କଟକ,୨୫/୦୫: ମୋ ସ୍ୱାମୀଙ୍କୁ ବ୍ଲଡ୍ କ୍ୟାନ୍ସର୍ । ବଞ୍ଚିବା ପାଇଁ ରକ୍ତ ଦରକାର । ରକ୍ତ ନାହିଁ ଦେହ ଜ୍ୱରରେ ଫୁଟୁଛି । ଚିକିତ୍ସା ପାଇ ରକ୍ତ ଯୋଗାଡ଼ କରିପାରିଲୁ ନାହିଁ ବୋଲି ଡାକ୍ତର ୱାର୍ଡରୁ ବାହାର କରିଦେଲେ । ରକ୍ତ ବନ୍ଦୋବସ୍ତ କରାଇଦେବେ ବୋଲି କହି ବ୍ଲଡ୍ ବ୍ୟାଙ୍କରୁ କେହି ଜଣେ ମୋଠୁ ୧୫ ଶହ ଟଙ୍କା ନେଇ ପଳାଇଛନ୍ତି । ଆମର କେହି ନାହାନ୍ତି । ସରକାର ଟିକେ ସାହାଯ୍ୟ କରି ମୋ ସ୍ୱାମୀକୁ ବଞ୍ଚାଇ ଦିଅନ୍ତୁ । -ଜଣେ ବ୍ଲଡ୍ କ୍ୟାନ୍ସର୍ ରୋଗୀଙ୍କର ପତ୍ନୀର ଏପରି ଆକୁଳ ନିବେଦନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । କର୍କଟ ଆକ୍ରାନ୍ତ ରୋଗୀଙ୍କ ନାଁ ପଦଲାମ ହରିଜନ(୩୫) । ଘର ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଡମାପଲା କୁଟୁବାଇ ଗ୍ରାମରେ । ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ପତ୍ନୀ ସୁନିତା ହରିଜନ ରକ୍ତ ପାଇବା ଲାଗି କାନ୍ଦିକାନ୍ଦି ନିବେଦନ କରୁଛନ୍ତି ।
ନବରଙ୍ଗପୁରର ପାପଡ଼ାହାଣ୍ଡିଠାରୁ ଦୂର ଏକ ଦୁର୍ଗମ ଅଞ୍ଚଳରୁ ଆସିଥିବା କର୍କଟ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଏସ୍ସିବି ମେଡିକାଲ୍ରେ ରକ୍ତ ନମିଳିବା ଦୁର୍ଭାଗ୍ୟଜନକ ଘଟଣା ହୋଇଛି । ରକ୍ତ ନମିଳିବା ସାଙ୍ଗକୁ ସମ୍ପୃକ୍ତ ରୋଗୀଙ୍କୁ ମେଡିକାଲ୍ରେ ରଖା ନଯିବାରୁ ସାବିତ୍ରୀ ଜନସେବା ନିଶୁକ୍ଳ କର୍କଟ ଆଶ୍ରୟସ୍ଥଳରେ ଦମ୍ପତି ରହୁଛନ୍ତି ।
ଏସ୍ସିବି ମେଡିକାଲ୍ ରକ୍ତ ଭଣ୍ଡାର ଦଲାଲ୍ଙ୍କୁ କବଳରୁ ମୁକୁଳି ପାରୁନି । ରୋଗୀ ଯେତେ ଗୁରୁତର ହୋଇଥାଉନା କାହିଁକି ଚିହ୍ନା ମୁହଁ ନଥିଲେ ତାଙ୍କୁ ରକ୍ତ ମିଳିବା ଅସମ୍ଭବ । ସାଧାରଣ ରୋଗୀ ପାଇଁ ରକ୍ତ ଭଣ୍ଡାରରେ ଅନେକ କଟକଣା ରହିଛି । ମାତ୍ର ଦଲାଲ୍ଙ୍କ ପାଇଁ ରକ୍ତ ଭଣ୍ଡାର ଦୁଆର ସବୁବେଳେ ଖୋଲା । ରକ୍ତ ଭଣ୍ଡାର ଦଲାଲ ଆଡ୍ଡା ଜମାଉଥିବାରୁ ଏଠାରେ କିଏ କର୍ମଚାରୀ କିମ୍ବା କିଏ ବାହାର ଲୋକ ତାହା ଦୂରଦୂରାନ୍ତରୁ ଆସିଥିବା ରୋଗୀଟିଏ ଜାଣିବା କଷ୍ଟକର ବ୍ୟାପର । ଏହାର ସୁଯୋଗ ଦଲାଲ୍ମାନେ ରକ୍ତ ଭଣ୍ଡାରରେ ରକ୍ତ ବନ୍ଦୋବସ୍ତ କରାଇଦେବେ ବୋଲି ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ରକ୍ତ ପ୍ୟାକେଟ୍ ପିଛା ୧୫ ଶହରୁ ଦୁଇ ହଜାର ଟଙ୍କା ନେଉଛନ୍ତି ।
ରକ୍ତ ଭଣ୍ଡାରରେ ଦଲାଲ୍ଙ୍କ ସହ କିଛି କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବାର ଅଭିଯୋଗ ହେଉଛି । ପୂର୍ବରୁ ଏସ୍ସିବି ରକ୍ତ ଭଣ୍ଡାର ପରିସରୁ ଅନେକ ଦଲାଲ୍ ଗିରଫ ହୋଇଥିଲେ ମଧ୍ୟ ଫଳ ଶୂନ । ଦଲାଲ୍ ସକାଳେ ଗିରଫ ହେଲେ ତା’ ପରଦିନ ଜେଲ୍ରୁ ମୁକୁଳି ପୁଣି ରକ୍ତ ଭଣ୍ଡାରରେ ଭିଡ଼ ଜମାଉଛନ୍ତି । ଏସ୍ସିବି ରକ୍ତ ଭଣ୍ଡାରରେ ଦଲାଲ୍ ରାଜକୁ ନେଇ ଅତୀତରେ ଅନେକ ବିବାଦୀୟ ସ୍ଥିତି ଉପୁଜିଥିଲେ ମଧ୍ୟ ଏଥିପ୍ରତି ମେଡିକାଲ୍ କର୍ତ୍ତୃପକ୍ଷ କିମ୍ବା ବିଭାଗୀୟ ମୁଖ୍ୟ ଓ କର୍ମଚାରୀମାନେ କେହି ଚେତୁ ନାହାନ୍ତି । ସାଧାରଣ ରୋଗୀଟିଏ ରକ୍ତ ମାଗିଲେ ମିଳୁନଥିବା ବେଳେ ଦଲାଲ୍ଙ୍କ ହାରିବାରିସି କିମ୍ବା ଅନ୍ୟ କେଉଁ ଥିଲାବାଲା ଲୋକ ଚାପ ପକାଇଲେ ରକ୍ତ ମିଳିଯାଉଛି । ରକ୍ତ ଭଣ୍ଡାରରୁ ରକ୍ତ ଯୋଗାଇ ଦେବ ବୋଲି କହି ରୋଗୀଙ୍କୁ ଦଲାଲ ଭୁତେଇ ଟଙ୍କା ଠକି ନେବା ଘଟଣା ସମ୍ପର୍କରେ ଏସ୍ସିବି ଅଧୀକ୍ଷକ ପ୍ରଫେସର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଏକାଧିକ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ରିସିଭ୍ କରିନଥିଲେ ।
ଅଧିକ ପଢ଼ନ୍ତୁ :- Thar Terror : ମଦ ନିଶାରେ ଗ୍ୟାରେଜ ଭିତରେ କାର୍ ପୁରାଇ ଦେଇଥିଲେ,ଅଭିଯୁକ୍ତ ଡ୍ରାଇଭରକୁ ବାନ୍ଧିଲା ପୁଲିସ