ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

'ଦାନା'ର ତାଣ୍ଡବ ବେଳେ ଜନ୍ମ ନେଲେ ୧୬୦୦ ଶିଶୁ, ସମସ୍ତ ନବଜାତକ ଓ ମା’ ସୁସ୍ଥ

Published By : Prameya | October 25, 2024 8:03 AM

ଭୁବନେଶ୍ୱର,୨୫/୧୦: ବାତ୍ୟା ‘ଦାନା’  ପ୍ରକୋପରୁ ଜୀବନ ରକ୍ଷା ପାଇଁ ଗୁରୁବାର ରାତି ସୁଦ୍ଧା ୬ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିରାପଦ ଭାବେ ସ୍ଥାନାନ୍ତର କରାଯାଇଛି । ୪୪୩୧ ଗର୍ଭବତୀ  ମହିଳାଙ୍କୁ ସୁରକ୍ଷିତ ପ୍ରସବ ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ରାତି ସୁଦ୍ଧା ୧୬୦୦ ଗର୍ଭବତୀ ଶିଶୁ ଜନ୍ମ ଦେଇଛନ୍ତି ।  

ବାତ୍ୟା ସମୟରେ ରାଜ୍ୟରେ ଜନ୍ମନେଲେ ୧୬୦୦ ନବଜାତ ଶିଶୁ। ସମସ୍ତ ନବଜାତକ ଓ ମା ମାନେ ସୁସ୍ଥ ଥିବା ଜଣାପଡିଛି। ଏସଆରସିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାତ୍ୟା ପୂର୍ବରୁ ଗର୍ଭବତୀ ଓ ପ୍ରସୂତୀ ମାନଙ୍କୁ ମେଡ଼ିକାଲକୁ ଅଣାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲଗାତାର  ସ୍ଥିତି ଉପରେ ନଜର ରଖିଛନ୍ତି । ଘନଘନ ବୈଠକ  ଚଳାଇଛନ୍ତି ସକାଳୁ ରାତି ଅଧ ଯାଏ । ମଧ୍ୟାହ୍ନରେ  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା  କରିବା ସହ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ,  ଦାୟିତ୍ୱରେ ଥିବା ମନ୍ତ୍ରୀ, ବରିଷ୍ଠ ଅଧିକାରୀଙ୍କ ସହ  କଥା ହୋଇଥିଲେ । ବିଳମ୍ବିତ ରାତିରେ ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀଙ୍କ ସହ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ  ରେଡକ୍ରସ ଭବନରେ । ସେଠାରେ ପ୍ୟାକିଂ ହେଉଥିବା  ରିଲିଫ ସାମଗ୍ରୀର ତଦାରଖ କରିଥିଲେ । ନିଜେ ଚୁଡ଼ା,  ବିସ୍କୁଟ ଆଦି ଖାଇ ଏହାର ମାନ ପରୀକ୍ଷା କରିଥିଲେ ।  ସେତିକି ନୁହେଁ, ରାତି ଅଧରେ ସ୍ୱତନ୍ତ୍ର ରିଲିଫ  କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ପରଖିଥିଲେ । ବିଳମ୍ବିତ ରାତିରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।  

ଓଡ଼ିଶାରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ଖୋଦ୍‌  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ଶାହ ଫୋନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ  କଥା ହୋଇଛନ୍ତି । ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ଉଭୟ  ପ୍ରଶଂସା କରିବା ସହ କେନ୍ଦ୍ରରୁ ସବୁ ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।  ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି, ବାତ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ଜଣେ ବି କେହି ମୃତାହତ ହୋଇନାହାନ୍ତି । ପଶୁ ସମ୍ପଦର ବି  କୌଣସି କ୍ଷୟକ୍ଷତି ହୋଇନାହିଁ। କୌଣସି ଘର ନଷ୍ଟ  ହୋଇନାହିଁ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମ  ଉପରେ ଏମିତି ରହୁ । ମନ୍ତ୍ରୀ ଓ ଅଫିସରମାନେ  ବ୍ଲକ ଓ ଗାଁରେ ଡେରା ପକାଇ ସ୍ଥିତି ପରଖୁଛନ୍ତି ।  ପ୍ରଭାବିତ ହେଉଥିବା ଜିଲ୍ଲାର ଜିଲ୍ଲାପାଳ, ବିଧାୟକ,  ସାଂସଦ ଓ ମନ୍ତ୍ରୀମାନଙ୍କ ସହ ବି କଥା ହୋଇ ସ୍ଥିତି ବାବଦରେ ରିପୋର୍ଟ ନେଇଛି । 

ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରୁ ରାତି ସୁଦ୍ଧା ୫ ଲକ୍ଷ  ୮୪ ହଜାର ୮୮୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି  ସଂଖ୍ୟା ୬ ଲକ୍ଷ ପାର୍‌ କରିଯିବ । ବାଲେଶ୍ୱରରେ ୧ ଲକ୍ଷ  ୭୨ ହଜାର ୯୧୬ଜଣ, ମୟୂରଭଞ୍ଜରେ ୧ ଲକ୍ଷ, ଭଦ୍ରକରେ  ୭୫ ହଜାର, ଯାଜପୁରରେ ୫୮ ହଜାର, କେନ୍ଦ୍ରାପଡ଼ାରେ  ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆଶ୍ରୟସ୍ଥଳୀ  ସଂଖ୍ୟା ୮୩୮୨କୁ ବୃଦ୍ଧି ପାଇଥିବାବେଳେ ସେଥିରୁ ୬୦୦୮ଟି  କାର୍ଯ୍ୟକ୍ଷମ ରହିଛି । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଯୋଜନା  ତାହା ଶତ ପ୍ରତିଶତ କାର୍ଯ୍ୟକାରୀ ହୋଇଛି । ରିଲିଫରେ  ଚୁଡ଼ା, ଗୁଡ଼, ଚିନି, ବିସ୍କୁଟ, ଶିଶୁ ଖାଦ୍ୟ ଓ ମହମବତୀ  ବ୍ୟବସ୍ଥା ହୋଇଛି । ୧୯ ହଜାର ୪୭୬ ପଶୁ ସମ୍ପଦକୁ ଉଚ୍ଚ  ସ୍ଥାନରେ ଥିବା ଆଶ୍ରୟସ୍ଥଳୀରେ ରଖାଯାଇଛି । ଗୋଖାଦ୍ୟ  ସବୁ ସ୍ଥାନରେ ପହଞ୍ଚିଛି । ସବୁଠି ଗୋଖାଦ୍ୟ ପହଞ୍ଚିଛି ।  

ବାତ୍ୟା ସ୍ଥଳଭାଗ ଛୁଇଁଲା ପରେ ସମ୍ଭାବ୍ୟ ଗତିପଥ  ସାମାନ୍ୟ ପରିବର୍ତ୍ତନ ହୋଇ କେନ୍ଦୁଝର ଦେଇ ଢେଙ୍କାନାଳ,  ଅନୁଗୁଳ ଆଡ଼କୁ ମୁହାଁଇପାରେ । ଏଥିପାଇଁ ଉପରୋକ୍ତ  ଜିଲ୍ଲାରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ ସବୁ ଅଞ୍ଚଳରେ  ପବନ ପହଞ୍ଚିଲାବେଳକୁ ପବନର ବେଗ କମିବା ସହ ବର୍ଷା  ବି କମିଥିବ । ତା’ ଛଡ଼ା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର  ନିୟନ୍ତ୍ରଣରେ ଅଛି । ତେଣୁ ପ୍ରତିକୂଳ ପରିସ୍ଥିତି ଉପୁଜି ନପାରେ ।  

ଏସ୍‌ଆରସି କାର୍ଯ୍ୟାଳୟର ସୂଚନା ଅନୁସାରେ ୧୧ଟି  ଜିଲ୍ଲାର ୬୪ଟି ବ୍ଲକର ୨୧୬୩ଟି ଗାଁ, ୧୩ଟି ସହରାଞ୍ଚଳର  ୬୪ଟି ୱାର୍ଡ ବାତ୍ୟାରେ ପ୍ରଭାବିତ ହେଉଛି । ଗୁରୁବାର ସନ୍ଧ୍ୟା  ସୁଦ୍ଧା ୮୬୨ କୁଇଣ୍ଟାଲ ଚୁଡ଼ା, ୯୭ କୁଇଣ୍ଟାଲ ଗୁଡ଼ ରିଲିଫ  ଆକାରରେ ବଣ୍ଟା ହୋଇଛି । ଲଗାଣ ବର୍ଷା ଯୋଗୁ ୫ଶହରୁ  ଅଧିକ ଗୃହ ପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । ସମୀକ୍ଷା  ବେଳେ ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲିଟି, ଡାକ୍ତରଖାନାରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ  ପରିମାଣର କିରୋସିନ, ପେଟ୍ରୋଲ, ଡିଜେଲ ମହଜୁଦ  ରଖିବା ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  

ବାତ୍ୟା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନ୍ସଫର୍ମର ତୁରନ୍ତ  ମରାମତି କରି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପୁନଃକ୍ଷମ  କରିବା ପାଇଁ ଅତିରିକ୍ତ ଟିମ୍‌ ମହଜୁଦ ରଖିବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ୨୧୩ଟି ଡାକ୍ତରୀ  ଦଳ, ୧୨୦ଟି ପଶୁ ଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି ।  ସନ୍ଧ୍ୟା ସୁଦ୍ଧା ୩୮୫ଟି ତ୍ୱରିତ କାର୍ଯ୍ୟ ନିର୍ବାହୀକୁ ନିୟୋଜିତ  କରାଯାଇଛି । ସେଥିମଧ୍ୟରୁ ୧୯ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌,  ୫୧ଟି ଓଡ୍ରାଫ ଟିମ୍‌, ୯୫ଟି ଓଏଫ୍‌ଡିସି ଓ ୨୨୦ଟି ଅଗ୍ନିଶମ  ବାହିନୀକୁ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି । ଗ୍ରାମ୍ୟ  ଉନ୍ନୟନ ବିଭାଗ ତରଫରୁ ରାସ୍ତା ସଫା ଓ ସଂଯୋଗୀକରଣ  ପାଇଁ ୨୫୬ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ସେହିଭଳି  ବାତ୍ୟା ପରବର୍ତ୍ତୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ତୀକ୍ଷଣ ନଜର  ରଖିଛନ୍ତି ସରକାର । ଏ ସମ୍ପର୍କରେ ବିଭାଗୀୟ ସଚିବ ଅନୁ  ଗର୍ଗ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।  ଲଗାଣ ବର୍ଷା ଯୋଗୁଁ ଜଳ ଭଣ୍ଡାରଗୁଡିକର ସ୍ଥିତି ସମ୍ପର୍କରେ  ଜଳ ସମ୍ପଦ ବିଭାଗ ନଜର ରଖିଛି । ଜଳଭଣ୍ଡାରଗୁଡ଼ିକର  ଜଳସ୍ତର କମ ଅଛି । ତେବେ ସ୍ଥିତିକୁ ଦେଖି ଜଳ ଭଣ୍ଡାର  ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.