ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ

Published By : Prameya | October 25, 2024 8:38 AM

ଭୁବନେଶ୍ୱର ୨୫/୧୦: ରାତି ପ୍ରାୟ ୧୨ଟା  ୫ ମିନିଟ୍‌ରେ ଭିତରକନିକା ଓ ଧାମରା ପାଖରେ ମାଡ଼ ହୋଇଛି ବାତ୍ୟା ଦାନା । ପ୍ରଚଣ୍ଡ ପବନ ସହ  ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ସମୁଦ୍ର ଜୁଆର  ବି ଡରାଇଲା ଭଳି ମାଡ଼ ହୋଇଛି । ପାଖାପାଖି ୧୦୦  କିଲୋମିଟର ଗୋଲେଇରେ କେନ୍ଦ୍ରାପଡ଼ା ଓ ଭଦ୍ରକ  ଜିଲ୍ଲାରେ ତାଣ୍ଡବ ରଚାଇଛି । ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ  ମହାପାତ୍ରଙ୍କ ସୂଚନା ଅନୁଯାୟୀ ଭୀଷଣକାୟ ବାତ୍ୟାର  ଲ୍ୟାଣ୍ଡଫଲ୍‌ (ସ୍ଥଳଭାଗରେ ପ୍ରବେଶ କରିବା) ପ୍ରକ୍ରିୟା ପ୍ରାୟ  ସକାଳ ଯାଏ ଲାଗି ରହିଥିଲା । ସ୍ଥଳଭାଗ ଛୁଇଁବା ବେଳକୁ  ପବନ ପିଟୁଥିଲା ୧୦୦ରୁ ୧୧୦ କିଲୋମିଟର ବେଗରେ ।  

କେନ୍ଦ୍ରାପଡ଼ାର ରାଜନଗର, ଗୁପ୍ତୀ, ଜମ୍ବୁ,  ମହାକାଳପଡ଼ା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇରେ କ୍ଷୟକ୍ଷତି  ହୋଇଥିବା ପ୍ରାଥମିକ ଖବର ମିଳିଛି । ବହୁ ସ୍ଥାନରେ  ଗଛ ଭାଙ୍ଗି ଉପୁଡ଼ି ଯିବା ସହ କିଛି କଚ୍ଚା ଘର ନଷ୍ଟ  ହୋଇଛି । ଚାଳ ଓ ପଲିଥିନ ଛପର ଉଡ଼ାଇ ଦେଇଛି ।  କିନ୍ତୁ ଯେଭଳି ଆଶଙ୍କା ହେଉଥିଲା ସେଭଳି ଭୟାନକ  ପବନ ଓ ବର୍ଷା ହୋଇନି । ଉପକୂଳ ଓଡ଼ିଶାର କିଛି  ସ୍ଥାନରେ ଲଗାଣ ବର୍ଷା ହୋଇଛି । 

ବିଳମ୍ବିତ ରାତିରେ ପବନର ସୁ-ସୁ ଶବ୍ଦ ସାଙ୍ଗକୁ  ବାଦଲଫଟା ବର୍ଷା କେନ୍ଦ୍ରାପଡ଼ା ଓ ଭଦ୍ରକର ଉପକୂଳ  ଅଞ୍ଚଳକୁ ଡରାଇ ଦେଇଥିଲା । ପ୍ରବଳ ବର୍ଷାରେ  ହାତଗଣତି ତଳିଆ ଅଞ୍ଚଳରେ ପାଣି ପଶିଥିଲା ।  ‘ଦାନା’ର ସମ୍ଭାବ୍ୟ ଗତିପଥ ଓ ପୂର୍ବାନୁମାନ ଯାହା,  ଶୁକ୍ରବାର ରାତି ସାଢ଼େ ୧୧ଟା ଯାଏ ବାତ୍ୟାର ପ୍ରକୋପ  ଥମିବନି । ୧୬ ଜିଲ୍ଲାରେ ଆକସ୍ମିକ ବନ୍ୟା ମାଡ଼ି  ଆସିବା ଆଶଙ୍କା ଏବେ ବି ଟଳିନି । ପାଣିପାଗ ବିଭାଗ ଏହା ସତର୍କ କରାଇଛି ।

ଗୁରୁବାର ମଝି ରାତିରୁ ବାତ୍ୟା ସ୍ଥଳଭାଗ  ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରାତି ସାଢ଼େ  ୧୧ଟାରେ ଭୀଷଣ ବାତ୍ୟା ରୂପରେ ଗହୀରମଥା  ପାଖ ଚେନ୍ନାଇ-କଲିକତା ଫେରି(ଜାହାଜ  ଚଳାଚଳ) ରୁଟ୍‌ ପାଖରେ ପହଞ୍ଚିଥିଲା । ଗୁରୁବାର  ମଧ୍ୟ ରାତ୍ରିରେ ଭିତରକନିକା ଭିତରେ ପଶିଲା ।  ସେତେବେଳେ ଏହା ଭୀଷଣ ବାତ୍ୟା ରୂପରେ ଥିଲା ।  ରାଜନଗର ପାଖରେ ଘଷି ହୋଇ ଆଗକୁ ବଢ଼ିଲା । ସମ୍ଭାବ୍ୟ ଗତିପଥ ଯାହା, ବାତ୍ୟା କେନ୍ଦ୍ରାପଡ଼ା  ପରେ ଭଦ୍ରକ ଦେଇ କେନ୍ଦୁଝର ଆଡ଼କୁ ମୁହାଁଇବ ।  

ଶୁକ୍ରବାର ଦିନ ସାଢ଼େ ୧୧ଟା ବେଳକୁ ଚାନ୍ଦବାଲି  ଦେଇ କେନ୍ଦୁଝରର ହାଟଡିହି ପାଖରେ ପହଞ୍ଚିବ ।  ସେଠାରେ ପହଞ୍ଚିବାବେଳକୁ ‘ଦାନା’ ଦୁର୍ବଳ ହୋଇ  ବାତ୍ୟା ଅବସ୍ଥାକୁ ଖସି ଆସିଥିବ । ଶୁକ୍ରବାର ରାତି  ସାଢ଼େ ୧୧ଟା ବେଳକୁ ହାଟଡିହିରୁ ଯାଜପୁରର  ଦୈତାରୀ ଖଣି ଉପର ଦେଇ ତେଲକୋଇ ଆଡ଼କୁ  ଯାଇପାରେ । ସେଠାରେ ଏହା ଆହୁରି ଦୁର୍ବଳ ହୋଇ  ଗଭୀର ଅବପାତ ଅବସ୍ଥାକୁ ଖସିପାରେ । ପବନ ବେଗ କମିଲେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି ।ତେଲକୋଇ ପାଖରେ ପହଞ୍ଚିଲାବେଳକୁ ଏହା ଅବପାତ  କିମ୍ବା ଲଘୁଚାପ ଅବସ୍ଥାରେ ଥିବ । ୨୬ ତାରିଖ ବେଳକୁ  ସୋନପୁର, ବୌଦ୍ଧ ଓ କନ୍ଧମାଳରେ ପହଞ୍ଚିପାରେ । 

ବାତ୍ୟା ପ୍ରଭାବରେ ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ  ସ୍ଥାନରେ ବର୍ଷା, ପବନ ଆରମ୍ଭ ହୋଇଥିଲା । ଭଦ୍ରକର  ଚାନ୍ଦବାଲି ଓ ଧାମରାରେ ୭୦ରୁ ୮୦ କିମି ବେଗରେ ପବନ  ବହିଥିଲା ଅପରାହ୍ନରେ । ଏଥିରେ ଅନେକ ସ୍ଥାନରେ ଗଛ  ଉପୁଡ଼ି ରାସ୍ତାରେ ପଡ଼ିଥିଲା । ବାତ୍ୟା କୋପରେ ଜୁଆର  ଉଠିବାରୁ ଧାମରାର ଲଙ୍ଗରରେ ଲାଗିଥିବା ମାଛଧରା ଟ୍ରଲର  ବୁଡ଼ି ଯାଇଥିଲା । ଆଉ କିଛି ଟ୍ରଲରରେ ଫସି ରହିଥିବା  ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ପବନ ସାଙ୍ଗକୁ  ପ୍ରବଳ ବର୍ଷା ହୋଇଛି । ଭିତରକନିକା ଅଞ୍ଚଳରେ ପ୍ରବଳ  ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ାର ରାଜନଗର ଓ  ମହାକାଳପଡ଼ାରେ ବର୍ଷା ଓ ପବନ ଜାରି ରହିଥିଲା ।  

ପାରାଦୀପରେ ବି ଦିନ ତମାମ ବର୍ଷା ଲାଗି ରହିଥିଲା । ସନ୍ଧ୍ୟା  ସୁଦ୍ଧା ପାରାଦୀପରେ ୪୦.୬ ମିମି ବର୍ଷା ହୋଇଥିବାବେଳେ  ଚାନ୍ଦବାଲିରେ ୩୩.୯, ବାଲେଶ୍ୱରରେ ୨୭.୬, ପୁରୀରେ  ୧୫.୭ ଓ ଭୁବନେଶ୍ୱରରେ ୧୫.୨ ମିମି ବର୍ଷା ହୋଇଛି ।  ପୁରୀର ଅସ୍ତରଙ୍ଗ ଓ କୋଣାର୍କରେ ବି ବର୍ଷା ହୋଇଛି ।  ରାଜଧାନୀ ଭୁବନେଶ୍ୱରରେ ଝିପିଝିପି ବର୍ଷା ଲାଗି ରହିଥିଲା । ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୧୬ ଜିଲ୍ଲାରେ  ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଅନୁଗୁଳ,  ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି,  ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀରେ ଆକସ୍ମିକ ବନ୍ୟା  ସ୍ଥିତି ଉପୁଜିପାରେ । 

ଶୁକ୍ରବାର ଯାଜପୁର, ଭଦ୍ରକ, ପୁରୀ,  ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ  ଅନୁଗୁଳରେ ଅତି ଭୀଷଣ ବର୍ଷା ଆଶଙ୍କା ଅଛି । ଏହି ୯ଟି ଜିଲ୍ଲା  ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ବୌଦ୍ଧ ଓ ସୋନପୁରରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହେବ । ଏଠାରେ ୭୦ରୁ ୨୦୦ମିମି ବର୍ଷା  ହୋଇପାରେ । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି  ହୋଇଛି । ଗଞ୍ଜାମ, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା,  ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି ।  

୨୬ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା,  ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ସତର୍କ କରାଇଛି । ଗୁରୁବାର ସନ୍ଧ୍ୟାରେ  ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ  ମହାପାତ୍ର କହିଥିଲେ, ବାତ୍ୟା ଲ୍ୟାଣ୍ଡଫଲ୍‌ ପରେ ପବନର ବେଗ ବଢ଼ି ୧୦୦ରୁ ୧୨୫ କିମି ଛୁଇଁପାରେ । ସମୁଦ୍ରରେ  ଜୁଆର ଆସି ତଳିଆ ଅଞ୍ଚଳକୁ ଲୁଣି ପାଣି ମାଡ଼ି ଆସିପାରେ ।  ୧ରୁ ୨ ମିଟର ଉଚ୍ଚ ସାମୁଦ୍ରିକ ଜୁଆର ଉଠିପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.