ଦାରିଙ୍ଗବାଡି,୨୬/୧୦: ଆସିଲା ପର୍ଯ୍ୟଟନ ଋତୁ । ସଜେଇ ହେଉଛି  ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ପର୍ଯ୍ୟଟକଙ୍କୁ ପଞ୍ଚ ତାରକା ହୋଟେଲର  ମଜା ଦେବା ପାଇଁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଇକୋ  ରିଟ୍ରିଟ ପ୍ରକଳ୍ପ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ହିଲ୍‌ଭିୟୁ ଛକ ନିକଟରେ  ଇକୋ ରିଟ୍ରିଟ୍‌ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ବିଭିନ୍ନ ଫୁଲ କୁଣ୍ଡ ସଜା  ସହ ତମ୍ଭୁ ଭିଡ଼ା ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ୧୫ ତାରିଖରେ  ଆରମ୍ଭ ହେବାକୁ ଯାଉଛି ଏହି ଇକୋ ରିଟ୍ରିଟ୍‌ ସେବା ।

ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ସଂସ୍କୃତି ଓ ପରମ୍ପରାକୁ ନେଇ ସାଂସ୍କୃତିକ  କାର୍ଯ୍ୟକ୍ରମ ଏବଂ ଦାରିଙ୍ଗବାଡ଼ିରେ ରହିଥିବା ପର୍ଯ୍ୟଟନ  ସ୍ଥଳୀର ବୁଲିବାର ମଜା ନେଇପାରିବେ । ୪ ବର୍ଷ  ହେଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପ ହୋଇ  ଆସୁଥିବାବେଳେ ପର୍ଯ୍ୟଟକ ଏହାର ସୁବିଧା ନେଉଛନ୍ତି ।  ଚଳିତ ବର୍ଷ ୨୫ଟି ବିଶାଳପୂର୍ଣ୍ଣ ତମ୍ବୁ ହୋଇଥିବାବେଳେ  ପ୍ରତି ତମ୍ବୁର ମୂଲ୍ୟ ୫ ହଜାର ୯୮୬ ଟଙ୍କା ରହିଛି । ଏହାର ଅନ୍‌ଲାଇନ ବୁକିଂ ଆରମ୍ଭ ହୋଇଯାଇଛି ।

ଗୁରୁବାର ଦିନ  ଫୁଲବାଣୀ ଆଇଟିଡ଼ିଏ କନ୍‌ଫରେନ୍‌ସ ହଲ୍‌ରେ ଦାରିଙ୍ଗବାଡ଼ି  ଇକୋ ରିଟ୍ରିଟ କାର୍ଯ୍ୟକୁ ନେଇ ଜିଲ୍ଲାପାଳ ବେଦ ଭୂଷଣ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ  ବାଲିଗୁଡ଼ା ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ  ବେହେରା, ଦାରିଙ୍ଗବାଡ଼ି ବିଡିଓ  ପ୍ରୀତି ରଞ୍ଜନ ରଥ, ଜିଲ୍ଲା ପର୍ଯ୍ୟଟକ  ଅଧିକାରୀ କୁମୁଦିନୀ ମଲିକଙ୍କ ସମେତ  ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ  ଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟ  କିଭଳି ସଫଳତାର ସହ ସମ୍ପୂର୍ଣ୍ଣ ହେବ  ସେନେଇ ଆଲୋଚନ ହୋଇଥିଲା ।