ଫିରିଙ୍ଗିଆ, ୮/୧୦: ଫୁଲବାଣୀ ସର୍କଲ ଜେଲ୍‌ରେ ବିଚାରାଧୀନ କଏଦୀ ଯଶୋବନ୍ତ ଅମାତଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ମୃତ ଯଶୋବନ୍ତଙ୍କ ଭାଇ କାର୍ତ୍ତିକ ଅମାତ ଏତଲା ଦେଇ ଜେଲ୍ ଭିତରେ ଯଶୋବନ୍ତଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ପରିବାର ଲୋକଙ୍କ ସମେତ ବହୁ ଗ୍ରାମବାସୀ ବୁଧବାର ଫିରିଙ୍ଗିଆ ଥାନା ସମ୍ମୁଖରେ ବସି ରହିଥିଲେ । ଦୋଷୀଙ୍କୁ ଦଣ୍ଡ ସହିତ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ ଲୋକେ । କେଲାପଡ଼ା ସରପଞ୍ଚ ସ୍ୱର୍ଣ୍ଣଲତା ପ୍ରଧାନ, ବିଧାୟକ ପ୍ରତିନିଧି ପ୍ରଶାନ୍ତ କାମ୍ପ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ । ଫିରିଙ୍ଗିଆ ବିଡିଓ ଅନୁପ ଅଭିଷେକ ବେହେରା, ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ପ୍ରମୁଖ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ବ୍ଲକ୍ ତରଫରୁ ୪୦ ହଜାର ଟଙ୍କା, ଥାନା ପକ୍ଷରୁ ୧୫ ହଜାର ଓ ଜିଲ୍ଲା ପୁଲିସ ତରଫରୁ ୫ ହଜାର ଟଙ୍କା କ୍ଷତିପୂରଣ ଦେବା ଲାଗି ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଥିଲେ ଗ୍ରାମବାସୀ ।

ତେବେ ସେଠାରୁ ଆସିବା ପରେ ଫୁଲବାଣୀ ମଣ୍ଡଳ କାରାଗାର ଆଗରେ ଯଶୋବନ୍ତଙ୍କ ମୃତଦେହ ରଖି ପୁଣି ଧାରଣାରେ ବସିଛନ୍ତି ଲୋକେ । ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କହିଛନ୍ତି  । ସ୍ଥାନୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସୂଚନାନୁସାରେ, ଗତ ମାସରେ ଯଶୋବନ୍ତ ଓ ତାଙ୍କ ସ୍ତ୍ରୀ ଅମ୍ବିକା ଏକ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ଫୁଲବାଣୀ ଜେଲ୍‌ରେ ଥିଲେ । ଯଶୋବନ୍ତଙ୍କ ଶରୀର ଅସୁସ୍ଥ ହେବାରୁ ପ୍ରଥମେ ଫୁଲବାଣୀ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ବାଟରେ ଯଶୋବନ୍ତଙ୍କ ମୃତ୍ୟୁ ହୋଇଥିଲା ।