ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାତ୍ୟା ‘ଦାନା’ର ପ୍ରଭାବ: ପୁରୀକୁ ୯୦ କିମି ବେଗରେ ହେବ ପବନ ଝଟକା, ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି

Published By : Prameya | October 24, 2024 12:13 PM

ପୁରୀ,୨୪/୧୦: ଭୂ-ଭାଗ ଆଡ଼କୁ ମାଡ଼ିଆସୁଥିବା ବାତ୍ୟା ‘ଦାନା’ର ପ୍ରଭାବ ପୁରୀ ଜିଲ୍ଲା  ଉପରେ ପଡ଼ିବ । ପ୍ରାୟ ୬୦ରୁ ୯୦ କିଲୋମିଟର ବେଗର ପବନ ଝଟକା ସାଙ୍ଗକୁ ପ୍ରବଳ ବର୍ଷିବ ।  ତଳିଆ ଅଞ୍ଚଳରେ ପାଣି ଭରିଯିବା ସହ କଚ୍ଚା  ଘର କ୍ଷତି ହେବା ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା  ଦୁଇଦିନ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି  କରାଯାଇଛି । ପ୍ରବଳ ବର୍ଷାରେ ତଳିଆ ଅଞ୍ଚଳ  ବୁଡ଼ିବା ଆଶଙ୍କା ରହିଛି । ଏହାକୁ ନଜରରେ ରଖି  ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସୁରକ୍ଷିତ ଘରେ ଓ  ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଉଦ୍ଧାର କରି  ସୁରକ୍ଷିତ ସ୍ଥାନକୁ ଆଣିବାକୁ ପଦକ୍ଷେପ ଆରମ୍ଭ  ହୋଇଯାଇଛି । ଏନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର  ସ୍ୱାଇଁ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଜିଲ୍ଲାପାଳ କହିଛନ୍ତି, ଲୋକଙ୍କ ଅସୁରକ୍ଷିତ  ସ୍ଥାନରୁ ଉଦ୍ଧାର କରି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳକୁ  ଅଣାଯିବ । ଏଥିନିମନ୍ତେ ଜିଲ୍ଲାରେ ଥିବା ସମସ୍ତ ୧୭୯ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳକୁ  ପ୍ରସ୍ତୁତ କରାଯାଇଛି । ଏହାବାଦ୍‌ ଅସ୍ଥାୟୀ  ୩୭୦ ଆଶ୍ରୟସ୍ଥଳ(ସ୍କୁଲ ଓ କଲେଜ କୋଠା) ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି । ଏଠାରେ  ଲୋକେ ସୁରକ୍ଷିତ ଭାବେ ରହିପାରିବେ । 

ସରକାରଙ୍କ ପକ୍ଷରୁ ଦୁଇଟି ଲେଖାଏଁ ଓଡ୍ରାଫ୍‌  ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପୁରୀରେ ପହଞ୍ଚିଛନ୍ତି ।  ଓଡ୍ରାଫ୍‌ ଟିମ୍‌କୁ ୬ ଭାଗରେ ବିଭକ୍ତ କରି ଗୋଟାଏ  ଲେଖାଏଁ ଦଳକୁ ୫ ସ୍ଥାନ ପିପିଲି, କୋଣାର୍କ,  ଅସ୍ତରଙ୍ଗ, କାକଟପୁର, କୃଷ୍ଣପ୍ରସାଦରେ ମୁତୟନ  ନିମନ୍ତେ ପଠାଇ ଦିଆଯାଇଛି । ଦୁଇଟି ଦଳ ହେଡ୍‌  କ୍ୱାର୍ଟର୍ସରେ ପ୍ରସ୍ତୁତ ଅଛି । ଏନ୍‌ଡିଆର୍‌ଏଫ ଗୋଟିଏ  ଟିମ୍‌ କୃଷ୍ଣପ୍ରସାଦରେ ମୁତୟନ କରାଯାଇଛି । ଆଉ  ଗୋଟିଏ ଟିମ୍‌ ହେଡ୍‌ କ୍ୱାର୍ଟର୍ସରେ ଅଛି । ପାଗକୁ  ଦେଖି ସେମାନଙ୍କୁ ଆବଶ୍ୟକ ସ୍ଥଳକୁ ପଠାଯିବ । ଆପଦମିତ୍ରମାନେ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ରହିଛନ୍ତି । ବାତ୍ୟା ଓ ଏହା ପରବର୍ତ୍ତୀ କ୍ଷୟକ୍ଷତି ନେଇ  ଅସନ୍ତୋଷ ଦେଖାଦେଲେ ପୁଲିସ ଅଭ୍ୟନ୍ତରୀଣ  ଆଇନ ଶୃଙ୍ଖଳା ରକ୍ଷା ଉପରେ ଦୃଷ୍ଟି ରଖିଛି ।  ମେରାଇନ୍‌ ପୁଲିସ, ଲାଇଫ୍‌ ଗାର୍ଡ ଓ କୋଷ୍ଟଗାର୍ଡ  ସୀମା ସୁରକ୍ଷା ଉପରେ ନଜର ରଖିଛନ୍ତି । 

ପୁରୀ ଜିଲ୍ଲାର ସମସ୍ତ ଦମକଳ କେନ୍ଦ୍ର ଓ  ଅଗ୍ନିଶମ ବାହିନୀ ମହଜୁଦ୍‌ ଥିବା ଯନ୍ତ୍ରପାତି ସହ  ଉଦ୍ଧାର କାର୍ଯ୍ୟ ନିମନ୍ତେ ସଜାଗ ରହିଛନ୍ତି । ଏହାବାଦ୍‌  ରାଜ୍ୟର ଅନ୍ୟସ୍ଥାନରୁ ୬ ଅତିରିକ୍ତ ଅଗ୍ନିଶମ ଟିମ୍‌  ଅତ୍ୟାଧୁନିକ ଯନ୍ତ୍ରପାତି ସହ ପୁରୀରେ ଗୁରୁବାର  ସୁଦ୍ଧା ପହଞ୍ଚିବେ । ସେମାନଙ୍କୁ ଆବଶ୍ୟକ ସ୍ଥଳେ  ଉଦ୍ଧାର କାର୍ଯ୍ୟ ନିମନ୍ତେ ମୁତୟନ କରାଯିବ । ସମୁଦ୍ରରୁ ମାଛ ଧରୁଥିବା ୩୭୧୭  ବୋଟ୍‌ ସହ ସମସ୍ତ ମତ୍ସ୍ୟଜୀବୀ କୂଳକୁ  ଫେରିଛନ୍ତି । ପୁରୀର ୨ଟି ବୋଟ ପାରଦୀପରେ  ପହଞ୍ଚି ସୁରକ୍ଷିତ ସ୍ଥାନରେ ରହିଛି । 

ଚଳିତ ସପ୍ତାହରେ ପ୍ରସବ କରିବାକୁ ଥିବା  ୮୫୬ ଗର୍ଭବତୀଙ୍କ ମଧ୍ୟରୁ କେତେ ଜଣଙ୍କୁ  ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ସ୍ୱତନ୍ତ୍ର ମେଡିକାଲ ଟିମ୍‌କୁ ମଧ୍ୟ ଆବଶ୍ୟକ ଜରୁରୀ  ଚିକିତ୍ସା ନିମନ୍ତେ ପ୍ରସ୍ତୁତ ରଖାଯାଇଛି । ଆସନ୍ତା ୨ ଦିନ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସଦର ମୁଖ୍ୟ ଚିକିତ୍ସାଳୟ ୨୪ ଘଣ୍ଟା ଖୋଲା ରହିବା ସହ  ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ  ପ୍ରଚୁର ପରିମାଣର ଅତ୍ୟାବଶ୍ୟକ  ମେଡିସିନ୍‌ ସହ ସାପକାମୁଡ଼ା ଇଞ୍ଜେକ୍ସନ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା  ବୈଠକ କରାଯାଇ ସମସ୍ତ ବିଭାଗର ଅଧିକାରୀ ଓ  କର୍ମଚାରୀଙ୍କୁ ବାତ୍ୟା ମୁକାବିଲା ନିମନ୍ତେ ସେମାନଙ୍କ  ଦାୟିତ୍ୱ ବୁଝାଇ ଦିଆଯାଇଛି । ସମସ୍ତେ ସମନ୍ୱୟ  ରଖି ତତ୍ପରତାର ସହ କାମ କରିବେ । ମଣିଷ  ହୁଅନ୍ତୁ ଅବା ଗୃହ ପାଳିତ ପଶୁପକ୍ଷୀ କାହାରି  ଯେପରି ଏହି ବିପର୍ଯ୍ୟୟରେ ମୃତ୍ୟୁ ନହୁଏ ତାହା  ଉପରେ ପ୍ରଶାସନ ଗୁରୁତ୍ୱ ଦେଇ କାମ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.