ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଚା’ପ୍ରେମୀ କଟକିଆ... ଦିନକୁ ଲକ୍ଷେ କପ୍‌

Published By : Prameya | May 21, 2025 2:58 PM

କଟକ,୨୧/୦୫ : କଟକ ଏମିତି ଏକ ସହର ଯେଉଁଠି ଦିନରୁ ରାତି ଚା’ କେଟ୍‌ଲି ଥଣ୍ଡା ହୁଏନି । ହାଣ୍ଡି ନୁହେଁ ହଣ୍ଡାଏ ହଣ୍ଡାଏ ଚା’କୁ ଢକଢକ କରି ପିଇ ଯାଆନ୍ତି ଲୋକେ । ଗଳିକନ୍ଦିଠାରୁ ସହରର ଛକବଜାର ଯାଏ ଯେଉଁଠି ଆଖି ବୁଲାଇବେ ସେଠି ଚା’ ଦୋକାନ । ୭ ଟଙ୍କା, ୧୦ ଟଙ୍କା, ୧୫ ଟଙ୍କାର କପେ ଚା’ର ବେପାର ପଛରେ ଏତେ ବିଶାଳ ବ୍ୟବସାୟ ଜଡ଼ିତ ରହିଥିବ ସେ କଥା ଆକଳନ କରିବା ବି ମୁସ୍କିଲ୍‌ । ଏ ସହରରେ ଦୈନିକ ପ୍ରାୟ ୧୦ହଜାର ଲିଟରରୁ ଅଧିକ କ୍ଷୀରରେ ଚା’ହୁଏ । ଦିନରାତି ମିଶି ପାଖାପାଖି ଲକ୍ଷେ କପ୍‌ ଚା’ ଲୋକ ପିଇଯାଆନ୍ତି । କଟକ ସହରରେ ଦିନକୁ ପ୍ରାୟ ୧୦ ଲକ୍ଷ ଟଙ୍କାର ଚା’ ବେପାର ହୁଏ । ଏ ସହରରେ ଏମିତି କିଛି ବ୍ୟବସାୟୀ ରହିଛନ୍ତି, ଯେଉଁମାନେ ଦୈନିକ ୫ଶହ ଲିଟର କ୍ଷୀରର ଚା’ ବିକ୍ରି କରନ୍ତି । କର୍ମକ୍ଲାନ୍ତ ଜୀବନରେ କପେ ଚା’ ଆଣେ ତାଜାପଣ । ସକାଳୁ ନିଦରୁ ଉଠି ହେଉ ବା’ ସନ୍ଧ୍ୟା ଗଡିବା କ୍ଷଣି ଚା’ ଟିକେ ପାଟିରେ ବାଜିଲେ ପ୍ରସନ୍ନତାର ଆହାଃ..ପଦେ ବାହାରି ପଡେ । 

ଚା’ ପିଇବା ଅନେକଙ୍କ ପାଇଁ ଏକ ଆରାମଦାୟକ ଅଭ୍ୟାସ, ଯାହା ମାନସିକ ଚାପ କମାଇଥାଏ । ଅତିଥିଙ୍କୁ ଚା’ ଦେବା ଏକ ସୌଜନ୍ୟତା ହୋଇଥିବାବେଳେ ବନ୍ଧୁଙ୍କ ମେଳରେ ଚା’ଖଟି ମନକୁ ହାଲୁକା କରିଦିଏ । ଭାଇଚାରାର ସହର କଟକରେ ପ୍ରାୟ ଅନେକ ସ୍ଥାନରେ ଚା’ ଖଟି ଜମିଥାଏ । ଏଥିପାଇଁ ସହରର ଗଳିକନ୍ଦିଠାରୁ ଆରମ୍ଭ ଛକବଜାର, ମୁଖ୍ୟରାସ୍ତା ଯାଏ ସବୁଠି ମାଳମାଳ ଚା’ ଦୋକାନ ଦେଖିବାକୁ ମିଳେ । କଟକ ସହରର ୧୫୦ରୁ ଅଧିକ ସାହି ଏବଂ ମୁଖ୍ୟ ଛକବଜାର ମିଶାଇଲେ ଅତିକମ୍‌ରେ ଦେଢ ହଜାରରୁ ଅଧିକ ଛୋଟବଡ଼ ଚା’ ଦୋକାନ ଅଛି । କିଛି ବ୍ୟବସାୟୀ ରହିଛନ୍ତି ଯେଉଁମାନଙ୍କ ଚୁଲା ଦିନ ଯାକ କେତେବେଳେ ବି ବନ୍ଦ ହୁଏନାହିଁ । କିଲ୍ଲାପଡିଆର ମୁନୁ ଭାଇ ଟି’ଷ୍ଟଲ୍‌ ହେଉ ବା ବକ୍ସିବଜାର ଫାୟାର୍‌ ଷ୍ଟେସନ୍‌ ଛକର ବିଚି ଭାଇ, ଚୌଧୁରୀବଜାରର ସନ୍ତୋଷ ଭାଇ, ଏସ୍‌ସିବି ମେଡିକାଲ ଭିତରର ରାଓ ଭାଇ, ରାଣୀହାଟର ନମ୍ବର ୱାନ୍‌ ଚା’ ବ୍ୟବସାୟୀ କପିଳ ଭାଇଙ୍କ ଦୋକାନ । ସେମାନେ ନିଜ ଚା’ର ସ୍ୱାଦ ଓ ନିଆରାପଣ ପାଇଁ ସ୍ୱତନ୍ତ୍ରତା ରଖନ୍ତି । ଆଜି ‘ଅନ୍ତର୍ଜାତୀୟ ଚା ଦିବସ’ ଅବସରରେ ସହରର କିଛି ବଛାବଛା ଚା’ ବ୍ୟବସାୟୀଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା ।

ମୁନୁ ଭାଇ ଗୁଆଘିଅ ଚା’

ବାରବାଟୀ କିଲ୍ଲା ପଡ଼ିଆରେ ମୁନୁ ଭାଇ ଚା’ ଦୋକାନ କହିଲେ ପ୍ରାୟ ସମସ୍ତେ ଜାଣନ୍ତି । ଏଠି ସସ୍‌ପେନ କି ଡିସ ନୁହେଁ ବରଂ ଭୋଜିଭାତରେ ବ୍ୟବହୃତ ହେଉଥିବା ହଣ୍ଡାରେ ଚା’ ତିଆରି କରାଯାଏ । କାଠଚୂଲିରେ ଶହଶହ ଲିଟର ଫୁଟୁଥିବା କ୍ଷୀରକୁ ଚା’ କରି ଗ୍ରାହକଙ୍କୁ ବଢାଇଦିଅନ୍ତି ମୁନୁ ଭାଇ । ମୁନୁ ଭାଇଙ୍କ ସହ ତାଙ୍କ ପୁଅ ତପନ ବି ଏବେ ଏହି ଦୋକାନ ସମ୍ଭାଳୁଛନ୍ତି । କୁହାଯାଏ ମୁନୁ ଭାଇଙ୍କ ଚା’ ପିଇଲେ ପାଟିକୁ ଗୁଆ ଘିଅ ଭଳି ସ୍ୱାଦ ଲାଗେ । ଯେହେତୁ ଚୂଲିରେ ଘଣ୍ଟା ଘଣ୍ଟା ଧରି କ୍ଷୀର ଫୁଟୁଥାଏ ତେଣୁ ସ୍ୱାଦରେ ମୁନୁ ଭାଇଙ୍କୁ କେହି ମାତ୍‌ ଦେଇପାରନ୍ତିନାହିଁ ।

ଜୟନ୍ତୀ ମାଉସୀଙ୍କ କାଠଚୁଲି ଚା’ 

ଓଡ଼ିଶା ପୁଲିସ୍‌ ହାଇସ୍କୁଲ୍‌ ସାମ୍ନାରେ ଜୟନ୍ତୀ ନାୟକ ଏକ କୁଡ଼ିଆ ଭିତରେ ଚା’ ଦୋକାନ କରିଛନ୍ତି । ତାଙ୍କ ନାଲି ଚା’ର ସ୍ୱାଦ ବେଶ୍‌ ନିଆରା । ୧୯୯୯ ମସିହା ମହାବାତ୍ୟାର ୬ମାସ ପରେ ସେ ଏହି ଦୋକାନ କରି ବସିଥିଲେ । ଏବେ ଯାଏ ମାଟି ଚୁଲି, କାଠ ଜାଳି ଚା’ କରନ୍ତି ଜୟନ୍ତୀ । ଚା’ କରିବା ଆଗକୁ ଚୁଲିକୁ ଗୋବରରେ ଲେପନ୍ତି ସେ । ତାଙ୍କ କହିବା କଥା, ଯେଉଁ ଚୁଲି ମୋତେ ଚଳାଉଛି ତାକୁ ଚିକ୍କଣ ନରଖିଲେ କେମିତି ହେବ । ଜୟନ୍ତୀ ମାଉସୀଙ୍କ ଚା’ ପିଇବାକୁ ସହରର ବିଭିନ୍ନ ସ୍ଥାନରୁ ଲୋକ ଆସିଥାନ୍ତି ।

ନମ୍ବର ୱାନ୍‌ ଚା’... ଜେଜେ ଏଇଠି 

୧୯୭୪ ମସିହାରୁ ରାଣୀହାଟ ଛକରେ ଚା’ ବ୍ୟବସାୟ କରିଆସୁଛନ୍ତି କପିଳ ମହାପାତ୍ର । ତାଙ୍କ ଚା’ର ବେଶ୍‌ ଭଲ ଡିମାଣ୍ଡ ବି ରହିଛି । ଏହି ଛୋଟ ଚା’ ଦୋକାନକୁ ସହରର ବିଭିନ୍ନ କୋଣଅନୁକୋଣରୁ ଲୋକେ ଛୁଟି ଆସନ୍ତି ଚା’ ପିଇବାକୁ । ପ୍ରାୟ ୫୦ବର୍ଷରୁ ଅଧିକ ସମୟ ଧରି ଚା’ ବିକି ଆସୁଥିବା କପିଳ ମହାପାତ୍ରଙ୍କ ଚା’ ସ୍ୱାଦରେ କୌଣସି ପରିବର୍ତ୍ତନ ଆସିନି । କପିଳଙ୍କ ସହିତ ତାଙ୍କ ପୁଅ ମଧ୍ୟ ଏହି ବ୍ୟବସାୟରେ ଜଡ଼ିତ ରହିଛନ୍ତି । ନମ୍ବର ୱାନ୍‌ ଚା’: ଜେଜେ ଏଇଠି ଟ୍ୟାଗ୍‌ ଲାଇନ ପାଇଁ ସେ ଲୋକପ୍ରିୟ । 

ଡଙ୍କିରେ କପ୍‌ ରଖି ଚା’ ବଢାନ୍ତି ବିଚି ଭାଇ 

କଟକ ଫାୟାର ଷ୍ଟେସନ୍‌ ଛକରେ ରହିଥିବା ବିଚି ଭାଇଙ୍କ ଚା’ ଦୋକାନ ସହରର ଏକ ଜନଗହଳି ଚା’ଖଟି । ସକାଳୁ ରାତି ଯାଏ ବିଚି ଭାଇଙ୍କ ଚୂଲା ବନ୍ଦ ହୁଏନି । ୫୪ବର୍ଷୀୟ ବିଚିତ୍ରାନନ୍ଦ ମନ୍ତ୍ରୀ ଜଣେ ଉଚ୍ଚଶିକ୍ଷିତ । ଅର୍ଥଶାସ୍ତ୍ରରେ ଗ୍ରାଜୁଏଟ୍‌ ହେବା ସହ ମେକାନିକାଲ୍‌ ଟ୍ରେଡ୍‌ରେ ଆଇଟିଆଇ ମଧ୍ୟ କରିଛନ୍ତି । କମ୍ପ୍ୟୁଟର୍‌ ଉପରେ ତାଙ୍କର ଭଲ ଜ୍ଞାନ । ପୂର୍ବରୁ ଟ୍ୟୁସନ୍‌ ମାଷ୍ଟର୍‌ ଭାବେ ପରିଚୟ ରଖୁଥିବା ବିଚିତ୍ରାନନ୍ଦ ୨୦୦୦ ମସିହାରୁ ଫାୟାର୍‌ଷ୍ଟେସନ୍‌ ପାଖରେ ଚା’ ବ୍ୟବସାୟ କରିଆସୁଛନ୍ତି । ତାଙ୍କର ଚା’ର ସ୍ୱାଦ ସହିତ ପରସିବା ଷ୍ଟାଇଲ୍‌ ବେଶ୍‌ ନିଆରା । ଚା’ଡଙ୍କିରେ କପ୍‌କୁ ରଖି ଦୋକାନ ଭିତରୁ ଗରାଖଙ୍କୁ ବଢାଇ ଦିଅନ୍ତି ସେ । ଏହି ଷ୍ଟାଇଲ୍‌ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । 

ରାଓ, ସନ୍ତୋଷ, ଟୁଟୁ, ଅଖିଙ୍କ ଚା’ ମହକ 

କଟକ ସହରରେ ଏମିତି କିଛି ବ୍ୟବସାୟୀ ରହିଛନ୍ତି ଯେଉଁମାନଙ୍କ ଚା’ ପିଇବାର ସୁଯୋଗ କେହି ହାତଛଡ଼ା କରନ୍ତିନାହିଁ । ସେଥିରେ ଏସ୍‌ସିବି ମେଡିକାଲ ଭିତରେ ଥିବା ରାଓ ଭାଇ, ଚୌଧୁରୀବଜାର ସ୍ଥିତ ସନ୍ତୋଷ ଭାଇ, ହାଇକୋର୍ଟ ଛକର ଟୁଟୁ ଓ ପ୍ରଶାନ୍ତ ଭାଇଙ୍କ ଚା’ର ମହକରେ ଟାଣି ହେଇ ଆସନ୍ତି ଗ୍ରାହକ । ଏମିତିକି ଏ ସବୁ ଦୋକାନ ଖୋଲିବା ପୂର୍ବରୁ ଗ୍ରାହକ ଏଠି ଭିଡ଼ ଜମାନ୍ତି । ସେହିପରି ନୟାସଡ଼କ ଛକରେ ରାଜୁ ଭାଇ ଅଦା ଚା’ର ବେଶ୍‌ ଲୋକପ୍ରିୟତା ରହିଛି । ଦୈନିକ ଏଠି ହଜାର ହଜାର କପ୍‌ ଚା’ ବେପାର ହୁଏ । ସେହିପରି କଲ୍ୟାଣୀନଗର ଗଡ଼ାରେ ଥିବା ଅଖି ଭାଇଙ୍କ ମସଲା ନାଲି ଚା’ ପାଇଁ ଲୋକଙ୍କ ଭିଡ଼ ଜମେ । ସେହିପରି ଛତ୍ରଗଡ଼ା ନିକଟ କୁଲୁ ଭାଇଙ୍କ ଚା’ ବେଶ୍‌ ମନଲୋଭା । 

ଚା’ ପିଇବେ, ବହି ପଢ଼ିବେ 

ଚା’କପ୍‌ ସହିତ ବହି କିମ୍ବା ଖବରକାଗଜ ରହିଲେ ତାର ଅନୁଭବ ନିଆରା । ଦୋକାନକୁ ଚା’ ପିଇବାକୁ ଆସୁଥିବା ଗ୍ରାହକଙ୍କୁ ଏମିତି ଅନୁଭବ ଦେଉଛନ୍ତି ବିଦ୍ୟାଧରପୁରଗତିରାଉତପାଟଣା ରାସ୍ତାରେ ଦୋକାନ କରିଥିବା ପ୍ରମୋଦ ଦଳେଇ । ଦୋକାନ ପାଶ୍ୱର୍ରେ ସେ କରିଛନ୍ତି ହରେକୃଷ୍ଣ ମହତାବ ଭ୍ରାମ୍ୟମାଣ ପାଠାଗାର । ଯେଉଁଠି ବିଭିନ୍ନ ପାଠ୍ୟପୁସ୍ତକ ରଖାଯାଇଛି । ଚା’କପ୍‌ ଧରି ଲୋକେ ଏଠାରେ ବହି ପଢିବାକୁ ବସି ପଡନ୍ତି । ଏହାସହ ଏହି ରାସ୍ତାରେ ୧୦୮, ୧୦୨ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଗଣାରେ ଚା’ ଓ କଫି ପିଆନ୍ତି ପ୍ରମୋଦ ।

ପଦ୍ମଶ୍ରୀଙ୍କ ଦୋକାନରେ ତାଲା

ବିଶିଷ୍ଟ ସମାଜସେବୀ ଡି.ପ୍ରକାଶ ରାଓ ଏକ ସାଧାରଣ ଚା’ ବ୍ୟବସାୟୀ ହୋଇ ମଧ୍ୟ ସମାଜସେବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ବକ୍ସିବଜାରଠାରେ ତାଙ୍କର ଦୋକାନ ଥିଲା । ସାଧାରଣ ଚା’ ସହିଦ ବିଭିନ୍ନ ଔଷଧୀୟ ଚା ବି ଦିଅନ୍ତି । ରକ୍ତଦାନ, ବସ୍ତିପିଲାଙ୍କୁ ମାଗଣାରେ ଶିକ୍ଷାଦାନ, ମେଡିକାଲ୍‌ରେ ଅସହାୟ ଲୋକଙ୍କ ସେବା ପାଇଁ ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିଲେ ଡି ପ୍ରକାଶ ରାଓ । ଏପରିକି ପଦ୍ମଶ୍ରୀ ପାଇବା ପରେ ବି ସେ ଚା’ ଦୋକାନ କରୁଥିଲେ । ତେବେ ସେ ବିୟୋଗ ପରେ ଏହି ଦୋକାନଟି ଏବେ ତାଲା ପଡିଛି । ସ୍ୱର୍ଗତ ରାଓ ଏହି ଚା’ ବ୍ୟବସାୟ କରି ଯେତିକି ରୋଜଗାର କରନ୍ତି ସେଥିରୁ ଅଧା ଲାଭାଂଶ ସେ ପିଲାଙ୍କ ପାଠପଢାରେ ଖର୍ଚ୍ଚ କରୁଥିଲେ । ତାଙ୍କ ଚା’ ବି ବେଶ୍‌ ନିଆରା ଥିଲା । ଚା’ କପ୍‌ରେ କ୍ଷୀର ସରକୁ ମଲେଇ କହି ଲୋକଙ୍କୁ ସେ ଅତି ଶ୍ରଦ୍ଧାରେ ପରସି ଦେଉଥିଲେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.