ଦାରିଙ୍ଗବାଡ଼ି,୨୬/୭ : ପ୍ରଥମେ ପ୍ରେମ, ପରେ ଶାରୀରିକ ସଂପର୍କ ରଖି ପ୍ରତାରଣା କଲେ ଯୁବକ । ଶେଷରେ ନ୍ୟାୟ ପାଇବା ଆଶାରେ ପ୍ରେମିକ ଘର ଆଗରେ ଭୋକ ଉପାସରେ ୨ ଦିନ ହେବ ଧାରଣାରେ ବସିଛନ୍ତି ଯୁବତୀ । ଯଦି ନ୍ୟାୟ ନମିଳେ ତାହେଲେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବ୍ରାହ୍ମଣୀଗାଁ ଥାନା ଗୁଡ଼ିକିଆ ଗ୍ରାମ ଅଞ୍ଚଳରେ।
ସୂଚନା ଅନୁସାରେ ଗୁଡ଼ିକିଆ ଗ୍ରାମର ତ୍ରିନାଥ ନାୟକଙ୍କ ପୁଅ ଟିଟୁ ଦୀର୍ଘ ବର୍ଷ ହେବ କିରାମାହା ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିଲେ । ପ୍ରେମ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ ଟିଟୁ। ଏପରିକି ବିବାହ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇ ଘରକୁ ନେଇଥିଲେ । ଟିଟୁ ପରିବାର ଲୋକେ ରାଜି ନ ହେବା ଯୋଗୁଁ ଯୁବତୀଙ୍କୁ ନିଜ ଘରେ ଛାଡ଼ି ଦେଇ ଅନ୍ୟ କୁଆଡେ ଚାଲି ଯାଇଥିବାବେଳେ ଟିଟୁଙ୍କ ମା’ଯୁବତୀଙ୍କୁ ଘରୁ ବାହାର କରି ସେ ମଧ୍ୟ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି । ଫଳରେ ଯୁବତୀ ଜଣଙ୍କ ୨ ଦିନ ହେବ ଭୋକ ଉପବାସରେ ଘର ଆଗରେ ଧାରଣାରେ ବସି ରହିଛନ୍ତି ।
ନ୍ୟାୟ ପାଇବା ଆଶା ରଖିଥିବାବେଳେ ଯଦି ନ୍ୟାୟ ନ ମିଳେ ତା’ହାଲେ ଘର ଆଗରେ ପେଟ୍ରୋଲ ଢ଼ାଳି ନିଜକୁ ଆତ୍ମହୁତି ଦେବେ ବୋଲି ମହିଳା ଜଣଙ୍କ କହିଛନ୍ତି । ଏ ନେଇ ଯୁବତୀଙ୍କ ବାପା ଶୁକ୍ରବାର ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେବାକୁ ଯାଇଥିବାବେଳେ ପୁଲିସ ଏତଲା ରଖିବାକୁ ମନା କରିଥିଲେ । ଝିଅ ଆସି ଏତଲା ଦେଲେ ହିଁ ଏତଲା ରଖା ଯିବ ବୋଲି ପୋଲିସ କହିଥିଲା । ଫଳରେ ନିରାଶ ହୋଇ ଫେରିଥିଲେ ବାପା । ଝିଅ ମାନସିକ ସ୍ତରରେ ଚାପଗ୍ରସ୍ତ ରହିଥିବାବେଳେ କେତେବେଳେ କ’ଣ ହେବ ତାହା କିଛି କହିହେବ ନାହିଁ । ଏଣୁ ପୁଲିସ ଏଥିପ୍ରତି ଗୁରୁତ୍ବ ଦେଇ ଝିଅକୁ ନ୍ୟାୟ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।