ନୂଆଦିଲ୍ଲୀ: ରବିବାର ଦକ୍ଷିଣକୋରିଆର ମୁଆନ ବିମାନ ବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟା ୧୭୬କୁ ବୃଦ୍ଧି ପାଇଛି। ଘଟଣାକୁ ୧୦ ଘଣ୍ଟା ବିତିବା ପରେ ବି ୨ ଜଣ ଯାତ୍ରୀଙ୍କ ପତ୍ତା ମିଳିପାରୁ ନାହିଁ।
ଖବର ଅନୁସାରେ, ଜେଜୁ ଏୟାର ଫ୍ଲାଇଟର ଏକ ବିମାନ ଅବତରଣ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ବିମାନରେ ଭୟଙ୍କର ନିଆଁ ଲାଗିଯାଇଥିଲା। ବିମାନରେ ମୋଟ ୧୮୧ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ, ୨ ଜଣଙ୍କୁ ଛାଡ଼ି ଦେଲେ ବାକି ସମସ୍ତଙ୍କର ମୃତ୍ୟୁ ହୋଇଛି ବୋଲି ଦକ୍ଷିଣ କୋରିଆ ସରକାର ସୂଚନା ଦେଇଛନ୍ତି।
ଦକ୍ଷିଣ କୋରିଆ ଇତିହାସରେ ଏହା ସବୁଠାରୁ ବଡ଼ ବିମାନ ଦୁର୍ଘଟଣା। ଘଟଣା ସମୟରେ ଦୃଶ୍ୟା ଥିଲା ଖୁବ କାରୁଣ୍ୟ। ଥାଇଲାଣ୍ଡ ବ୍ୟାଙ୍କକରୁ ଜେଜୁ ଏୟାରଲାଇନ୍ସର ଏହି ୧୫ ବର୍ଷ ପୁରୁଣା ବୋଇଂ ୭୩୭-୮୦୦ ବମାନଟି ଦକ୍ଷିଣ କୋରିଆ ଅଭିମୁଖେ ଯାତ୍ରା କରିଥିଲା। ସାଉଥୱେଷ୍ଟର୍ଣ୍ଣ କୋଷ୍ଟାଲ ବିମାନ ବନ୍ଦରରେ ସ୍ଥାନୀୟ ସମୟ ୯ଟା ୭ ମିନିଟ୍ରେ ବିମାନଟି ଅବତରଣ କରିବା ପାଇଁ ପ୍ରସ୍ତୁତି ହେଉଥିଲା। କିନ୍ତୁ ଏହି ସମୟରେ ହଠାତ୍ ବିମାନର ଲ୍ୟାଣ୍ଡିଂ ଗିଅରଟି ନଖୋଲିବାରୁ ଏହା ରନୱେରେ କ୍ରାସ ଲ୍ୟାଣ୍ଡିଂ କରିଥିଲା।
ବିମାନଟି ରନୱେରୁ ଖସିଯିବା ପରେ ନିକଟରେ ଥିବା କଂକ୍ରିଟ କାନ୍ଥରେ ପିଟି ହେବାରୁ ଏଥିରେ ହଠାତ୍ ଭୟଙ୍କର ନିଆଁ ଲାଗିଯାଇଥିଲା। ପ୍ରବଳ ନିଆଁ ଜଳି ଉଠିବାରୁ ଯାତ୍ରୀମାନେ କେହି ବାହାରି ପାରି ନଥିଲେ। ଏଥିପାଇଁ ମୃତକଙ୍କ ସଂଖ୍ୟା ଏତେ ବଢ଼ିଗଲା ବୋଲି ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି। ତେବେ ବିମାନରେ ପକ୍ଷୀମାଡ଼ ହେବାରୁ ଏହାର ଲ୍ୟାଣ୍ଡିଂ ଗିଅର ଖରାପ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି।
ଏହି ଦୁର୍ଘଟଣାରେ ୧୭୬ ଲୋକଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୮୪ ଜଣ ମହିଳା, ୮୨ ଜଣ ପୁରୁଷ ଥିବା ବେଳେ ୧୧ ଜଣଙ୍କ ଲିଙ୍ଗ ନିରୁପଣ କରାଯାଇ ପାରିନାହିଁ ବୋଲି ଦକ୍ଷିଣ କୋରିଆ ଜାତୀୟ ଅଗ୍ନିଶମ ବିଭାଗ ଘୋଷଣା କରିଛି। ଦୁର୍ଘଟଣାର ୧୦ ଘଣ୍ଟା ପରେ ମଧ୍ୟ ୨ ଜଣଙ୍କ ପତ୍ତା ମିଳୁନଥିବା ବେଳେ ଜରୁରୀକାଳୀନ କର୍ମଚାରୀମାନେ ମାତ୍ର ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି।
ସୂଚନା ମୁତାବକ, ବର୍ତ୍ତମାନ ଦକ୍ଷିଣ କୋରିଆରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଦେଶର କାମଚଳା ରାଷ୍ଟ୍ରପତି ଭାବେ ଚୋଇ ସୁଂ-ମୋକ ଗତ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନ ଦେଶରେ ହୋଇଥିବା ଏହି ସର୍ବବୃହତ ବିମାନ ଦୁର୍ଘଟଣା ନୂଆ ସରକାରଙ୍କୁ ଚିନ୍ତାରେ ପକାଇଛି। ତେବେ ଏହି ଦୁର୍ଘଟଣା ପାଇଁ ସାର ଦେଶରେ ଏକ ସପ୍ତାହ ଧରି ଶୋକ ପାଳନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।