ଭୁବନେଶ୍ଵର, ୨୧/୧୦ : ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ଚିତ୍ର ଜାରି କଲା IMD। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୨୩ରେ ଅବପାତ ବାତ୍ୟାର ରୂପ ନେବ। ୨୪ରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁପାରେ। ଏହା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।
ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା କହିଛନ୍ତି ଯେ, ସ୍ଥଳଭାଗରେ ପବନର ବେଗ ଆକଳନ ହୋଇନି। ଅବପାତରେ ପରିଣତ ହେବାପରେ ଆକଳନ ହେବ। ସମୁଦ୍ରରେ ପବନର ବେଗ ୧୦୦ ରୁ ୧୨୦ ଆକଳନ ହୋଇଛି। କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ଅବପାତ ପରେ ଆକଳନ କରାଯିବ।
ପ୍ରକାଶ ଥାଉକି, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ପରିଣତ ହୋଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୨ ତାରିଖରେ ଅବପାତ ରୂପ ନେବ । ୨୩ ତାରିଖରେ ବାତ୍ୟାରେ ପରିଣତ ହେବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବ । ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଆଗେଇବ । ୨୪ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ୨୪ ତାରିଖରେ ରାଜ୍ୟରେ ଅତି ଭୀଷଣ ବର୍ଷା ହେବ । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ବେଳେ ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଜଗତସିଂହପୁରରେ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ । ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦ୍ରାପଡ଼ା, କଟକ, ନୟାଗଡ଼, କନ୍ଧମାଳ ଓ ଗଜପତି ଜିଲ୍ଲାରେ ୭୦-ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ଏହି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବି ପ୍ରବଳ ବର୍ଷିବ ।