କଟକ,୧୦/୦୩: ସହରରେ ଦୋଳଯାତ୍ରା  ପରମ୍ପରା ବହୁ ପୁରୁଣା । ଜଗନ୍ନାଥ ସଂସ୍କୃତିର ଏହି ପ୍ରମୁଖ ପର୍ବ ଦୋଳଯାତ୍ରା ସହରର ବିଭିନ୍ନ  ସାହିରେ ଶହଶହ ବର୍ଷ ଧରି ପାଳିତ ହୋଇ ଆସୁଛି । କୁହାଯାଏ ରାଜା ପ୍ରତାପ ରୁଦ୍ର ଦେବଙ୍କ ଅମଳରୁ କଟକରେ ୭୨ ଦିଗଭାଗ ସଂଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଦୋଳ ମେଲଣ ଅନୁଷ୍ଠିତ ହେଉଛି ।  ତେବେ କାଠ ବିମାନରୁ ଆରମ୍ଭ ହୋଇଥିବା  ଏହି ଯାତ୍ରା ଏବେ ସମୟ କ୍ରମେ ଚାନ୍ଦି ଓ ସୁନା  ବିମାନରେ ପହଞ୍ଚିଛି । କଟକରେ ମୋଟ୍‌ ୯୭ଟି  ଦୋଳ ବିମାନକୁ ନେଇ ଯାତ୍ରା ହେଉଥିବା ବେଳେ  ଏହା ମଧ୍ୟରୁ ଗୋଟିଏ ସୁନା ବିମାନ ଏବଂ ପ୍ରାୟ  ୫୦ଟିରୁ ଅଧିକ ଚାନ୍ଦି ବିମାନ ରହିଛି । ଚଳିତ  ବର୍ଷ ଦରଖାପାଟଣା, ଥେରିଆ ସାହି, ଶେଖ୍‌  ବଜାରର ଚାନ୍ଦି ବିମାନ ଏଥିରେ ସାମିଲ ହୋଇଛି ।

ବିଭିନ୍ନ ସାହି ବସ୍ତିକୁ ନେଇ ଗଢି ଉଠିଥିବା କଟକ ସହରରେ ଆଜି ବି ବଞ୍ଚି ରହିଛି ବହୁ ପୁରୁଣା ପରମ୍ପରା । ସେଗୁଡିକ ମଧ୍ୟରୁ ଦୋଳଯାତ୍ରା ହେଉଛି ଅନ୍ୟତମ । ଆଧୁନିକତାର ଛାପରେ ଆଜି  ବି ବଦଳିନି ସଂସ୍କୃତି, ହଜିଯାଇନି ପରମ୍ପରା । ବରଂ ସମୟ ବଦଳିବା ସହିତ ଦୋଳଯାତ୍ରାର  ଚମକ ଆହୁରି ବଢିଛି । ପୂର୍ବରୁ କାଠ ବିମାନରେ  ରାଧାକୃଷ୍ଣ ଦୋଳ ଯାତ୍ରାରେ ଯାଉଥିଲେ । ଏବେ  କିନ୍ତୁ ଚାନ୍ଦି ଓ ସୁନା ବିମାନରେ ଠାକୁରଙ୍କ  ଶୋଭାଯାତ୍ରା ଏହି ଯାତ୍ରାକୁ ଆହୁରି ଆକର୍ଷଣୀୟ  କରିଛି । କଟକର ଗଣପର୍ବ ଦୁର୍ଗା ପୂଜାରେ  ସୁନା, ଚାନ୍ଦିର ମେଢ ଦେଖିବାକୁ ମିଳୁଥିବା  ବେଳେ ଏବେ ଦୋଳଯାତ୍ରାରେ ମଧ୍ୟ ଆକର୍ଷଣୀୟ  ସୁନା, ଚାନ୍ଦିର ଦୋଳ ବିମାନ ସଂଖ୍ୟା ବଢିବାରେ  ଲାଗିଛି । ଦୋଳଯାତ୍ରାରେ ଏବେ ମୋଟ୍‌ ୯୭ଟି  ବିମାନ ଦୋଳ ମେଲଣରେ ସାମିଲ ହେଉଛନ୍ତି । 

ଏହା ମଧ୍ୟରେ କାଠଗଡ଼ା ସାହି ପ୍ରଥମେ ସୁନା ଦୋଳ ବିମାନ ତିଆରି କରିଥିବା ବେଳେ ଏବେ  ୫୦ରୁ ଅଧିକ ଚାନ୍ଦିର ଦୋଳ ବିମାନ ରହିଛି । ପ୍ରତିବର୍ଷ ବିଭିନ୍ନ ସାହିର ନୂଆ ନୂଆ ଚାନ୍ଦି ବିମାନ ସାମିଲ ହେଉଛି । ଚଳିତ ବର୍ଷ ୨୨ ଦିଗଭାଗର ଦରଖାପାଟଣା ସଂକୀର୍ତ୍ତନ ମଣ୍ଡଳୀ, ୨୫ ଦିଗଭାଗର  ଥୋରିଆ ସାହି ସଂକୀର୍ତ୍ତନ ମଣ୍ଡଳୀ ଏବଂ ଶେଖବଜାର  କାଶୀନାଥ ସଂକୀର୍ତ୍ତନ ମଣ୍ଡଳୀର ୩ଟି ନୂଆ ଚାନ୍ଦି  ବିମାନ ଦୋଳଯାତ୍ରାରେ ଯୋଡି ହୋଇଛି । ମୋଟ୍‌  ୨୦ କେଜି ଚାନ୍ଦିରେ ଦରଖାପାଟଣା ସାହି ସଂକୀର୍ତ୍ତନ  ମଣ୍ଡଳୀ ବିମାନ ନିର୍ମିତ ହୋଇଥିବା ବେଳେ ଥୋରିଆ  ସାହି ବିମାନ ୨୨ କେଜି ଚାନ୍ଦିରେ ନିର୍ମିତ ହୋଇଛି ।  ସାଢେ ୬ ଫୁଟ୍‌ ଉଚ୍ଚତା ଏବଂ ୩ ଫୁଟ୍‌ ଚଉଡାର  ଏହି ବିମାନକୁ ଅଲିଶା ବଜାର ଅଞ୍ଚଳର ତାରକସୀ  କାରିଗର ପ୍ରଦୀପ ପୃଷ୍ଟି ତିଆରି କରିଛନ୍ତି । ଏଥିରେ  ଗୋଟିଏ ମୟୂର କଲିକା ସହ ଚନ୍ଦ୍ରିକା, ଫୁଲ  ପଟି, ଓଲଟ ଶୁଆ, ଦଧିନଉତି, ନୀଳଚକ୍ର, ଆମ୍ବ  ପତ୍ର, କର୍ଣ୍ଣର ପଟି, ଖୁମ୍ବ, ୨ଟି ମୟୂର ପଟି ଏବଂ  ୪ଟି ନଟୁ ରହିଛି । 

ବିମାନକୁ ତିଆରି କରିବାକୁ  ପ୍ରାୟ ୨ ମାସ ସମୟ ଲାଗିଛି । ଦରଖାପାଟଣା  ଗ୍ରାମର ସମସ୍ତ ବାସିନ୍ଦା, ମୁରବି, ଅଧିକାରୀ ଓ  ପୂଜା କମିଟିର କର୍ମକର୍ତ୍ତାଙ୍କ ସହଯୋଗରେ ଏହି  ଚାନ୍ଦି ବିମାନ ତିଆରି ହୋଇ ପାରିଥିବା କହିଛନ୍ତି  ୨୨ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀର କାର୍ଯ୍ୟକାରୀ ସର୍ବାଧିକାରୀ ସୁବାଷ ଚନ୍ଦ୍ର ସାହୁ । ୧୮୮୨  ମସିହାରୁ ଦରଖାପାଟଣାରେ ଦୋଳ ମେଲଣ  ଆରମ୍ଭ ହୋଇଥିଲା । ରବିବାର ଫଗୁ ଦଶମୀରେ  ଠାକୁର ବାହାରି ସାହି ପରିକ୍ରମାରେ ଭୋଗ  ଖାଇବା ପରେ ମେଲଣରେ ସାମିଲ ହୋଇଛନ୍ତି ।