ଭୁବନେଶ୍ୱର,୦୫/୧୧: ସୋମବାର ବିଳମ୍ବିତ ରାତିରେ ଡମଣା ଛକରେ ଏକ ଦୁର୍ଘଟଣା ଘଟିଛି । କାର ଧକ୍କାରେ ଡମଣା ଛକରେ ନିର୍ମିତ ଆଇକନିକ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ ଛତ୍ର ହୋଇଯାଇଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣ  ଆହତ ହୋଇଛନ୍ତି । 

ରାତି ପ୍ରାୟ ୧୧ଟା । ସେତେବେଳକୁ ଡମଣା ଛକରେ ଟ୍ରାଫିକ୍‌  ପୋଷ୍ଟରେ ପୂରା ଫାଙ୍କା । ସିଗନାଲ  ଜଳୁନଥିଲା । ପୋଷ୍ଟରେ କେହି ଟ୍ରାଫିକ କର୍ମଚାରୀ ନଥିଲେ । ରାସ୍ତାରେ ଗାଡିଗୁଡିକ ମନଇଚ୍ଛା ଯା’ ଆସ କରୁଥିଲା ।  ଜୟଦେବବିହାର ପଟୁ ଏକ କାର (ଓଡି୦୨ଏବି ୫୨୨୧) ଦୃତଗତିରେ ପଟିଆ  ଅଭିମୁଖେ ଯାଉଥିଲା । ଡମଣା ପଟୁ ଏକ ସ୍କୁଟି ବାହାରିବା ଦେଖି କାର ଚାଳକ  ଜଣକ ଭାରସମ୍ୟ ହରାଇଥିଲେ । କାରଟି ସିଧା ଯାଇ ଟ୍ରାଫିକ୍‌ ପୋଷ୍ଟରେ ପିଟି  ହେଲା । ଦୁର୍ଘଟଣାଟି ଏତେ ଶକ୍ତ ଥିଲା, ଯେ, ଟ୍ରାଫିକ୍‌ ପୋଷ୍ଟଟି ମୂଳରୁ ଉପୁଡ଼ିଯାଇ  ରାସ୍ତା ମଝିରେ ପଡିଲା । କାରଟି ମଧ୍ୟ ରାସ୍ତା ଉପରେ ଓଲଟି ପଡିଥିଲା । ସ୍ଥାନୀୟ  ଲୋକମାନେ ଧାଇଁ ଯାଇ କାର ଭିତରୁ ମହିଳାଙ୍କ ସମେତ ଅନ୍ୟ ୨ଜଣଙ୍କୁ ଉଦ୍ଧାର  କରିଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା ।  ରାସ୍ତା ଉପରେ ଟ୍ରାଫିକ୍‌ ପୋଷ୍ଟଟି ପଡି଼ଥିବାରୁ ଗାଡି଼ମୋଟର ଜାମ୍‌ ହୋଇଥିଲା ।  ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲା ।  ସ୍ଥାନୀୟ ଲୋକଙ୍କ ସହ ମିଶି ପୁଲିସ ରାସ୍ତା ମଝିରୁ ଟ୍ରାଫିକ୍‌ ପୋଷ୍ଟକୁ ହଟାଇ  ରାସ୍ତାକଡ଼କୁ ଆଣିଥିଲା । ପରେ ଯାତାୟତ ସ୍ୱାଭାବିକ ହୋଇଛି ।