ମାଲକାନଗିରି, ୧୦/୧୨ : ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ଏମଭି-୨୬ ଗ୍ରାମରେ ହୋଇଥିବା କ୍ଷୟକ୍ଷତିର ଆକଳନ କରୁଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିଜେ ଉପସ୍ଥିତି ରହି ଗ୍ରାମର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏମଭି-୨୬ ଗ୍ରାମରେ ସମସ୍ତ କ୍ଷୟକ୍ଷତିର ଆକଳନ ଚାଲିଛି । ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଘର, ଘରର ସମସ୍ତ ଆସବାବପତ୍ର ଏଭଳି କି ବାଡି ବଗିଚାର ନଷ୍ଟ ହୋଇଥିବା ଗଛର ହିସାବ କରାଯାଇଛି । ପୀଡ଼ିତ ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫ୍ରି କିଚେନ୍ ବ୍ୟବସ୍ଥା କରାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ରାତ୍ରୀ ଭୋଜନ ପାଇଁ ମଧ୍ୟ ରାତ୍ରୀ କିଚେନ୍ ବ୍ୟବସ୍ଥା କରାଯାଇଛି । ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମଭି-୨୬ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ପରିସ୍ଥିତିକୁ ତୀକ୍ଷ୍ମ ନଜର ରଖିବା ପାଇଁ ଗ୍ରାମର ଚାରିଆଡ଼େ ସର୍ଭେଲାନ୍ସ କ୍ୟାମେରା ଖଞ୍ଜା ଯାଇଛି।

ସେହିପରି ମୃତକଙ୍କ ପରିବାରକୁ ମଧ୍ଯ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପୁଅଙ୍କୁ ୩୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯାଇଛି । ସମଗ୍ର ଜିଲ୍ଲାରେ ଆଉ ୧୨ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି । ସୂଚନା ଥାଉ କି ଆଜି ମୃତକ ମହିଳାଙ୍କ କଟା ମୁଣ୍ଡ ମିଳିଛି । ଗ୍ରାମରେ ଶାନ୍ତି ଫେରିଛି । ବର୍ତ୍ତମାନ ଗ୍ରାମବାସୀ ନିଜ ନିଜ ଘରକୁ ଫେରୁଛନ୍ତି। ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।