ନୂଆଦିଲ୍ଲୀ: ଲୋକସଭାରେ ଆଲୋଚନା ପାଇଁ ୧୨୦ ଘଣ୍ଟା ସ୍ଥିର ହୋଇଥିଲା,ହେଲେ କେବଳ ୩୭ ଘଣ୍ଟା ହିଁ ଆଲୋଚନା ହୋଇପାରିଥିଲା। ଏହାର ଏକ ବଡ଼ ଅଂଶ ଅପରେସନ ସିନ୍ଦୂର ବାବଦରେ ଆଲୋଚନା ପାଇଁ ଥିଲା। ଅଧିକାଂଶ ସମୟ ହଟ୍ଟଗୋଳରେ ବିତିଥିଲା, ଯାହା ଫଳରେ ବିଲ୍ ଗୁଡ଼ିକ ପର୍ଯ୍ୟାପ୍ତ ଆଲୋଚନା ବିନା ପାସ୍ ହୋଇଯାଇଥିଲା। ଗୃହର କାର୍ଯ୍ୟଧାରାକୁ ଦେଖି, ଡାମନ ଏବଂ ଡିଉର ସ୍ୱାଧୀନ ସାଂସଦ ଏପରି ଏକ ଦାବି କରିଛନ୍ତି, ଯାହା ତାଙ୍କୁ ଏବେ ଖବରର ଶିରୋନାମାରେ ରଖିଛି।
ପ୍ରକୃତରେ, କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ଏବଂ ଡିଉର ସ୍ୱାଧୀନ ସାଂସଦ ଉମେଶ ପଟେଲ ସଂସଦ ଭବନ ପରିସରରେ ଏକ ବ୍ୟାନର ଧରି ପ୍ରତିବାଦ କରିଥିଲେ। ସେ କହିଥିଲେ ଯେ, ଯଦି ଗୃହ ଠିକ ଭାବରେ ଚାଲିବ ନାହିଁ ତେବେ ସାଂସଦଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧା ବନ୍ଦ କରାଯିବା ଉଚିତ।
ଉମେଶ ପଟେଲ କହିଥିଲେ ଯେ, ଯଦି ଗୃହ କାମ ଅଚଳ ହୁଏ, ତେବେ ଏହାର ଖର୍ଚ୍ଚ ପାଇଁ ଟଙ୍କା ସାଂସଦଙ୍କ ଦରମାରୁ କାଟି ଦିଆଯିବା ଉଚିତ। ଉମେଶ ପଟେଲ ଏକ ବ୍ୟାନର ଧରି ଆସିଥିଲେ, ଯାହା ଉପରେ ଲେଖାଥିଲା "କ୍ଷମା ମାଗନ୍ତୁ, ଶାସକ ଦଳ ଏବଂ ବିରୋଧୀ କ୍ଷମା ମାଗନ୍ତୁ"। ସେ ସରକାରଙ୍କ ନିକଟରେ ଦାବି କରିଥିଲେ ଯେ ଗୃହ କାମ ନ କଲେ ସାଂସଦ ମାନଙ୍କୁ ଦରମା ଏବଂ ଅନ୍ୟାନ୍ୟ ସୁବିଧା ମିଳିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଅଧିବେଶନରେ ଗୃହରେ ହୋଇଥିବା ଖର୍ଚ୍ଚ ସାଂସଦଙ୍କ ପକେଟରୁ ଆଦାୟ କରାଯିବା ଉଚିତ, କାରଣ ଯେତେବେଳେ ଗୃହ କାମ କରୁନଥିଲା, ତେବେ ଜନସାଧାରଣ କାହିଁକି ଏହି ଖର୍ଚ୍ଚ ପାଇଁ ଅର୍ଥ ଦେବେ।
ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମଧ୍ୟ ଉମେଶ ପଟେଲ ସମାନ ଦାବି ଉଠାଇଥିଲେ। ସେ କହିଥିଲେ- ଯଦି ଗୃହ କାମ କରେ ନାହିଁ, ତେବେ ସାଂସଦମାନଙ୍କୁ ମଧ୍ୟ ଭତ୍ତା ମିଳିବା ଉଚିତ୍ ନୁହେଁ। ସେ କହିଥିଲେ ଯେ ସାଂସଦ ମାନଙ୍କୁ ଭତ୍ତା ମିଳେ, କିନ୍ତୁ ଜନସାଧାରଣଙ୍କ କାମ ହୁଏ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ, ଶାସକ ଏବଂ ବିରୋଧୀ ଦଳ ଉଭୟଙ୍କ ଅହଂକାର ଯୋଗୁଁ ଗୃହକୁ କାମ କରିବାକୁ ଦିଆଯାଉନାହିଁ, ଯେତେବେଳେ ବିରୋଧୀ ଦଳ ଗୁଡ଼ିକ ଏଥିପାଇଁ ସରକାରଙ୍କୁ ଦାୟୀ କରୁଛନ୍ତି।