ଫୁଲବାଣୀ ୦୯/୧ : କନ୍ଧମାଳ ଜିଲ୍ଲା ସାଇବର ପୁଲିସ ଏକ ବଡ ଧରଣର ସାଇବର ଠକାମୀର ପର୍ଦ୍ଦାଫାସ କରିଛି। ଘଟଣାର ତଦନ୍ତ ପରେ ବିଭିନ୍ନ ବ୍ୟାଙ୍କରେ ଖୋଲା ଯାଇଥିବା ମ୍ୟୁଲ ଆକାଉଣ୍ଟ ଜରିଆରେ ୬ କୋଟି ୨୭ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବା ପୁଲିସ ଜାଣିପାରିଛି । ଘଟଣାର ମାଷ୍ଟରମାଇଣ୍ଡ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସ୍ପି ରମେନ୍ଦ୍ର ପ୍ରସାଦ ଶୁକ୍ରବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ସିଆଇଡି ପକ୍ଷରୁ ଜିଲ୍ଲା ସାଇବର ସେଲକୁ ଜିଲ୍ଲାରେ ଥିବା ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସାଇବର ଠକେଇ ହେଉଥିବା ନେଇ ସୁଚନା ଦିଆ ଯାଇଥିଲା। ଏହାକୁ ଏସ୍ପି ହରିଶ ବିସି ଗୁରୁତର ସହ ନେଇ ଏଏସ୍ପି ରମେନ୍ଦ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ତଦନ୍ତ ବେଳେ ଏଭଳି ୧୬ ଟି ଆକାଉଣ୍ଟ ରହିଥିବା ଏବଂ ଏ ସମସ୍ତ ନୀରିହ ଗରିବ ଶ୍ରେଣୀ ଲୋକଙ୍କ ନାମରେ ଥିବା ଜଣା ପଡିଥିଲା। ସେମାନଙ୍କୁ ପଚରା ଉଚରା କରିବାରୁ ଆକାଉଣ୍ଟ ଖୋଲିଥିବା କିଛି ଯୁକବଙ୍କ ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା। ଆକାଉଣ୍ଟର ଦେଣନେଣ ଏବଂ ଫୋନ କଲକୁ ଆଧାର କରି ପୁଲିସ ଭୁବନେଶ୍ୱରର ସୂର୍ଯ୍ୟୋଦୟ ବ୍ୟାଙ୍କରେ କାମ କରୁଥିବା ମାଷ୍ଟରମାଇଣ୍ଡ ତୁଷାରକାନ୍ତି ଦାସଙ୍କୁ ଉଠାଇ ଆଣି ପଚରା ଉଚରା କରିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା। ଏହି ଘଟଣାରେ ଆଉ ୪ ଜଣଙ୍କ ସମ୍ପୃକ୍ତି ଥିବା ଜଣା ପଡିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଫୁଲବାଣୀର ଅବିନାଶ ମହାପାତ୍ର, କିରଣ କୁମାର ବେହେରା, ଗୋପାଳ ସିଂ ଓ ବାଦଲ କୁମାର ସ୍ୱାଇଁ । ୧୦ ମ୍ୟୁଲ ଆକାଉଣ୍ଟଧାରୀଙ୍କୁ ଭାରତୀୟ ନ୍ୟାୟ ସଂହିତା ୟୂ/ଏସ ୩୫ ଅନୁସାରେ ନୋଟିସ ଜାରି କରାଯାଇଛି।
ପୁଲିସର ସୂଚନା ଅନୁଯାୟୀ ତୁଷାରକାନ୍ତି ହେଉଛନ୍ତି ଘଟଣାର ମୁଖ୍ୟ କାର୍ପଟଦାର । ସେ ଏକ ହ୍ୱାଟସ୍ଆପ ଖୋଲି ସମ୍ପୃକ୍ତ ଯୁବକଙ୍କୁ ସେଭିଙ୍ଗ ଆକାଉଣ୍ଟ ଖୋଲିଲେ କମିଶନ ବାବଦରେ ୫ ହଜାର ଏବଂ କର୍ପୋରେଟ ଆକାଉଣ୍ଟ ଖୋଲିଲେ ୫୦ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଉଥିଲେ। ପୂର୍ବରୁ ସାଇବର ଅପରାଧ ସମ୍ପର୍କରେ ଅବଗତ ଥିବା ଏହି ଯୁବକ ମାନେ ଆକାଉଣ୍ଟଧାରୀଙ୍କ ପାସ୍ ବୁକ, ଏଟିଏମ୍, ନେଟ ବ୍ୟାଙ୍କିଂ ଏବଂ ସିମ୍ କାର୍ଡ ମାସକ ପାଇଁ ଦେବାକୁ କହି ଆଣୁଥିଲେ। କିନ୍ତୁ ପରେ ଫେରାଉ ନ ଥିଲେ। ସିଆଇଡି ପକ୍ଷରୁ ଖବର ମିଳିବା ପରେ ତଦନ୍ତକୁ ଜୋରଦାର କରାଯାଇଥିଲା। ଫୁଲବାଣୀରେ ୧୬ଟି ଅକାଉଣ୍ଟରେ ୬ କୋଟି ୨୭ ଲକ୍ଷ ଟଙ୍କା କାରବାର ହୋଇଥିବା ଜଣା ପଡିଥିଲା। ଏଥି ମଧ୍ୟରେ ୧୫ଟି ସେଭିଙ୍ଗସ ଓ ଗୋଟିଏ କର୍ପୋରେଟ ଆକାଉଣ୍ଟ ରହିଛି। ଏହି ଠକାମୀର ଚେର ଦେଶ ତଥା ଦେଶ ବାହାର ପର୍ଯ୍ୟନ୍ତ ଲମ୍ବିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଚୀନକୁ ମଧ୍ୟ ଟଙ୍କା ଯାଇଥିବା କହିଛନ୍ତି ଅତିରିକ୍ତ ଏସପି। ସମସ୍ତ ଆକାଉଣ୍ଟକୁ ଅଚଳ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ମୂଳ ସାଇବର ଅପରାଧିଙ୍କ ଉପରେ ଅଧିକ ତଦନ୍ତ ଚାଲିଛି ବୋଲି ଏଏସପି ରମେନ୍ଦ୍ର କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡା ଏସ୍ଡିପିଓ କେ.ଶ୍ରୀନିବାସୁଲ, ଫୁଲବାଣୀ ସାଇବର ଥାନା ଅଧିକାରୀ ଗେଲୀ କୁମାରୀ ସାହୁ ଉପସ୍ଥିତ ଥିଲେ।