ନବରଙ୍ଗପୁର,୨୫/୦୨: ତୃଣମୂଳ ସ୍ତରରେ ଜାତି ପ୍ରଥାରୁ ମୁକୁଳିପାରୁନି ମଣିଷ । ଝିଅ ଅନ୍ୟ ସମ୍ପ୍ରଦାୟରେ ବିବାହ କରିବା ପରିବାର ପାଇଁ ମହଙ୍ଗା ପଡ଼ିଛି । ବାପାଙ୍କ ମୃତ୍ୟୁ ପରେ ବନ୍ଧୁ ଓ ସମ୍ପର୍କୀୟ କେହି ଅନେଇଲେନି । ଏପରିକି ବଡ଼ପୁଅ ମଧ୍ୟ ମୁଖାଗ୍ନି ଦେବାକୁ ଆସିଲାନି । ଶବକୁ ମିଳିଲାନି ମଶାଣି । ଶେଷକୁ ୨ ଝିଅ, ମାଉସୀ ଓ ସାନପୁଅ ଶବକୁ କାନେ୍ଧଇ ମଶାଣିକୁ ଅନ୍ୟ ଏକ ସରକାରୀ ଜାଗାରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗାଁରେ ।

ଗାଁର ଦୁର୍ଜନ ମାଝୀ(୬୦)ଙ୍କ ଗତ ସୋମବାର ରାତିରେ ଦେହାନ୍ତ ଘଟିଥିଲା । ତାଙ୍କ ମୃତ୍ୟୁ ପରେ ସାହି ପଡ଼ୋଶୀ କେହି ସମବେଦନା ଜଣାଇବାକୁ ମଧ୍ୟ ଦୁଆର ମୁହଁରେ ଠିଆ ହେଲେନି । ବଡ଼ପୁଅ ଅନ୍ୟ ଗାଁରେ ରହୁଛି । ପରିବାରକୁ ଜାତିରୁ ବାସନ୍ଦ କରାଯାଇଥିବାରୁ ବଡ଼ପୁଅ ମଧ୍ୟ ମୁଖାଗ୍ନି ଦେବାକୁ ଆସିଲାନି । ଦୁର୍ଜନଙ୍କ ସଂସାରରେ ୨ ପୁଅ ଓ ୨ ଝିଅ । ୩ ବର୍ଷ ପୂର୍ବେ ସାନଝିଅ ଅନ୍ୟ ସମ୍ପ୍ରଦାୟର ଯୁବକଙ୍କୁ ବିବାହ କରିଥିଲେ । ଯଦ୍ୱାରା ତାଙ୍କ ସମାଜ ପୂରା ପରିବାରକୁ ବାସନ୍ଦ କରିଦେଇଛି । କୌଣସି ସାମାଜିକ କାର୍ଯ୍ୟକ୍ରମରେ ଡକାଯାଉ ନ ଥିଲା । ଜାତିରେ ପୁଣି ଥରେ ମିଶିବାକୁ ମେଣ୍ଢା, ଚାଉଳ ଓ ୧୦ ହଜାର ଟଙ୍କା ଦେବାକୁ ସାମାଜର ଲୋକେ ଦାବି କରିଥିଲେ ।

ଆହୁରି ପଢନ୍ତୁ-କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ଜରାୟୁ କ୍ୟାନ୍ସର ସଞ୍ଜିବନୀ, ୨୮ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଦୁର୍ଜନ ଜମିହୀନ ଗରିବ ବ୍ୟକ୍ତି ଥିବାରୁ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ ଥିଲେ । ତେଣୁ ଆଉ ଜାତିରେ ମିଶିପାରି ନ ଥିଲେ ବୋଲି ସାନପୁଅ ଶିବ ମାଝୀ କହିଛନ୍ତି । ପେଟପାଟଣା ପାଇଁ ୨ ମାସ ତଳେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଫେରିଥିବା ଶିବ କହିଛନ୍ତି । ଜାତିରୁ ବାସନ୍ଦ କରିବା ଯୋଗୁ ବାପାଙ୍କ ଶେଷକୃତ୍ୟ ପାଇଁ ମଶାଣି ମଧ୍ୟ ମିଳି ନ ଥିଲା । ଅନ୍ୟ ଏକ ସରକାରୀ ଜାଗାରେ ବାପାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଛି । ତାଙ୍କ ଜାତିରେ ମୁଖାଗ୍ନି ଦିଆଯାଇଥାଏ । କିନ୍ତୁ ଟଙ୍କା ଅଭାବରୁ କାଠ ଯୋଗାଡ଼ କରି ନ ପାରି ଶେଷକୁ ଗାତ ଖୋଳି ପୋତିବାକୁ ପଡ଼ିଥିବା ଦୁଃଖର ସହ ଶିବ କହିଛନ୍ତି । ଏଭଳି ଜାତି ପ୍ରଥା ତଳେ ମାନବିକତା ଚାପି ହୋଇଯାଇଛି ।