଛି । ତେବେ ପାର୍ବଣ ଆରମ୍ଭ ପୂର୍ବରୁ ଡିଜିପି  ଯୋଗେଶ ବାହାଦୂର ଖୁରାନିଆ ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ ନେଇ ଏକ ସମୀକ୍ଷା କରିଥିଲେ । ଏଥିରେ  ଜବରଦସ୍ତ ଚାନ୍ଦା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ଡିଜିପି ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ କଟକ ପୁଲିସ ଗୁରୁବାର  ଚାନ୍ଦା ଆଦାୟ ବିରୋଧରେ କଠୋର ହୋଇଛି । ଚାନ୍ଦା ମାଗୁଥିବା ଲୋକଙ୍କୁ ଧରିବା ପାଇଁ  ପୁଲିସ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି ।  ଏନେଇ ପୁଲିସ ଦୁଇ ମୋବାଇଲ୍‌ ନମ୍ବର ହେଲ୍ପ  ଲାଇନ୍‌ ଭାବେ ଜାରି କରିଛି । (୭୩୨୮୦- ୭୭୩୨୪) ଏବଂ (୮୪୮୦୫-୧୩୦୦୭)  ଦୁଇଟି ମୋବାଇଲ୍‌ ନମ୍ବର ଜାରି କରାଯାଇଛି । ଏହି ନମ୍ବର ୨୪ ଘଣ୍ଟା ଖୋଲା ରହିବ । ପୂଜା ସମୟରେ ସହରବାସୀ ଏଥିରେ ଫୋନ୍‌ କରି ବେଆଇନ ଚାନ୍ଦା ଆଦାୟ ବିଷୟ ଅଭିଯୋଗ କରିପାରିବେ । ସେହିପରି ଅନ୍ୟ କୌଣସି  ଅପରାଧ ବିଷୟରେ ମଧ୍ୟ ଲୋକେ ଅବଗତ  କରିପାରିବେ । ଏଥିରେ ଅଭିଯୋଗକାରୀଙ୍କ ନାଁ ଓ ଠିକଣା ପୁଲିସ ଗୋପନ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି । ତେବେ ବିନା ଭୟରେ ପୁଲିସ  ଏହି ଅଭିଯାନରେ ସହଯୋଗ କରିବାକୁ ଡିସିପି  ଖିଲାରି ରିଷିକେଶ ଦ୍ୟାନ୍‌ଦେଓ ସୂଚନା ଦେଇଛନ୍ତି ।