ନୂଆଦିଲ୍ଲୀ ୧୬/୦୪: ୟୁପିଆଇ ଠକେଇ ଉଦ୍ୟମ କରୁଥିବା ଜଣେ ସ୍କାମର୍‌କୁ ଧରା ପକାଇ ଜଣେ ଝିଅ ପ୍ରଶଂସାର ପାତ୍ର ହୋଇଛନ୍ତି । ‘ଘର୍‌ କେ କଲେଶ୍‌’ ନାମକ ଏକ୍ସ ଆକାଉଣ୍ଟ୍‌ ଦ୍ୱାରା ଏକ ଛୋଟ ଭିଡିଓ ପୋଷ୍ଟ୍‌ ହୋଇଥିଲା, ଯାହା ଖୁବ୍‌ ଭାଇରାଲ ହେଉଛି । ଭିଡିଓକୁ ୨ ଲକ୍ଷରୁ ଅଧିକ ୟୁଜର ଦେଖିସାରିଲେଣି । ଏକ ଫୋନ୍‌ କଲ୍‌ରୁ ଘଟଣା ଆରମ୍ଭ ହେଲା । ସ୍କାମର୍‌ ଜଣକ ଫୋନ୍‌ରେ ନିଜକୁ ଝିଅର ବାପାଙ୍କ ସାଙ୍ଗ ବୋଲି ପରିଚୟ ଦେଲା ଏବଂ ୟୁପିଆଇ ମାଧ୍ୟମରେ ତାଙ୍କ ଫୋନ୍‌କୁ ୧୨ ହଜାର ଟଙ୍କା ପଠାଇଥିବା ଦାବି କଲା । ଝିଅ କହିଲେ, ମୁଁ ଜାଣିନି, ବାପା ମୋତେ କିଛି କହିନାହାନ୍ତି । ସ୍କାମର୍‌ କହିଲା, ବାପା ବ୍ୟସ୍ତ ଥିବେ । 

ଏହା ପରେ ସ୍କାମର୍‌ ସେହି ନମ୍ବରରେ ଟଙ୍କା ନେଣଦେଣ ଆଗକୁ ବଢ଼ାଇବା ଉଚିତ୍‌ କି ନୁହେଁ, ସ୍ପଷ୍ଟ ହେବାକୁ ଚାହିଁଲା ଏବଂ ଝିଅର ଭରସା ଜିତିବାକୁ ୧୦ ଟଙ୍କା ପଠାଇଲା । ବ୍ୟାଙ୍କ୍‌ ନୋଟିଫିକେସନ୍‌ ଆସିବା ପରେ ଝିଅ ବୁଝିଗଲା ଯେ ଏହା ନକଲି । ତା’ପରେ ୧୦ ହଜାର ଟଙ୍କାର ନେଣଦେଣ ହେଲା । ତା’ପରେ ସ୍କାମର୍‌ କହିଲା ଯେ ସେ ଆଉ ୨ ହଜାର ଟଙ୍କା ପଠାଇବ । କିନ୍ତୁ ଭୁଲରେ ୨୦ ହଜାର ଟଙ୍କା ପଠାଇଦେଲା । ୨୦ ହଜାର ଟଙ୍କା ପଠାଇଛନ୍ତି ବୋଲି ଝିଅ ସ୍କାମର୍‌କୁ କହିବାରୁ ବାକି ୧୮ ହଜାର ଟଙ୍କା ଫେରାଇବାକୁ ସ୍କାମର୍‌ ତାଙ୍କୁ କହିଲା । ଏହା ପରେ ଝିଅ ଉପସ୍ଥିତ ବୁଦ୍ଧି ଲଗାଇ ମିଛ ବ୍ୟାଙ୍କ୍‌ ମେସେଜ୍‌କୁ କପି କଲେ ଏବଂ ଟଙ୍କାର ପରିମାଣ ୧୮ ହଜାର କରି ସ୍କାମର୍‌କୁ ପଠାଇଦେଲେ । ଏହା ଦେଖି ସ୍କାମର୍‌ ଚକିତ ହୋଇଗଲା ଏବଂ ଧରାପଡ଼ି ଯାଇଛି ବୋଲି ଜାଣିପାରିଲା । ଏହା ପରେ ଝିଅଙ୍କୁ କହିଲା ‘ମିଳିଗଲା ଟଙ୍କା, ମାନିଗଲି ଆପଣଙ୍କୁ ।’ ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍‌ ଝିଅଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି ।