ସମ୍ବଲପୁର, ୨୮/୦୭ (ଯଜ୍ଞଦତ୍ତ ଜ୍ୟୋତିଷ): ପୂର୍ବରୁ ଜଙ୍ଗଲ ଜମି ମାଡ଼ି ବସୁଥିଲେ । ପତିତ, ଗୋଚର ଜମିକୁ ଛାଡୁ ନ ଥିଲେ । ଜୀବିତଙ୍କୁ ମୃତ ଦର୍ଶାଇ ଜମି ମାଲିକାନା ହସ୍ତାନ୍ତର କରିଦେଉଥିଲେ । ଏବେ ଜଳଭଣ୍ଡାରକୁ ବି ଛାଡ଼ିଲେନି । ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଅଞ୍ଚଳରୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ପ୍ରାୟ ସାଢ଼େ ୪ ଦଶନ୍ଧି ତଳେ ତିଆରି ହୋଇଥିବା ଦେବଝରଣ ଜଳଭଣ୍ଡାର ଭିତରେ ଥିବା ଟାପୁ ବିକ୍ରି ହୋଇଯାଇଛି । ଜଳଭଣ୍ଡାର ଭିତରର ପ୍ରାୟ ୯ ଏକର ଜାଗାକୁ ଜଣେ ବ୍ୟକ୍ତି କିଣି ନେଇଛନ୍ତି । ଜମି ଦଖଲକାରୀ ସେଠାରେ ନିର୍ମାଣ କାମ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।
୧୯୭୯ ମସିହାରେ ଯୁଯୁମୁରା ନିକଟ ଦେବଝରଣ ଜଳପ୍ରପାତର ଜଳ ସଂରକ୍ଷଣ କରିବାକୁ ଜଳଭଣ୍ଡାର ତିଆରି କରାଯାଇଥିଲା । ସମ୍ବଲପୁର କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ପ୍ରାୟ ୭୦ ଏକରରୁ ଅଧିକ ଜାଗାରେ ଏହି ଡ୍ୟାମ ତିଆରି କରାଯାଇଛି । ଏବେ ଜଳଭଣ୍ଡାର ଭିତରର ୮.୭ ଏକର ଜାଗାକୁ ଦଖଲକୁ ନେବାକୁ ଦାବି କରୁଛନ୍ତି ରାଜେନ୍ଦ୍ର କୁମାର ସୋରେନ୍ । ଗତବର୍ଷ ସେ ଏହି ଜମିକୁ ଜଗନ୍ନାଥ ଭୋଏଙ୍କଠାରୁ କିଣିଛନ୍ତି । ୨୦୨୪ ନଭେମ୍ବର ୧୩ରେ ଜମି ତାଙ୍କ ନାଁରେ ରେକର୍ଡ ହୋଇଛି । କେସ ନମ୍ବର ୧୦୦୧/୨୦୨୪ ଆଦେଶ ଅନୁସାରେ ଖତିଆନ କ୍ରମିକ ନମ୍ବର ୨ର ପ୍ଲଟ ନମ୍ବର ‘୪୩ ଏ’କୁ ଖାରଜ କରି ଖତିଆନ ନମ୍ବର ୪/୫ରେ ରେକର୍ଡ କରାଯାଇଛି । ଡ୍ୟାମ୍ ଜମି ବିକ୍ରି ହୋଇଥିଲେ ହେଁ, ଘଟଣା ସମ୍ପର୍କରେ ଟେର୍ ପାଇନି କ୍ଷୁଦ୍ର ଜଳସେଚନ ବିଭାଗ । ରାଜେନ୍ଦ୍ର ସେଠାରେ ନିର୍ମାଣ କାମ ଆରମ୍ଭ କରିବାକୁ ଯୋଜନା କରୁଥିବା ଜଣାପଡ଼ିବା ପରେ ଅଡୁଆରେ ପଡ଼ିଛି ବିଭାଗ । ଜମି କିଣାବିକାକୁ ପ୍ରାୟ ବର୍ଷେ ବିତି ଯାଇଥିବାବେଳେ ସମ୍ବଲପୁର କ୍ଷୁଦ୍ର ଜଳସେଚନ ବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି ।
ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏମ୍ଆଇ) କୁନ୍ଦନ ସିଂହ ନାୟକ କହିଛନ୍ତି, ଘଟଣା ସମ୍ପର୍କରେ ସୂଚନା ରହିଛି । କୌଣସି ଲିଖିତ ଅଭିଯୋଗ ନାହିଁ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି କୌଣସି ନିର୍ମାଣ କରିପାରିବେ ନାହିଁ । କାରଣ ସେ ଦାବି କରୁଥିବା ଜମି ଜଳଭଣ୍ଡାର ଭିତରେ ରହିଛି । କ୍ଷୁଦ୍ର ଜଳସେଚନ ବିଭାଗର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଏହି ଜମି ଅଧିଗ୍ରହଣ କରାଯାଇଛି । ଜଗନ୍ନାଥ ଭୋଏଙ୍କ ପୂର୍ବପୁରୁଷ ଏ ବାବଦ ଟଙ୍କା ନେଇଛନ୍ତି । ପୂର୍ବରୁ କିଛି ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ବିଭାଗ ନାଁରେ ରେକର୍ଡ ହୋଇପାରିନି । ଏହାର ଫାଇଦା ଉଠାଇ ଜମି ବିକ୍ରି କରାଯାଇଛି । ଏ ସମ୍ପର୍କିତ ରେକର୍ଡ ଖୋଜାଯାଉଛି । ଜମି କାହିଁକି ବିଭାଗ ନାମରେ ହୋଇନି, ତା’ର ରେକର୍ଡ ଅନୁଧ୍ୟାନ କରାଯାଉଛି । ଏହି ଜମି କ୍ଷୁଦ୍ର ଜଳସେଚନ ବିଭାଗର । ଯଦି ଏହାକୁ କେହି କିଣିଛି ବୋଲି କହୁଛି ସେ କ୍ଷତିରେ ପଡ଼ିବ ।