ଭୁବନେଶ୍ୱର,୨୫/୧୦: ବାତ୍ୟା ଦାନା ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରିଥିଲା। ଖବର ଲେଖାଯିବା ସୁଦ୍ଧା ଦାନା ଧାମରା ଠାରୁ ୧୫ କିମି ଉତ୍ତରରେ ରହିଥିବା ବେଳେ ହାବେଳିଖଟି ଠାରୁ ୩୦ କିମି ଉତ୍ତର ଓ ଉତ୍ତର-ପଶ୍ଚିମରେ ରହିଛି। ଏନେଇ ୨୫ ତାରିଖ ଭୋର ୫ଟା ସମୟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକ ମନୋରମା ମାହାନ୍ତି। ଆଉ ଘଣ୍ଟାଏ ଦୁଇ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
ତେବେ ଲ୍ୟାଣ୍ଡଫଲ୍ ପରେ ଏବେ କେତେ ବର୍ଷା ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ। ଚାନ୍ଦବାଲିରେ ସବୁଠାରୁ ୧୩୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୪୨.୮ ମିଲିଟର ବର୍ଷା ରେକର୍ଡ ହୋଇଛି। ସକାଳ ୯.୩୦ରେ ସବିଶେଷ ତଥ୍ୟ ଆସିଲା ପରେ ବର୍ଷାର ପରିମାଣ ସମ୍ପର୍କରେ ସଠିକ ତଥ୍ୟ ଦେଇପାରିବୁ ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶିକା। ସେହିପରି ପବନର ବେଗ ନେଇ ସମ୍ପୂର୍ଣ୍ଣ ତଥ୍ୟ ନଥିବା ବେଳେ ଚାନ୍ଦବାଲିରେ ଘଣ୍ଟା ପ୍ରତି ୮୨ କିମି ବେଗରେ ପବନ ବୋହିଥିଲା ବୋଲି ସେ ସୂଚନା ଦେଇଛନ୍ତି।
ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ବାତ୍ୟା ଘୂର୍ଣ୍ଣିଝଡ଼ରେ ପରିଣତ ହେବା ସହିତ ଏହା ଧୀରେ ଧୀରେ ଅବପାତର ରୂପ ନେବ। ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ରାଜଧାନୀ ଭୁବନେଶ୍ୱରରେ ୨୫ ତାରିଖରେ ହାଲୁକା କିମ୍ବା ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ୱର ଛାଡ଼ିଲା ପରେ ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପରୁ, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।