କଟକ,୦୧/୦୩: ଶାଳପତ୍ର  ଦନାରେ ୫ଟି ଦହିବରା ସାଙ୍ଗକୁ ଦି’  ଚାମଚ୍‌ ଆଳୁଦମ୍‌, ଘୁଗୁନି । ଉପରେ ଛଣା  ସେଉ, କଟା ପିଆଜ ଓ କିଛି ଧନିଆପତ୍ର । -  କଟକର ଅନ୍ୟତମ ପରିଚୟ କୁହାଯାଉଥିବା  ଏହି ଖାଇବା ଚିଜର ବଜାର ଭାଉ  ପ୍ରାୟ ସମସ୍ତେ ଜାଣନ୍ତି । ବିଡ଼ାନାସୀରୁ ଦୁବାଇ ପର୍ଯ୍ୟନ୍ତ ସବୁଠି ସ୍ୱାଦ ଓ ବାସ୍ନା  ମହକାଇଲାଣି କଟକ ଦହିବରା-ଆଳୁଦମ୍‌ ।  

ତେବେ ବର୍ତ୍ତମାନର ବଜାର ଭାଷାରେ  କଟକର ଏହି ପ୍ରସିଦ୍ଧ ‘ଷ୍ଟ୍ରିଟ୍‌ଫୁଡ୍‌’ର  ଆର୍ଥିକ କାରବାର କେତେ ତାହା ହୁଏତ  ଅନେକ ହିସାବ କରିନଥିବେ । ଆଖି ଖୋସି ହୋଇଗଲା ଭଳି ହିସାବ ହେଉଛି କେବଳ  କଟକ ସହରରେ ବାର୍ଷିକ ୨୦ କୋଟି  ଟଙ୍କାର ଦହିବରା-ଆଳୁଦମ୍‌ କାରବାର  ହୁଏ । ଏ ସହରରେ ଏମିତି ଦହିବରା  ବ୍ୟବସାୟୀ ରହିଛନ୍ତି ଯେଉଁମାନଙ୍କ ମାସିକ  ଆୟ ୩ ଲକ୍ଷରୁ ଅଧିକ । ପୁଣି ସେମାନଙ୍କ ବେପାର ସମୟ ମାତ୍ର ଦୁଇରୁ ତିନି ଘଣ୍ଟା । 

 

କଟକ ସହରର ପରିସୀମାକୁ ଟପି  ରାଜ୍ୟର ଅନ୍ୟ ଅଞ୍ଚଳ, ଦେଶ ଓ ବିଦେଶରେ  ପହଞ୍ଚି ସାରିଥିବା କଟକ ଦହିବରା କେବଳ  ଏକ ଖାଦ୍ୟ ବେପାର ନୁହେଁ, ଏହା କ୍ଷୁଦ୍ରଶିଳ୍ପ  କହିଲେ ଅତ୍ୟୁକ୍ତି ହେବନାହିଁ । ହଜାରେ  ବର୍ଷର କଟକ ସହରର ଏହା ଏକ ଆବେଗ  ବୋଲି ବି କୁହାଯାଏ। ପୁଣି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି  ବଲିଉଡ୍‌ ଷ୍ଟାର୍‌ ସଲମାନ୍‌ ଖାଁ, ଆଶିଷ  ବିଦ୍ୟାର୍ଥୀଙ୍କ ପର୍ଯ୍ୟନ୍ତ ସମସ୍ତେ କଟକ  ଦହିବରାର ସ୍ୱାଦକୁ ପ୍ରଶଂସା କରିଛନ୍ତି ।  ଆଜି ଦହିବରା ଦିବସ ପାଳନ  କରାଯାଉଥିବେଳେ କଟକ ଦହିବରାକୁ  ଜିଆଇ (ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌)  ମାନ୍ୟତା ମିଳିବା ଦିଗରେ ସମ୍ମିଳିତ ପ୍ରୟାସ  ପାଇଁ ଏବେ ସ୍ୱର ଉଠିଲାଣି । 

କଟକ ସହରରେ ଦହିବରା-ଆଳୁଦମ୍‌  ପ୍ରସ୍ତୁତିର ଉତ୍ପତ୍ତି କେବେ ତାର କିଛି ଲିଖିତ  ଇତିହାସ ନାହିଁ । କିନ୍ତୁ ବିଡ଼ାନାସୀରୁ ଏହି  ସ୍ୱାଦିଷ୍ଟ ଖାଦ୍ୟର ସୃଷ୍ଟି ବୋଲି ଅନେକଙ୍କ  ମତ । କାଳକ୍ରମେ ଏହା ଅନ୍ୟ ସାହିବସ୍ତିକୁ  ପ୍ରସରିଥିଲା । ଯଦିଓ ଏବେ ସାରା ଓଡ଼ିଶାରେ  ଦହିବରା ଆଳୁଦମ୍‌ ବିକ୍ରି ହେଉଛି, କିନ୍ତୁ  ଅସଲ ଦହିବରା ଖାଇବାକୁ ସମସ୍ତେ  କଟକ ମୁହାଁ ହୁଅନ୍ତି । ଯେତେବେଳେ  ଯିଏ ଯେଉଁ କାମରେ କଟକ ଆସନ୍ତୁନା କାହିଁକି ଦହିବରା ଆଳୁଦମ  ଖାଇବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ । ଦହିବରା ବିଷୟରେ ଅଧିକ ଜାଣିଥିବା ଲୋକେ ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀଙ୍କ ପାଖରେ ହିଁ ଅଟକି  ଯାଆନ୍ତି । ଆଜିର ଦିନରେ କଟକ ସହରରେ  ଶହେରୁ ଅଧିକ ଦହିବରା ଆଳୁଦମ୍‌ର ମୂଳ ବ୍ୟବସାୟୀ ରହିଛନ୍ତି । ଏମାନଙ୍କ ବ୍ୟତୀତ କଟକରେ  ଗଳିକନ୍ଦିରେ ବେପାର କରୁଥିବା ବ୍ୟବସାୟୀଙ୍କ  ସଂଖ୍ୟା ବି ହଜାରେରୁ ଅଧିକ । 

ମୂଳ ବ୍ୟବସାୟୀମାନଙ୍କ ଭିତରୁ ଲୋକପ୍ରିୟ  ଦହିବରା ଆଳୁଦମ୍‌ ବେପାରୀଙ୍କ ସଂଖ୍ୟା ହାତ  ଗଣତି, ଯେଉଁମାନଙ୍କ ନାଁ ନେଇ ବେପାର ହୁଏ । ସେମାନଙ୍କ ଦହିବରା ଆଳୁଦମ୍‌ର ସ୍ୱାଦ ଅନ୍ୟଙ୍କଠାରୁ  ଭିନ୍ନ ଓ ସ୍ୱତନ୍ତ୍ର । ବିଡ଼ାନାସୀ ଛକର ପ୍ରାୟ ୧୦ ଜଣ,  ବାରବାଟୀ ଷ୍ଟାଡିୟମ୍‌ର ୧୩ ଜଣଙ୍କ ସମେତ  କନିକାଛକ, ବିଜୁ ପଟ୍ଟନାୟକ ଛକ, ମଙ୍ଗଳାବାଗ୍‌,  ରାଣୀହାଟ, କଲେଜଛକ, ଦୋଳମୁଣ୍ଡାଇ,  ବାଦାମବାଡ଼ି, ଲିଙ୍କରୋଡ୍‌, ସିଡିଏ ଆଦି ସ୍ଥାନରେ  ଏମିତି ବ୍ୟବସାୟୀ ରହିଛନ୍ତି ଯେଉଁମାନେ ମାତ୍ର  ଦୁଇରୁ ତିନି ଘଣ୍ଟା ଭିତରେ ଦୈନିକ ୧୦ହଜାରରୁ  ଅଧିକ ଟଙ୍କା ପର୍ଯ୍ୟନ୍ତ କାରବାର କରନ୍ତି । କିଛି ନିର୍ଦ୍ଦିଷ୍ଟ  ବ୍ୟବସାୟୀଙ୍କ ବେପାର ଏହାଠାରୁ ବି ଅଧିକ । ହାଣ୍ଡିରୁ ଦହିବରା ଶେଷ ହେବା ବେଳକୁ ପକେଟ୍‌ରେ  ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ସାଇକେଲ୍‌ରେ  ହାଣ୍ଡି ଧରି ଗଳିକନ୍ଦିରେ ଦହିବରା ସହ ଇଡ୍‌ଲି,  ବରା ଆଦି ବିକୁଥିବା ବୁଲା ବେପାରୀ ବି ଦୈନିକ  ୨ହଜାର ଟଙ୍କାରୁ ଅଧିକ ରୋଜଗାର କରନ୍ତି । ଏହି  ଆଧାରରେ କଟକ ସହରରେ ଦୈନିକ ୫ଲକ୍ଷ  ଟଙ୍କାରୁ ଅଧିକ ଦହିବରା-ଆଳୁଦମ୍‌ର କାରବାର  ହୁଏ ବୋଲି କୁହାଯାଇପାରେ । ଏବେ କେବଳ ଷ୍ଟ୍ରିଟ୍‌  ଫୁଡ୍‌ ନୁହେଁ, ବରଂ ନାମୀଦାମୀ ହୋଟେଲରେ ମଧ୍ୟ  ଦହିବରା ଆଳୁଦମ୍‌ ଏକ ସ୍ୱତନ୍ତ୍ର ଡିସ୍‌ ଭାବେ ସ୍ଥାନ  ପାଇଲାଣି । ବାହାଘର, ବ୍ରତଘର, ଶ୍ରାଦ୍ଧ ଭୋଜିରେ  ବି ଦହିବରା-ଆଳୁଦମ୍‌କୁ ଷ୍ଟାର୍ଟର୍‌ ଭାବେ ଡାଏନିଂ  ଟେବୁଲ୍‌ରେ ପରଷା ଯାଉଛି ।  

କଟକ ଦହିବରା-ଆଳୁଦମ୍‌ର ଯେଭଳି  ଜନପ୍ରିୟତା ବଢିଛି ସେହି ତୁଳନାରେ ଏହି ଖାଦ୍ୟକୁ  ସ୍ୱତନ୍ତ୍ର ମାନ୍ୟତା ଦେବାର ପ୍ରକ୍ରିୟା ବିଳମ୍ବ ହୋଇଛି  ବୋଲି କୁହାଯାଇପାରେ । ଏବେ ଯାଏ ଏହାର ଜିଆଇ  ମାନ୍ୟତା ନେଇ ଉଦ୍ୟମ କରାଯାଇପାରିନାହିଁ । କଟକ  ସହରରେ ଦହିବରା ଆଳୁଦମ୍‌ ବ୍ୟବସାୟୀଙ୍କ  କୌଣସି ନିର୍ଦ୍ଦିଷ୍ଟ ସଂଘ ନଥିବାରୁ ପ୍ରଶାସନ ଏନେଇ  ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏ  ସମ୍ପର୍କରେ ଐତିହ୍ୟ ବିଶେଷଜ୍ଞ ଦୀପକ ସାମନ୍ତରାୟ  କହନ୍ତି, କଟକ ଦହିବରା-ଆଳୁଦମ୍‌ର ସ୍ୱତନ୍ତ୍ରତା  ରହିଛି । ହେରିଟେଜ୍‌ ୱାକ୍‌ରେ କିଛି ମାସ ପୂର୍ବରୁ  ଆମ ତରଫରୁ ଦହିବରା ଆଳୁଦମ୍‌ର ଇତିହାସ  ସମ୍ପର୍କରେ ଆଲୋକପାତ କରାଯାଇଥିଲା । ସ୍ୱାଦ,  କାରବାର ଓ ପ୍ରସିଦ୍ଧିକୁ ନେଇ ଅନେକ ତଥ୍ୟ  ସାମ୍ନାକୁ ଆସିଲା । ତେଣୁ କଟକ ପ୍ରସିଦ୍ଧ ଏହି  ଖାଦ୍ୟକୁ ଜିଆଇ ମାନ୍ୟତା ପାଇଁ ଆବେଦନ ହେବା  ଜରୁରି । ସେହିପରି ବାରବାଟୀ ଷ୍ଟାଡିୟମ୍‌ ଦହିବରା  ବ୍ୟବସାୟୀ ସଂଘର ସମ୍ପାଦକ ଅଜୟ ବେହେରା  କହିଛନ୍ତି, ଦହିବରା-ଆଳୁଦମ୍‌ କେବଳ କଟକରେ  ସୀମିତ ନାହିଁ । ଆମ ବ୍ୟବସାୟୀ ଭାଇ ଦିଲ୍ଲୀଠାରୁ  ଆରମ୍ଭ କରି ବିଦେଶ ଯାତ୍ରା କରିଛନ୍ତି । ତେଣୁ  ପ୍ରଶାସନ ଏହି ଖାଦ୍ୟର ଗୁରୁତ୍ୱକୁ ବୁଝି ଏ ଦିଗରେ  ପଦକ୍ଷେପ ନେବା ସହ ବ୍ୟବସାୟୀଙ୍କ ପାଇଁ ସୁବିଧା  ସୁଯୋଗ ସୃଷ୍ଟି କରନ୍ତୁ ବୋଲି ସେ ମତ ଦେଇଛନ୍ତି ।