ଭୁବନେଶ୍ୱର, ୧୬।୧୨ : ସାଇବର ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ଗୃହ ବିଭାଗରେ ଦଶ ହଜାର ନୂଆ ପଦବୀ ସୃଷ୍ଟି କରାଯିବ । ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବ। ପାଟ୍ରୋଲିଂ ପାଇଁ ପ୍ରତି ଥାନାକୁ ୯ଟି ବାଇକ୍ ଦିଆଯିବ ବୋଲି ୬୯ ତମ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆସନ୍ତା ଜାନୁୟାରୀ ମାସ ୮, ୯ ,୧୦ ରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଳନ ରାଜ୍ୟପାଇଁ ଓ ବିଶେଷ କରି ପୋଲିସ ବିଭାଗ ପାଇଁ ଏକ ବଡ଼ ଗୁରୁ ଦାୟିତ୍ବ ରହିଛି। ପୂର୍ବରୁ ସର୍ବ ଭାରତୀୟ ଡିଜି ସମ୍ମିଳନୀ ସୁରକ୍ଷା ବ୍ୟବସ୍ଥାକୁ ରାଜ୍ୟ ପୋଲିସ ସୁରୁଖୁରୁରେ ସମ୍ପନ୍ନ କରିଛନ୍ତି। ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ମାଓବାଦ ମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି । ବଣାଇ ଓ କନ୍ଦରପୁର୍ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ଓଡ଼ିଶା ପୋଲିସ୍ ପାଇଁ ବଡ ସଫଳତା। ପୋଲିସକୁ ସଶକ୍ତ କରିବା ପାଇଁ ୯ ହଜାର ବାଇକ୍ ଯୋଗାଇ ଦିଆଯିବ। ଯେଉଁଥିରେ ପ୍ରତ୍ୟେକ ଥାନାକୁ ୯ ଟି ବାଇକ୍ ଯୋଗାଇ ଦିଆଯିବ। ପ୍ରତ୍ୟେକ ଜିଲ୍ଲାରେ ସାଇବର ଥାନା ପ୍ରତିଷ୍ଠା କରାଯିବ। ଗୃହ ବିଭାଗରେ ଦଶ ହଜାର ନୂଆ ପଦବୀ ସୃଷ୍ଟି କରାଯିବ। ତନ୍ମଧ୍ୟରୁ ପାଞ୍ଚ ହଜାରରୁ ଉର୍ଦ୍ଧ ଗୃହରକ୍ଷୀ ପଦବୀ ପୂରଣ କରାଯିବ। ରାଜ୍ୟରେ ଅପରାଧ କିମ୍ବା ଅପରାଧୀ ମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଯିଏ ଅପରାଧ କରିବ ତାକୁ ଆଇନ୍ କେବେ କ୍ଷମା କରିବ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଭର୍ଚୁଆଲ ମୋଡ୍ରେ ପୁରୀ ଜିଲ୍ଲାର ତିନି ନୂଆ ଥାନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ୩ ନୂଆ ଥାନା ହେଲା ବଳଙ୍ଗା, ଅସ୍ତରଙ୍ଗ, ଡେଲାଙ୍ଗ ଥାନା।
ଡିସେମ୍ବର ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ଧରି ଚାଲିଥିଲା ଏହି ପ୍ରତିଯୋଗିତା। ଓଡ଼ିଶାର ମୋଟ ୩୭ ଟି ପୋଲିସ ଜିଲ୍ଲାରୁ ୩୧୭ ପ୍ରତିଯୋଗୀ ଓ ବିଭିନ୍ନ ଜିଲ୍ଲାରୁ ୩୭ ଟି ସନ୍ଧନୀ କୁକୁର ଭାଗ ନେଇଥିଲେ। ପୋଲିସ ବୃତ୍ତିଗତ ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଜିପି ୱାଇ.ବି ଖୁରାନିଆଙ୍କ ସମେତ ରାଜ୍ୟ ପୁଲିସ୍ ବାହିନୀର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।