ଅଦୃଶ୍ୟ ଜାଲ ବିଛାଇ ବସିଛନ୍ତି ସେମାନେ । ଅଧିକ ରୋଜଗାରର ସ୍ୱପ୍ନ ଦେଖାଇ ଲୁଟୁଛନ୍ତି ଲୋକଙ୍କୁ । ଅଳ୍ପ ପୁଞ୍ଜି ନିବେଶ ଓ ବିପୁଳ ଲାଭର ଲୋଭନୀୟ ଚିତ୍ର ଦେଖାଉଛନ୍ତି । ବିଶ୍ୱାସ ଜିତିବା ପାଇଁ ଲାଭ ବି ଦେଉଛନ୍ତି । ଲାଭର ଲୋଭରେ ପୂରା ଫସିଗଲା ପରେ ସର୍ବସ୍ୱାନ୍ତ କରିଦେଉଛନ୍ତି । ପାଖକୁ ଆସିବାକୁ ପଡ଼ୁନି, ଧମକଚମକ ବି ଦେବାକୁ ପଡ଼ୁନି । ହଜାର ହଜାର କିଲୋମିଟର ଦୂରରେ ବସି ସାଇବର ଜାଲରେ ବାନ୍ଧି ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ୍ରେ ଗଚ୍ଛିତ କଷ୍ଟ ଉପାର୍ଜିତ ଧନ । ବିଦାୟୀ ବର୍ଷ ଥିଲା ସାଇବର ଠକଙ୍କର ଏଭଳି ଏକ ନୂଆ କୌଶଳର ସଫଳ ପ୍ରୟୋଗର ବର୍ଷ । ସୋସିଆଲ୍ ମିଡିଆକୁ ଅସ୍ତ୍ର କରି, ଲାଭର ଲୋଭନୀୟ ବିଜ୍ଞାପନ ଦେଖାଇ, ନକଲି ପୁଞ୍ଜି ନିବେଶ ନାଁରେ ସେମାନେ ଲୁଟି ନେଇଛନ୍ତି ୨ ହଜାର କୋଟିରୁ ଅଧିକ ଟଙ୍କା । ଏହା ବାଦ୍ ବିଭିନ୍ନ ବାଟରେ ରାଜ୍ୟ ତମାମ ସବୁ ବର୍ଗର ଲୋକଙ୍କଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା । ବ୍ୟାପକ ସଚେତନତା, ସାଇବର ସେଲ୍ର ତନାଘନା ସତ୍ତେ୍ୱ ଅପହଞ୍ଚ ହେଇ ରହିଛନ୍ତି ଏହି ସାଇବର ଶିକାରୀମାନେ । ବର୍ଷ ତମାମ୍ ନୟାନ୍ତ କରିଥିବା ସାଇବର ଠକଙ୍କ କଳା କାରନାମା ସଂପର୍କରେ ଏହି ସ୍ୱତନ୍ତ୍ର ଉପସ୍ଥାପନା ।
ପ୍ରସ୍ତୁତି: ଗୋପାଳକୃଷ୍ଣ ସ୍ୱାଇଁ
ନକଲି ନିବେଶ, ୨ ହଜାର କୋଟି ଗୋଲ୍
ଅନୁଗୁଳରେ ରହୁଥିବା ଏନ୍ଟିପିସିର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ଏକ ହ୍ୱାଟ୍ସ୍ଆପ୍ ଗ୍ରୁପ୍ରେ ଯୋଡ଼ି ଦିଆଗଲା । ସେୟାର ମାର୍କେଟ୍ରେ ଇନ୍ଭେଷ୍ଟମେଣ୍ଟ୍ କରିବାକୁ କୁହାଗଲା । ବଡ଼ ରିଟର୍ଣ୍ଣ ଲୋଭରେ ପଡ଼ି ଅଧିକାରୀ ଜଣକ ୬ କୋଟି ୨୫ ଲକ୍ଷ ଟଙ୍କା ନିବେଶ ପାଇଁ ଦେଇଦେଲେ । ପରେ ସବୁ ଯୋଗାଯୋଗ ଛିନ୍ନ । ଭୁବନେଶ୍ୱରର ଜଣେ ଫିଲ୍ମ ପ୍ରଯୋଜକଙ୍କୁ ସମାନ ଢଙ୍ଗରେ ବଡ଼ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ପ୍ରାୟ ଅଢ଼େଇ କୋଟି ଟଙ୍କାର ନିବେଶ କରାଇ ନିଆଗଲା । ପରେ ହ୍ୱାଟ୍ସଆପ୍ ଗ୍ରୁପ୍ ଡିଲିଟ୍ ହୋଇଗଲା ।
- କେବଳ ଏହି ଦୁଇ ଜଣଙ୍କୁ ନୁହଁ ସେୟାର୍ ମାର୍କେଟ୍ରେ ଇନ୍ଭେଷ୍ଟମେଷ୍ଟ୍ ବା ବଡ଼ ପୁଞ୍ଜି ନିବେଶ କରି ବଡ଼ ମୁନାଫା କମାଇବାର ଲୋଭ ଦେଖାଇ ଏବର୍ଷ ଶହଶହ କୋଟି ଠକେଇ କରିଛନ୍ତି ସାଇବର ଠକ । ବର୍ଷ-୨୦୨୪ର ୧୧ ମାସ ମଧ୍ୟରେ ସାଇବର ଠକ ପ୍ରାୟ ୪୦ ହଜାର ଲୋକଙ୍କୁ ଠକିଥିବା ବେଳେ ବଡ଼ ପରିମାଣର ଠକେଇ ନେଇ ରାଜ୍ୟରେ ୭୪୨ଟି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ସାଇବର ଠକ ପୂର୍ବରୁ ଇନ୍ଭେଷ୍ଟମେଣ୍ଟ ନାଁରେ ଲକ୍ଷେ କି ଦୁଇ ଲକ୍ଷ ଠକୁଥିବା ବେଳେ ଏବେ କୋଟି କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟରୁ ସଫା କରିଦେଉଛନ୍ତି । ଏତେ ସବୁ ମାମଲା ରୁଜୁ ପରେ ବି ଅପରାଧୀ ଧରାପଡ଼ିବା ଓ ଠକେଇ ହୋଇଥିବା ଟଙ୍କା ଫେରିବା ଘଟଣା ପୂରା ନଗଣ୍ୟ । ସାଇବର ଠକମାନେ ଏଭଳି ଢଙ୍ଗରେ ଜାଲ ବିଛାଇ ଏହି ଠକେଇ କରୁଛନ୍ତି ଯେ, ସାଇବର ଥାନା ପୁଲିସ ତ ଛାଡ଼ କ୍ରାଇମବ୍ରାଞ୍ଚ୍ ଟିମ୍ ବି ଧରିପାରୁ ନାହିଁ ।
ତଥ୍ୟ କହୁଛି, ଚଳିତ ବର୍ଷ ଏହି ନକଲି ନିବେଶର ମାୟାଜାଲରେ ପଡ଼ି ଆମ ରାଜ୍ୟର ନିବେଶକାରୀମାନେ ପ୍ରାୟ ୨ ହଜାର କୋଟି ଟଙ୍କା ହରାଇଛନ୍ତି । ରାଜ୍ୟ ପୁଲିସ କ୍ରାଇମବ୍ରାଞ୍ଚର ସାଇବର ସେଲ୍କୁ ଏବର୍ଷ ନକଲି ନିବେଶ ନେଇ ପ୍ରାୟ ୫୦ଟି ବଡ଼ ମାମଲା ଆସିଛି³ ଯେଉଁଥିରେ ଲୋକେ ୫୦ ଲକ୍ଷରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା ସାଇବର ଠକଙ୍କ ହାତକୁ ଟେକି ଦେଇଛନ୍ତି । ତେବେ ଏହି ଠକେଇ ପଛରେ ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ ସଂସ୍ଥା ପାଇଁ କାମ କରୁଥିବା ତୃତୀୟ ପକ୍ଷର ହାତ ରହିଥିବା ଏବଂ ସେମାନଙ୍କ ସହଯୋଗ ସାଇବର ଠକମାନେ ପାଉଥିବା ଜଣାପଡିଛି । ଆର୍ôଥକ ସ୍ୱଚ୍ଛଳ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଡିଜିଟାଲ୍ ଡାଟାକୁ ସିଧାସଳଖ ସାଇବର ଠକଙ୍କ ହାତରେ ଧରାଇ ଦିଆଯାଉଛି । ସାଇବର ଠକ ଗ୍ୟାଙ୍ଗ୍ ତାପରେ ଟେଲିଗ୍ରାମ୍ ଗ୍ରୁପ୍, ହ୍ୱାଟ୍ସଆପ୍ ଗ୍ରୁପ୍ ସହ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଯାଉଛନ୍ତି । ଇନ୍ଭେଷ୍ଟମେଣ୍ଟ୍ ସ୍କିମ୍ ନାଁରେ ପ୍ରଥମେ ଲୋକଙ୍କୁ ବିପୁଳ ଲାଭର ଲୋଭ ଦେଖାଉଛନ୍ତି । ପ୍ରଥମେ ଅଳ୍ପ କିଛି ନିବେଶରେ ଅଧିକ ଟଙ୍କା ଫେରସ୍ତ ଦିଆଯାଇ ଜାଲରେ ଫସେଇ ଦିଆଯାଉଛି । ପରେ ଏକସଙ୍ଗରେ କୋଟି କୋଟି ଟଙ୍କା ସଫା କରିଦେଉଛନ୍ତି ସାଇବର ଠକ । ଖୋଳତାଡ଼ ଆରମ୍ଭ କଲାବେଳକୁ ହ୍ୱାଟ୍ସଆପ୍ ଗ୍ରୁପ୍, ଟେଲିଗ୍ରାମ୍ ଗ୍ରୁପ୍ ଡିଲିଟ୍ ହୋଇଯାଉଛି । ଫୋନ୍ ଓ ଇମେଲ୍ ବ୍ଲକ୍ ।
କ୍ରାଇମବ୍ରାଞ୍ଚର ତଥ୍ୟ ଅନୁସାରେ, ଏଭଳି ଠକେଇ କରୁଥିବା ଗ୍ୟାଙ୍ଗ୍ର ଚେର ଦେଶର ପ୍ରାୟ ସବୁ ରାଜ୍ୟକୁ, ଏପରିକି ବିଦେଶକୁ ଲମ୍ବିଛି । ବିଭିନ୍ନ ଫେକ୍ ଇନ୍ଭେଷ୍ଟମେଣ୍ଟ୍ ମୋବାଇଲ୍ ଆପ୍ ଦ୍ୱାରା ଏହାକୁ ସଂଚାଳନ କରାଯାଉଛି । ର୍ୟାକେଟ୍ରେ କାମ କରୁଥିବା ଲୋକ ବା ଏଜେଣ୍ଟ୍ ନିଜ ରାଜ୍ୟର ସ୍ୱଳ୍ପ ରୋଜଗାର କରୁଥିବା ଲୋକଙ୍କୁ ଫସାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଠକେଇ କାମରେ ବ୍ୟବହାର କରୁଛନ୍ତି । ପ୍ରାୟ ତିନିରୁ ଚାରି ସ୍ତରରେ ଏହି ଠକେଇ ହେଉଛି । ପ୍ରଥମ ସ୍ତରର ଆକାଉଣ୍ଟ୍ ଏକ ବଡ଼ ଜାଲ୍ ଅନୁଷ୍ଠାନ ନାଁରେ ଖୋଲାଯାଉଛି । ନିବେଶ କରୁଥିବା ବ୍ୟକ୍ତିଙ୍କ ଟଙ୍କା ଏଭଳି ପ୍ରଥମ ସ୍ତରର(ଫାଷ୍ଟ ଲେୟର୍) ଆକାଉଣ୍ଟକୁ ଆସୁଛି । ଟଙ୍କା ଆସିବାର କିଛି ମିନିଟ୍ ଭିତରେ ତୁରନ୍ତ ଛୋଟ ଛୋଟ ପରିମାଣରେ ଭାଗଭାଗ କରି ଅନ୍ୟ କିଛି ଲୋକଙ୍କ (ସେକେଣ୍ଡ୍ ଲେୟର)ଆକାଉଣ୍ଟ୍କୁ ଟ୍ରାନ୍ସଫର୍ ହେଉଛି । ପୁନର୍ବାର ପୁଣି ସେହି ଆକାଉଣ୍ଟରୁ ଲକ୍ଷେ କି ଦୁଇ ଲକ୍ଷ କରି ଟଙ୍କାକୁ (ଥାର୍ଡ ଲେୟର)୨୦ରୁ ୩୦ଟି ଆକାଉଣ୍ଟ୍କୁ ପଠାଯାଉଛି । ଆଉ ଏହି ତୃତୀୟ ସ୍ତରର ଆକାଉଣ୍ଟଧାରୀ ଏଟିଏମ୍ କାର୍ଡ, ଚେକ୍ ବହି କିମ୍ବା ପାସ୍ବୁକ୍ ଜରିଆରେ ଟଙ୍କା ଉଠାଇ ସ୍ଥାନୀୟ ଅଞ୍ଚଳରେ ଥିବା ର୍ୟାକେଟ୍ର ଏଜେଣ୍ଟ୍ ହାତକୁ ଧରାଉଛନ୍ତି ।
ଏହି ସମୟରେ ଏଜେଣ୍ଟ ତାଙ୍କୁ ଲକ୍ଷେ ଟଙ୍କାରେ ୫ ପ୍ରତିଶତ କରି କମିସନ୍ ପ୍ରଦାନ କରୁଛି । ବଳକା ମୋଟା ଅଙ୍କର ଅର୍ଥ ର୍ୟାକେଟ୍ ଚଲାଉଥିବା କିଙ୍ଗ୍ପିନ୍ ଓ ତାର ସହଯୋଗୀ ବାଣ୍ଟି ନେଉଛନ୍ତି । ତେବେ ଏନେଇ ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କଲା ବେଳେ ଟଙ୍କା ଉଠାଇଥିବା ତୃତୀୟ ସ୍ତରର ଆକାଉଣ୍ଟଧାରୀ ପ୍ରଥମେ ଧରା ପଡୁଛନ୍ତି । କିନ୍ତୁ ର୍ୟାକେଟ୍ର କିଙ୍ଗ୍ପିନ୍ ନେଇ କୌଣସି ତଥ୍ୟ ନଥିବାରୁ ତଦନ୍ତକାରୀ ସଂସ୍ଥା ସେମାନଙ୍କୁ ଧରିପାରୁନି । ଫଳରେ ପୁଣି କିଛି ଦିନ ପରେ ର୍ୟାକେଟ୍ର ମୁଖ୍ୟ ପୂରା ନୂଆ ରୂପରେ ଅନ୍ୟ ନିରୀହ ଲୋକଙ୍କୁ ନିବେଶ ନାଁରେ ଠକେଇ ଆରମ୍ଭ କରୁଛନ୍ତି । ଚଳିତ ବର୍ଷ କ୍ରାଇମବ୍ରାଞ୍ଚରେ ଏଭଳି ଢଙ୍ଗରେ ପ୍ରାୟ ୪ ଶହ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟ ସାଇବର ଥାନା, ସ୍ଥାନୀୟ ଥାନା ଓ ସାଇବର ହେଲ୍ପ ଲାଇନ୍କୁ ପ୍ରାୟ ୧୫ରୁ ୧୬ଶହ କୋଟି ଟଙ୍କା ଛୋଟ ବଡ଼ ଠକେଇର ଅଭିଯୋଗ ଆସିଛି।
ବର୍ଷକରେ ୪୭୨ ଅନ୍ଲାଇନ୍ ଟ୍ରେଡିଂ ଠକେଇ ମାମଲା
ବିଦାୟୀ ବର୍ଷରେ ରାଜ୍ୟରେ ମୋଟ୍ ୪୭୨ଟି ଅନ୍ଲାଇନ୍ ଟ୍ରେଡିଂ ବା ନିବେଶ କରାଇବା ନାଁରେ ଠକେଇ ହୋଇଛି । ତନ୍ମଧ୍ୟରୁ କେବଳ ୫୦ଟି ମାମଲା କ୍ରାଇମବ୍ରାଞ୍ଚରେ ରୁଜୁ ହୋଇଛି । ଏହା ବାଦ୍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସାଇବର ଥାନା ଓ ଅନ୍ୟ ଥାନାରେ ମାମଲା ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟରେ ୪୦ ହଜାର ୨୭୦ଟି ସାଇବର ଠକେଇ ଅଭିଯୋଗ ହୋଇଛି । ଯାହାକି ପୂର୍ବବର୍ଷ ୨୦୨୩ ତୁଳନାରେ ପ୍ରାୟ ଦୁଇଗୁଣା।
ଧରା ପଡ଼ୁନାହାନ୍ତି ମାଷ୍ଟର୍ମାଇଣ୍ଡ୍
ବିଭିନ୍ନ ସାଇବର ଅପରାଧ ମାମଲାରେ ପୁଲିସ ଓ କ୍ରାଇମ୍ବ୍ରାଞ୍ଚ୍ ରାଜ୍ୟ ଭିତରୁ ଓ ବାହାରୁ ବହୁ ଅଭିଯୁକ୍ତଙ୍କୁ ଗିରଫ କରୁଛି । କିନ୍ତୁ ର୍ୟାକେଟ୍ର ଯିଏ ମାଷ୍ଟର୍ମାଇଣ୍ଡ୍ ବା ଯେଉଁମାନେ ପୂରା ନେଟ୍ୱର୍କ ଚଳାଉଛନ୍ତି ସେମାନେ ଧରାପଡ଼ୁନାହାନ୍ତି । ସାଇବର ଠକ ଗ୍ୟାଙ୍ଗର ଏହି ମୁଖିଆମାନେ ଏତେ ଚତୁରତାର ସହିତ ଠକେଇ କରୁଛନ୍ତି ଯେ, ପୁଲିସ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ । କିଛି କିଙ୍ଗ୍ପିନ୍ ତ ବିଦେଶରେ ରହି ପୁଲିସକୁ ନଚାଉଛନ୍ତି । ବୈଷୟିକ ଜ୍ଞାନ କୌଶଳ ଓ ଆବଶ୍ୟକ ପରିମାଣର ଆର୍ଥିକ ସୁବିଧା ନଥିବାରୁ ଅନେକ କ୍ଷେତ୍ରରେ ପୁଲିସର ତଦନ୍ତ ମୁଖ୍ୟ ଅଭିଯୁକ ଯାଏ ପହଞ୍ଚି ପାରୁନାହିଁ । ସେହିପରି କିଛି କ୍ଷେତ୍ରରେ ର୍ୟାକେଟ୍ ମୁଖ୍ୟମାନେ କୌଣସି ସୁରାକ୍ ଛାଡ଼ୁନଥିବାରୁ ବି ସମସ୍ୟା ହେଉଛି । ଫଳରେ ତଳ ସ୍ତରରେ କିଛି ହାତଗଣତି ଅଭିଯୁକ୍ତଙ୍କୁ ଧରିବାରେ ହିଁ ପୁଲିସ, କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କ ତଦନ୍ତ ସରୁଛି।
ଅସହାୟ ପୁଲିସ : ଟଙ୍କା, କର୍ମଚାରୀ ନାହିଁ
ପ୍ରତିମାସରେ ରାଜ୍ୟର ବିଭିନ୍ନ ଥାନା ଓ କ୍ରାଇମବ୍ରାଞ୍ଚରେ ୧୦୦ରୁ ଅଧିକ ସାଇବର ଠକେଇ ଅଭିଯୋଗରେ ମାମଲା ରୁଜୁ ହେଉଛି । ସାଇବର ସଂପର୍କିତ ମାମଲା ହୋଇଥିବାରୁ ଏହାର ଚେର ବିଭିନ୍ନ ରାଜ୍ୟକୁ ଲମ୍ବିଛି । ତେଣୁ ଅପରାଧୀଙ୍କୁ ଧରିବା ପାଇଁ ଏକାଧିକ ପୁଲିସ ଟିମ୍ ଓ ଅଧିକ ଅର୍ଥର ଆବଶ୍ୟକତା ଅଛି । ହେଲେ ପୁଲିସ ପାଖରେ ଏ ଦୁଇଟିର ଅଭାବ ରହିଛି । ନା ଲୋକବଳ ଅଛି ନା ଏଭଳି ମାମଲାର ତଦନ୍ତ ପାଇଁ କୌଣସି ସ୍ୱତନ୍ତ୍ର ଅର୍ଥ ବରାଦ ହେଉଛି । ଫଳରେ ଅପରାଧୀଙ୍କ ସଂପର୍କରେ ସୁରାକ ପାଇ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିବାକୁ ଯାଇପାରୁନି । ଅନେକ ବଡ଼ ମାମଲାର ତଦନ୍ତ ବେଳେ ଆବଶ୍ୟକ ଅର୍ଥ ନଥିବାରୁ ପୁଲିସକୁ ସଫଳତା ମିଳୁନାହିଁ । ଜିଲ୍ଲାସ୍ତରୀୟ ସାଇବର ଥାନାକୁ ମୋ’ସରକାର ଫଣ୍ଡରୁ ଆସୁଥିବା ୪୦ ହଜାର ଟଙ୍କାକୁ ଖର୍ଚ୍ଚ କରି ମାସକୁ ଗୋଟିଏ ମାମଲର ତଦନ୍ତ ସାରିବା ବି କାଠିକାର ପାଠ ହେଉଛି ।
ସିମ୍ବକ୍ସରେ ବାଂଲାଦେଶୀ ଲିଙ୍କ୍
ସାଇବର ଠକେଇରେ ସବୁଠୁ ଅଧିକ ସହାୟକ ହେଉଥିବା ସିମ୍ବକ୍ସ ଟେକ୍ନୋଲୋଜିକୁ ନେଇ ଚଳିତ ବର୍ଷ ରାଜ୍ୟରେ ଖୋଳତାଡ଼ ହୋଇଛି । ଭୁବନେଶ୍ୱରର ଏକ ଭଡ଼ାଘରୁ ଏଭଳି ସିମ୍ବକ୍ସ ମିଳିବା ପରେ ରାଜ୍ୟ ପୁଲିସ ତନାଘନା କରିଥିଲା । ପରେ କଟକ ରାଜେନ୍ଦ୍ରନଗର ସ୍ଥିତ ଏକ ଭଡ଼ାଘରୁ ବହୁ ସିମ୍ବକ୍ସ ମିଳିଥିଲା । ଶେଷରେ ଏହାର ଖୋଳତାଡ଼ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ତେବେ ଏହାର ଲିଙ୍କ୍ ବାଂଲାଦେଶକୁ ଯାଇଥିବା ପୁଲିସ ତଦନ୍ତରୁ ସାମ୍ନାକୁ ଆସିଲା । ଏହି ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲେ ମଧ୍ୟ ଚକ୍ମା ଦେଇ ର୍ୟାକେଟ୍ର ମୁଖ୍ୟ ଅଭିଯୁକ୍ତ ବାଂଲାଦେଶ ଚମ୍ପଟ ମାରିଛି ।
କଠୋର ପଦକ୍ଷେପ ନିଆଯାଉଛି
ଫେକ୍ ଇନ୍ଭେଷ୍ଟମେଣ୍ଟ୍ ନାଁରେ ଠକେଇ ବଢ଼ିବଢ଼ି ଚାଲିଛି । ତେବେ ସାଇବର ଠକଙ୍କୁ ଧରିବା ଚାଲେଞ୍ଜିଂ ହେଲେ ମଧ୍ୟ ରାଜ୍ୟ କ୍ରାଇମବ୍ରାଞ୍ଚ ଏବେ ପୂରା ଜୋର୍ ଲଗାଇ କାମ କରୁଛି । ଗୋଟିଏ ଠକେଇ ମାମଲାରେ ଯେତେ ଜଣଙ୍କର ସଂପୃକ୍ତି ଥିବ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସବୁପ୍ରକାର ଉଦ୍ୟମ ହେଉଛି । ଆଗକୁ ସାଇବର କ୍ରାଇମ୍କୁ ରୋକିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ସବୁ ଜିଲ୍ଲାରେ ସାଇବର ଥାନା ଓ ସ୍ୱତନ୍ତ୍ର ସାଇବର ୟୁନିଟ୍ ଖୋଲାଯିବ । ଏଥିସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯିବ । ସାଇବର ଅପରାଧୀଙ୍କୁ ଧରିବା ଓ ସାଇବର ଅପରାଧ କମାଇବା ଦିଗରେ ଆଗକୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବିନୟତୋଷ ମିଶ୍ର, ଏଡିଜି, କ୍ରାଇମ୍ବ୍ରାଞ୍ଚ୍
ବାହାର ରାଜ୍ୟରୁ ଧରାପଡ଼ିଲେଣି ୪୭
ଏବର୍ଷ ବାହାର ରାଜ୍ୟର ପ୍ରାୟ ୪୫ ଜଣ ସାଇବର ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି କ୍ରାଇମ୍ବ୍ରାଞ୍ଚ ସାଇବର ସେଲ୍ ଓ ରାଜ୍ୟର ଅନ୍ୟ କିଛି ସାଇବର ଥାନା । ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ୭୨ ଲକ୍ଷ ଠକିବା ଘଟଣାରେ ଗତ ଅଗଷ୍ଟ ମାସରେ ତାମିଲନାଡ଼ୁରୁ ୩ ଓ ଗୁଜରାଟରୁ ୩ ଜଣ ଗିରଫ ହୋଇଥିଲେ । ସେମାନେ ଠକେଇ ଟଙ୍କାକୁ ହାୱଲା ର୍ୟାକେଟ୍ରେ ଲଗାଉଥିଲେ । ଗୁଜରାଟ୍ର ‘ଅଙ୍ଗାଡ଼ିଆ’ ଗ୍ରୁପ୍ ଏହି ହାୱଲା କାରବାର କରୁଥିଲା । ସେହିପରି ଭୁବନେଶ୍ୱରରୁ ୬୦ ଲକ୍ଷ ଠକିବା ଘଟଣାରେ ବି ଗୁଜରାଟ୍ ଅହମ୍ମଦାବାଦରୁ ଏକ ଦମ୍ପତିଙ୍କ ସମେତ ୪ ଜଣ ଠକ ଗତ ମେ’ ମାସରେ ଧରା ହୋଇଥିଲେ । ଏହି ଠକ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ଚୂନ ଲଗାଇଥିଲେ । ତେବେ କୋଟିଏରୁ ଅଧିକ ଟଙ୍କା ଠକିବା ଘଟଣାରେ ଜୁଲାଇ ମାସରେ ଦିଲ୍ଳୀର ଦୁଇ ଠକଙ୍କୁ ବାନ୍ଧିବାରେ ସଫଳ ହୋଇଥିଲା ସାଇବର୍ ସେଲ୍ । କ୍ରିପ୍ଟୋ କରେନ୍ସି ନାଁରେ ଏହି ଦୁଇ ଜଣ କୋଟିଏରୁ ଅଧିକ ଟଙ୍କା ଲୁଟିଥିଲେ । ଏହି ଦୁଇ ଠକ ଦେଶର ଅନ୍ୟ ୪ଟି ରାଜ୍ୟର ପ୍ରାୟ ୧୫ ମାମଲାରେ ୱାଣ୍ଟେଡ୍ ଥିଲେ । ସେମିତି ଗତ ମେ’ ମାସରେ ୫୪ ଲକ୍ଷ ଟଙ୍କାର ନକଲି ନିବେଶ ଘଟଣାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ବାନ୍ଧିଥିବା ବେଳେ ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାରୁ ଦୁଇ ଓ ଛତିଶଗଡ଼ର ଭିଲାଇରୁ ଜଣେ ଅଭିଯୁକ୍ତ ଥିଲା । ରାଉରକେଲାର ଜଣେ ବରିଷ୍ଠ ନାଗରିକଙ୍କଠାରୁ ୬୭ ଲକ୍ଷ ଟଙ୍କା ଠକିବା ଘଟଣାରେ ସ୍ଥାନୀୟ ପୁଲିସ ହାଇଦ୍ରାବାଦ୍ରୁ ଦୁଇ ବିଦେଶୀ ନାଗରିକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଜଣେ ଡାକ୍ତରଙ୍କୁ ନିବେଶ କରାଇ ଲାଭ ଦେବା ନାଁରେ ୮୭ ଲକ୍ଷ ଟଙ୍କା ଠକିନେବା ଘଟଣାରେ ଭୁବନେଶ୍ୱର ସାଇବର ଥାନା ପୁଲିସ ରାଜସ୍ଥାନରୁ ୨ ଠକଙ୍କୁ ସେପ୍ଟେମ୍ବର ମାସରେ ଗିରଫ କରିଥିଲା । ସେମାନଙ୍କ ଆକାଉଣ୍ଟରୁ ୫ ଲକ୍ଷ ଫ୍ରିଜ୍ କରାଯାଇଛି । ତେବେ ସବୁଠୁ ଅଧିକ ସଂଖ୍ୟକ ଠକେଇ ଅଭିଯୁକ୍ତ ଧରାପଡ଼ିଛନ୍ତି ଏନ୍ଟିପିସିର ଜଣେ ପୂର୍ବତନ ଅଧିକାରୀଙ୍କୁ ଠକେଇ ମାମଲାରେ । ସାଢ଼େ ୬ କୋଟି ଟଙ୍କାର ଏହି ବଡ଼ ଠକେଇ ଘଟଣାରେ ଏଯାବତ୍ ୬ଟି ରାଜ୍ୟରୁ ୩୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ତନ୍ମଧ୍ୟରୁ କେରଳରୁ ୫, ଗୁଜରାଟରୁ ୮, ତାମିଲନାଡ଼ୁରୁ ୯, ରାଜସ୍ଥାନରୁ ୭ ଓ ପଶ୍ଚିମବଙ୍ଗରୁ ଜଣେ ଅଭିଯୁକ୍ତ ଅଛନ୍ତି । ଏବର୍ଷ ଧରାପଡ଼ିଥିବା ଠକଙ୍କ ସଂଖ୍ୟା ଶହେରୁ ଅଧିକ ହେବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।
ବୁଡ଼ାଉଛି ନକଲି ଆପ୍ସ୍
କିଛି ବର୍ଷ ହେଲାଣି ସାଇବର ଅପରାଧୀମାନେ ବିଭିନ୍ନ ନକଲି ଆପ୍ସ୍ ମାଧ୍ୟମରେ ଲୋକଙ୍କୁ ଆର୍ଥିକ ଓ ମାନସିକ ଦୃଷ୍ଟିରୁ ଶୋଷଣ କରୁଛନ୍ତି । କଟକଣା ସତ୍ତେ୍ୱ ଚାଇନିଜ୍ ଲୋନ୍ ଆପ୍ ଲୋକଙ୍କୁ ଋଣ ଦେବା ନାଁରେ ସର୍ବସ୍ୱାନ୍ତ କରିଚାଲିଛି । କ୍ରାଇମ୍ବ୍ରାଞ୍ଚ୍ର ତଥ୍ୟ ଅନୁସାରେ, ଚଳିତ ବର୍ଷ ୧ ହଜାରରୁ ଅଧିକ ଲୋକ ଚାଇନିଜ୍ ଲୋନ୍ ଆପ୍ର ଶିକାର ହୋଇଛନ୍ତି । ସାଇବର ଅ ପ ର । ଧ ୀ ଗେମିଂ ଆପ୍ସ୍ରେ ଠକି ଚାଲିଛନ୍ତି । ସକ୍ରିୟ ଥିବା ଅନେକ ଗେମିଂ ଆପ୍ସ୍ ପଛରେ ପଡ଼ି ଯୁବବର୍ଗ ଧନ, ଜୀବନ ହରାଉଛନ୍ତି । ଏଣୁ ନକଲି ଟ୍ରେଡିଂ ଆପ୍ସ୍ ଚିନ୍ତା ବଢ଼ାଇଛି । ସୋସିଆଲ୍ ମିଡିଆରେ ମାଳମାଳ ନକଲି ଇନ୍ଭେଷ୍ଟମେଣ୍ଟ୍ ବା ଟ୍ରେଡିଂ ଆପ୍ର ବିଜ୍ଞାପନ ଚାଲିଛି । ପ୍ରତିଷ୍ଠିତ ସଂସ୍ଥା ନାଁରେ ଏହି ନକଲି ଆପ୍ସ ଥିବାରୁ ବହୁ ଲୋକ ସହଜରେ ଏହାର ଶିକାର ହେଉଛନ୍ତି ।
ଜାଲରେ ଫସିଛନ୍ତି
- ଗଲା ଜୁଲାଇ ମାସରେ କଟକର ଜଣେ ପ୍ରତିଷ୍ଠିତ ଚକ୍ଷୁ ବିଶେଷଜ୍ଞଙ୍କୁ ନିବେଶ କରିବା ପାଇଁ ସୋସିଆଲ୍ ମିଡିଆରେ ମେସେଜ୍ ଆସିଲା । ଏବେ ସେୟାର ମାର୍କେଟ୍ରେ ଭଲ ରିଟର୍ଣ୍ଣ ମିଳୁଛି ବୋଲି ବୁଝାଗଲା । ମିଠା କଥାରେ ଭଳିଯାଇ ନିଜ ପାଖରେ ଥିବା ପ୍ରାୟ କୋଟିଏ ୧୨ ଲକ୍ଷ ଟଙ୍କାର ସେଭିଙ୍ଗ୍ସ୍କୁ ଡାକ୍ତର ଇନ୍ଭେଷ୍ଟ୍ କରିଦେଲେ । ଏହା ପରେ ଟଙ୍କା ଉଠାଇବାର ସମୟ ଆସିବାରୁ ସଂପୃକ୍ତ ଗ୍ରୁପ୍ ବନ୍ଦ ହୋଇଗଲା ।
- ଗତ ମାର୍ଚ୍ଚ ମାସର ଘଟଣା । ଅନ୍ଲାଇନ୍ରେ ଏକ ଲକ୍ଷ ଟଙ୍କା ଇନ୍ଭେଷ୍ଟ୍ କଲେ ୨ ଲକ୍ଷ ଟଙ୍କା ଓ ୪ ଲକ୍ଷ ଇନ୍ଭେଷ୍ଟ୍ କଲେ ୬ ଲକ୍ଷ ମିଳିବ ବୋଲି କଟକ ଗଣ୍ଡରପୁରର ଜଣେ ବ୍ୟବସାୟୀଙ୍କୁ ସୋସିଆଲ୍ ମିଡିଆରେ ସୂଚନା ମିଳିଲା । କୋଟିପତି ହେବାର ନିଶା ଘାରିଲା, ଲକ୍ଷେ ପରେ ଲକ୍ଷେ କରି ମୋଟ୍ ୭୫ ଲକ୍ଷ ଟଙ୍କା ଇନ୍ଭେଷ୍ଟ କରିଦେଲେ । ଟଙ୍କା ଉଠାଇବା ବେଳକୁ ଗ୍ରୁପ୍ରୁ ଲେଫ୍ଟ କରିଦିଆଗଲା । ଏତଲା ଦେବାରୁ ଠକମାନେ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ବୋଲି ଜଣାପଡ଼ିଲା ।
- ଅଗଷ୍ଟ ମାସରେ ଭୁବନେଶ୍ୱରରେ ରହୁଥିବା ଜଣେ ସୁନାମଧନ୍ୟ ଡାକ୍ତର ସାଇବର ଠକଙ୍କ ଜାଲରେ ପଡ଼ିଲେ । ସେୟାର ମାର୍କେଟ୍ରେ ନିବେଶ କରିବା ନାଁରେ ପ୍ରାୟ ୨ ଥରରେ ଠକମାନେ ଦେଢ଼ କୋଟି ଟଙ୍କା ତାଙ୍କଠାରୁ ନେଇଗଲେ । ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଥମେ ସାଇବର ଠକ ନିବେଶ କରିବା ନାଁରେ କୋଟିଏ ଟଙ୍କା ଠକିଥିବା କଥା ସେ ନିଜେ ଜାଣିବା ପରେ ମଧ୍ୟ ଜାଲରୁ ମୁକୁଳି ପାରିଲେନି । ପୁନର୍ବାର ପ୍ରାୟ ୫୦ ଲକ୍ଷ ଟଙ୍କା ନିବେଶ କରି ଠକେଇର ଶିକାର ହେଲେ ।
- ଜାନୁଆରୀ ମାସରେ ଭୁବନେଶ୍ୱର ଜଣେ ଇଂଜିନିୟରଙ୍କୁ ନିବେଶ କରିବା ନାଁରେ ସାଇବର ଠକ ୬୦ ଲକ୍ଷ ଟଙ୍କା ଠକି ନେଲେ । ପ୍ରଥମେ କ୍ରିପ୍ଟୋ କରେନସି ଓ ପରେ ଏକ ବଡ଼ କମ୍ପାନିର ସେୟାର କିଣିବାର ଲୋଭ ଦେଖାଇ ନିବେଶ କରାଇବା ପାଇଁ କୁହାଗଲା । ଏଥିରେ ଇଂଜିନିୟର ରାଜି ହୋଇ ତିନିଟି କିସ୍ତିରେ ୬୦ ଲକ୍ଷ ଦେଇଦେଲେ । ପରେ ଆଉ ଟଙ୍କା ଉଠାଇ ପାରିଲେନି ।
- ଭୁବନେଶ୍ୱରର ଜଣେ ବ୍ୟବସାୟୀ ଫେବ୍ର୍ରୁଆରୀ ମାସରେ ସୋସିଆଲ୍ ମିଡିଆରେ ନିବେଶ ନେଇ ସର୍ଚ୍ଚ କଲା ପରେ ଦୁଇଟି ହ୍ୱାଟ୍ସଆପ୍ ଗ୍ରୁପ୍ର ତଥ୍ୟ ତାଙ୍କୁ ମିଳିଲା । ସେଥିରେ ଯୋଡ଼ି ହୋଇ ଟଙ୍କା ନିବେଶ କରିବା ଆରମ୍ଭ କଲେ । ସପ୍ତାହେ ଭିତରେ ୭୨ ଲକ୍ଷ ଟଙ୍କା ନିବେଶ କରିଦେଲେ । ମାତ୍ର ଉଠାଇବା ବେଳେ ଆହୁରି ଅଧିକ ନିବେଶ ପାଇଁ କୁହାଗଲା । ନହେଲେ ଟଙ୍କା ବୁଡ଼ିବ ବୋଲି ଧମକ ଦିଆଗଲା ।
- ଜୁଲାଇରେ ରାଉରକେଲାର ଜଣେ ବରିଷ୍ଠ ନାଗରିକ ଯିଏକି ପୂର୍ବରୁ ଷ୍ଟିଲ୍ ପ୍ଲାଣ୍ଟ୍ରେ କାମ କରୁଥିଲେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ୬୭ ଲକ୍ଷ ଟଙ୍କା ହରାଇଲେ । ଅବସର ପରେ ରଖିଥିବା ଟଙ୍କାକୁ ନିବେଶ କରିବାକୁ ଯାଇ ଜାଲ୍ ଆପ୍ ହାବୁଡ଼େ ପଡ଼ିଲେ । ଟଙ୍କା ନିବେଶ କରି ଚାଲିଲେ । ପରେ ସେହି ଫେକ୍ ଆପ୍ ଆଉ କାମ ଦେଲାନି ।
- ମାର୍ଚ୍ଚରେ ଅନୁଗୁଳ ବଅଁରପାଳର ଜଣେ ଉଚ୍ଚଶିକ୍ଷିତ ଯୁବକ ସାଇବର ଠକଙ୍କ ଜାଲରେ ପଡ଼ିଥିଲେ । ଷ୍ଟକ୍ ମାର୍କେଟ୍ରେ ନିବେଶ କରିବା ନାଁରେ ଯୁବକ ଜଣକ ୨୫ ଲକ୍ଷ ୫୭ ହଜାର ଟଙ୍କା ହରାଇଥିଲେ।
- ନଭେମ୍ବର ମାସର ଘଟଣା । କଟକ ସିଡିଏ ଅଞ୍ଚଳରେ ରହୁଥିବା ଜଣେ ବ୍ୟାଙ୍କ୍ କର୍ମଚାରୀ ଜାଲ୍ ଇନ୍ଭେଷ୍ଟମେଣ୍ଟ୍ ଆପ୍ସ୍ ଜାଲରେ ପଡ଼ି ପ୍ରାୟ ୪୫ ଲକ୍ଷ ଟଙ୍କା ହରାଇଛନ୍ତି। ପ୍ରାୟ ମାସକ ମଧ୍ୟରେ ସେ ଏତେ ଟଙ୍କା ନିବେଶ କରିଦେଲେ । ଗୁରୁତ୍ୱପୂର୍ଣ୍ଣ ହେଉଛି ସେ ଜଣେ ବ୍ୟାଙ୍କ୍ ଅଧିକାରୀ ହୋଇ ବି ଜାଲ୍ ଆପ୍କୁ ଜାଣିପାରିଲେନି ।