ଭୁବନେଶ୍ୱର,୨୧/୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ନେଇ ଏକ  ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ  ଆହୁଜାଙ୍କ ସମେତ ଏସ୍‌ଆରସି ଦେଓରଞ୍ଜନ କୁମାର ସିଂ, ଉନ୍ନୟନ କମିସନର ଅନୁ ଗର୍ଗ  ଓ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହି ରଣନୀତି ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା  ଥିବାରୁ ସେଥିପାଇଁ କ’ଣ ସବୁ ବ୍ୟବସ୍ଥା କରାଯିବ ତାକୁ ନେଇ ଆଲୋଚନା କରାଯାଇଛି ।  

ବାତ୍ୟା ଓ ଏହାର ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ  ପରିଚାଳନା ସବୁଠାରୁ ବଡ଼ ଚାଲେଞ୍ଜ । ତେଣୁ ବାତ୍ୟା ପ୍ରଭାବିତ ଲୋକଙ୍କ ପାଖରେ  କିଭଳି ଔଷଧ ପହଞ୍ଚାଯାଇପାରିବ, ଏହାସହ କିଛି ଅଘଟଣ ଘଟିଲେ ଲୋକମାନଙ୍କୁ  କିଭଳି ତୁରନ୍ତ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇପାରିବ ତା ଉପରେ  ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି । ବାତ୍ୟାବେଳେ ଗର୍ଭବତୀଙ୍କ ସୁରକ୍ଷା, ବାତ୍ୟା  ପରେ ଡାଇରିଆ ହେଲେ ତାର କିପରି ମୁକାବିଲା କରାଯାଇପାରିବ ତା’ ଉପରେ  ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ସମସ୍ତ ପ୍ରକାର ଔଷଧ ମହଜୁଦ ରଖିବା ପାଇଁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବାତ୍ୟା ବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ଡାକ୍ତରଖାନାରେ ଜେନେରେଟର୍‌ ଚଳାଇ କିଭଳି ଚିକିତ୍ସା କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି।