ଭୁବନେଶ୍ୱର, ୮/୭ : ବିଗତ ୩ ଦିନରେ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ସମାନ ତରିକାରେ ଅପରାଧ ପାଇଁ ୨ଜଣଙ୍କୁ ଗିରଫ କଲାଣି । ରବିବାର କଟକ ଜଗତପୁରରୁ ବିଶ୍ୱଜିତ୍‌ ସାହୁଙ୍କୁ ଉଠାଇଥିଲା । ମଙ୍ଗଳବାର ଅନୁଗୁଳର ମନୋରଞ୍ଜନ ପ୍ରଧାନ ଗିରଫ ହୋଇଛନ୍ତି । ଉଭୟ ଗିରଫଦାରିରେ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଦୁଇ ଅଭିଯୁକ୍ତ କୃତ୍ରିମ ବୁଦ୍ଧିମତା (ଏଆଇ) ଯୋଗେ ଶାସକ ଦଳର ନେତାଙ୍କ ଚରିତ୍ର ସଂହାର କରୁଛନ୍ତି । ବିଭ୍ରାନ୍ତିକର ତଥ୍ୟ ସହ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ୨୦୨୪ ମାର୍ଚ୍ଚରେ ଜଣେ ଆଗ ଧାଡି଼ର କଂଗ୍ରେସ ନେତ୍ରୀ ଥାନାର ଦ୍ୱାରସ୍ଥ ହେଲେ । ଅଭିଯୋଗ କରିଥିଲେ, ସୁଧିର କୁମାର ସୁଧିର ନାମକ ଫେସବୁକ୍‌ ପ୍ରୋଫାଇଲ୍‌ ତାଙ୍କ ଚରିତ୍ର ସଂହାରରେ ଲାଗିଥିଲା । ପୁଲିସ ୩-୪ ଦିନରେ ବାଲେଶ୍ୱରରୁ ଫେସବୁକ ଆକାଉଣ୍ଟଧାରୀକୁ ଉଠାଇ ଆଣିଥିଲା । ଅବଶ୍ୟ, ଯୁବକଙ୍କ ପରିବାର ଲୋକ କାକୁତିମିନତି ହେବାରୁ ନେତ୍ରୀଜଣକ ସହୃଦୟ ଦେଖାଇ ଯୁବକଙ୍କୁ ମାମଲାରେ ଛନ୍ଦି ନ ଥିଲେ । 

କେବଳ ଏତିକି ନୁହେଁ, ଶାସକ ଦଳର ଅଭିଯୋଗ କ୍ରମେ ସୁନିଲ ଜେନା ନାମକ ବ୍ୟକ୍ତିଙ୍କୁ ଟାର୍ଗେଟ କରିଛି ସାଇବର ଥାନା ପୁଲିସ । ତାଙ୍କୁ ଧରିବାକୁ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଢ଼ିଛି । ଓଡି଼ଶାର ବିଶିଷ୍ଟ ରାଜନେତାଙ୍କୁ ନେଇ ସେ ଫେସବୁକ୍‌ରେ ବିଭ୍ରାନ୍ତିକର ଓ ଅପମାନଜନକ ଟିପ୍ପଣୀ ଦେଉଥିବା ଅଭିଯୋଗ ଉଠିଛି । ଉପରୋକ୍ତ ୩ଟି ଘଟଣାକୁ ପରଖିଲେ, ସୋସିଆଲ ମିଡିଆ ୟୁର୍ଜର୍ସଙ୍କ ଚରିତ୍ର ସଂହାର ଓ ନାନା ବିଭ୍ରାନ୍ତିକର ପୋଷ୍ଟକୁ ନେଇ ସାଇବର ଥାନା ପୁଲିସ ବେଶ୍‌ ତତ୍ପର ବୋଲି ଲାଗୁଥିବ । କିନ୍ତୁ ବାସ୍ତବ ଚିତ୍ର ପୂରା ଭିନ୍ନ । କାହିଁକି ନା, ଗତବର୍ଷ ନଭେମ୍ବରରେ ଫେସ୍‌ବୁକରେ ବ୍ଲାକ୍‌ମେଲିଂର ଅଭିଯୋଗ ଆଣିଥିଲେ ଇନ୍‌ଫୋସିଟି ଅଞ୍ଚଳର ଜଣେ କର୍ମଜୀବୀ ଯୁବତୀ । ପୁଲିସ ମାମଲା ରୁଜୁ କଲା ସତ, କିନ୍ତୁ ଆଜି ଯାଏଁ ଅପରାଧୀକୁ ଧରିପାରିଲାନି । ସମ୍ବଲପୁର, କଟକ, ବାଲେଶ୍ୱର, ସୁନ୍ଦରଗଡ଼ ସମେତ ଅନ୍ୟ ଜିଲ୍ଲାର ସାଇବର ଥାନାରେ ମଧ୍ୟ ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁନି। 

ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ତଥ୍ୟ ମୁତାବକ, ୨୦୨୪ ମସିହାରେ ସାରା ରାଜ୍ୟରେ ମୋଟ ୨,୫୦୧ଟି ସାଇବର ଅପରାଧଜନିତ ମାମଲା ରୁଜୁ ହୋଇଥିଲା । ସର୍ବାଧିକ ୭୨୭ଟି ମାମଲା ବୈଦ୍ୟୁତିକ ମାଧ୍ୟମରେ ଆପତ୍ତିଜନକ ଫଟୋ, ଭିଡିଓ ଭାଇରାଲଜନିତ । ବାସ୍ତବରେ କାଁ ଭାଁ ଅଭିଯୋଗକାରୀ ଥାନାର ଦ୍ୱାରସ୍ଥ ହେଉଛନ୍ତି । ଲୋକଲଜ୍ଜା ଭୟରେ ଅଧିକାଂଶ ମୁହଁ ଖୋଲୁନାହାନ୍ତି । ତଥାପି, ସୋସିଆଲ ମିଡିଆରେ ପ୍ରତିଦିନ ଏଭଳି ଶହ ଶହ ବ୍ୟକ୍ତିଙ୍କ ଇଜ୍ଜତ ବାଜିରେ ଲାଗୁଥିବା ଅଭିଯୋଗ ଉଠୁଛି । ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ଖେଳାଇଲେ, ସେମାନଙ୍କ ଚରିତ୍ର ସଂହାର ପାଇଁ ହୀନ ଉଦ୍ୟମ କରାଯାଉ ଥିବାର ସ୍ପଷ୍ଟ ପ୍ରମାଣ ମଧ୍ୟ ମିଳିଯିବ । କିନ୍ତୁ ଏସବୁ ବ୍ୟକ୍ତିଙ୍କୁ ନ୍ୟାୟ ଦେବାରେ ପୁଲିସ ପଛଘୁଞ୍ଚା ଦେଉଛି । ସଦ୍ୟ ୨ ଅଭିଯୁକ୍ତଙ୍କ ଗିରଫଦାରି ଭଳି ପୁଲିସ ସ୍ୱାଭାବିକ ଭାବେ କିଛି ବି ପଦକ୍ଷେପ ନେଉନି । 

କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲ୍‌ ସମେତ ପ୍ରତି ପୁଲିସ ଜିଲ୍ଲାରେ ଥିବା ସାଇବର ଥାନାରେ ସ୍ୱତନ୍ତ୍ର ଭାବେ ଏକ ସୋସିଆଲ ମିଡିଆ ପାଟ୍ରୋଲିଂ ୟୁନିଟ୍‌ ଖୋଲାଯାଇଛି । ଜଣେ ଇନ୍ସପେକ୍ଟର ପାହ୍ୟା ଅଧିକାରୀଙ୍କ ନେତୃତ୍ୱରେ ଏହି ୟୁନିଟ୍‌ର କାମ ହେଉଛି, ପ୍ରତିଦିନ ସୋସିଆଲ ମିଡିଆରେ ଏହିଭଳି ସନ୍ଦିଗ୍ଧ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା । କୌଣସି ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଯଦି କେହି ଏଆଇ ଓ ମର୍ଫିଂକୁ ଅସ୍ତ୍ର କରି ସୋସିଆଲ ମିଡିଆରେ ଅସାମ୍ବିଧାନିକ, ଅପମାନଜନକ, ଅଶ୍ଲୀଳ, ମିଥ୍ୟା ଓ ବିଭ୍ରାନ୍ତିକର ଭିଡିଓ ପୋଷ୍ଟ କରୁଛି ନଚେତ୍‌, କେହି କାହାରି ଚରିତ୍ର ସଂହାର ଉଦ୍ଦେଶ୍ୟରେ ଅଶ୍ଳୀଳ କମେଣ୍ଟ ଓ ବ୍ଲାକମେଲିଂ କରୁଛି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବ । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସର୍ବସାଧାରଣଙ୍କ ପାଇଁ ୟୁନିଟ୍‌ ଗଢ଼ାଯାଇଥିଲେ ହେଁ ବାସ୍ତବରେ କେବଳ ସରକାରୀ ଓ ଶାସକ ଦଳ ପାଇଁ କାମ କରାଯାଉଛି । ବିଶେଷକରି, ରାଜନେତାଙ୍କ ବିରୋଧରେ କେହି ଘୃଣ୍ୟ ଟିପ୍ପଣୀ ରଖିଲେ, ରାଜନୈତିକ ଛବି ମଳିନ ପାଇଁ ଉଦ୍ୟମ କଲେ । ଗୁଇନ୍ଦା ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହାଛଡ଼ା ସାମ୍ପ୍ରଦାୟିକ ମତଭେଦ ଓ ଗୁଜବ ପ୍ରଚାର କ୍ଷେତ୍ରରେ ମଧ୍ୟ ୟୁନିଟ୍‌ ସକ୍ରିୟ ରହୁଛି । କିନ୍ତୁ ସାଧାରଣ ଜନତାଙ୍କ କଥା କିଏ ପଚାରେ ?

ଆହୁରି ପଢନ୍ତୁ- AI Cyberattack: ପ୍ରଥମ ସାଇବର ଆକ୍ରମଣ କଲା AI, ହ୍ୟାକର୍ ବଦଳରେ ମେସିନ୍ ମାଗିଲା ଟଙ୍କା

ଅନଲାଇନ ସପିଂରେ ଡାର୍କ ପାଟର୍ଣ୍ଣ ଖେଳ | Dark Pattern Game in Online Shopping​​​​​​​