ନୂଆଦିଲ୍ଲୀ,୧୫/୦୬; ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇ ବିଜୟ ଖାତା ଖୋଲିଛି ଟିମ୍ ଇଣ୍ଡିଆ । ପାକିସ୍ତାନ ପୁରୁଷ ଦଳ ଭଳି ମହିଳାମାନେ ମଧ୍ୟ ଭାରତକୁ ଟକ୍କର ଦେବାରେ ଅସମର୍ଥ । କେବଳ କଥାରେ ସୀମିତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ପ୍ରଦର୍ଶନରେ ପୂରା ଫେଲ୍ । ଚଳିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଧରାଶାୟୀ କରିଛି । ଗ୍ରୁପ୍‌-୧ର ଏହି ମ୍ୟାଚ୍‌ରେ ଦଳ ୬୪ରନ୍‌ରେ ବିଜୟୀ ହେବା ସହ ପୂର୍ଣ୍ଣ ୨ ପଏଣ୍ଟ ହାସଲ କରିଛି । ଏହି ମ୍ୟାଚରେ ବ୍ୟାଟିଂରେ ସ୍ମୃତି ମନ୍ଧନା ଦମଦାର ଇନିଂସ ଖେଳିଥିଲେ । କିନ୍ତୁ ବୋଲିଂରେ ମ୍ୟାଜିକ୍ କରିଥିଲେ ଦୀପ୍ତି ଶର୍ମା । ୫ଟି ୱିକେଟ ନେଇ ପାକିସ୍ତାନ ଉପରେ ବର୍ଷି ପଡିଲେ ଦୀପ୍ତି । ଏହି ସଫଳତା ସହି ଇତିହାସ ରଚିଛନ୍ତି ସ୍ପିନ ବୋଲିଂ ଅଲରାଉଣ୍ଡର ଦୀପ୍ତି

ଭାରତ ପାକିସ୍ତାନ ହାଇଭୋଲ୍ଟଜ୍ ମ୍ୟାଚରେ ଦୀପ୍ତି ଶର୍ମା ଘାତକ ବୋଲିଂ କରିଥିଲେ । ମାତ୍ର ୧୦ ରନ୍ ଦେଇ ୫ ୱିକେଟ୍ ନେଇଥିଲେ । ମହିଳା ଟି-୨୦ ବିଶ୍ୱକପ୍ ଇତିହାସରେ ଏହା ଜଣେ ଭାରତୀୟଙ୍କ ଦ୍ୱାରା ଏକ ମ୍ୟାଚ୍ରେ ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ ଥିଲା । ରେଣୁକା ସିଂହ ଠାକୁରଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପ୍ତି । ଯିଏକି ୨୦୨୩ ସଂସ୍କରଣରେ ଇଂଲଣ୍ଡ ବିପକ୍ଷରେ ୧୫ ରନ୍ ଦେଇ ୫ ୱିକେଟ୍ ନେଇଥିଲେ । ମ୍ୟାଚରେ ଦୀପ୍ତି ଗୁଲ୍ ଫିରୋଜା, ଆୟେଶା ଜାଫର, ଆଲିଆ ରିଆଜ୍, ନାଶରା ସାନ୍ଧୁ ଏବଂ ତସମା ରୁବାବଙ୍କ ୱିକେଟ୍ ନେଇଥିଲେ । ପାକିସ୍ତାନୀ ବ୍ୟାଟର ତାଙ୍କର ସଠିକ୍ ଲାଇନ୍ ଏବଂ ଲେନ୍ଥ ଏବଂ ନିୟନ୍ତ୍ରଣକୁ ସହି ପାରିନଥିଲେ । ଏହି ୫ ୱିକେଟ୍ ସଫଳତା ସହିତ ମହିଳା ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ୧୬୬ ୱିକେଟ୍ ହାସଲ କରିଛନ୍ତି ସ୍ପିନ୍ କୁଇନ୍ ଦୀପ୍ତି । ତାଙ୍କ ସ୍ପେଲ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଲା । ସେହିପରି ମହିଳା ଟି-ଟ୍ୱେଣ୍ଟିରେ ସର୍ବାଧିକ ୫ ୱିକେଟ୍ ଅକ୍ତିଆର କରିଥିବା ତାଲିକାରେ ଏକମାତ୍ର ଭାରତୀୟ ଭାବେ ଦୀପ୍ତି ଷଷ୍ଠ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜରେ ଅନିସା ମହମ୍ମଦ ପ୍ରଥମ ସ୍ଥାନରେ ଅଛନ୍ତି ।

ଏହା ବି ପଢନ୍ତୁ...Women’s T20 World Cup 2026 : ଭାରତର ଦମଦାର୍ ବିଜୟ, ପାକିସ୍ତାନକୁ ୬୪ରନରେ ହରାଇଲା  

ମ୍ୟାଚ ବାବଦରେ କହିବାକୁ ଗଲେ, ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ବିନିମୟରେ ୧୭୦ ରନ୍‌ କରିଥିଲା । ଜବାବରେ ପାକିସ୍ତାନ ୧୭ ଓଭରରେ ୧୦୬ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଦୀପ୍ତି ଶର୍ମା (୫ ୱିକେଟ୍‌) ଓ ଶ୍ରୀ ଚରଣୀଙ୍କ (୩ ୱିକେଟ୍‌) ସ୍ପିନ ଯାଦୁରେ ପାକିସ୍ତାନ ପବନରେ ଉଡ଼ିଯାଇଥିଲା । ଦୀପ୍ତି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଶେଫାଳି ବର୍ମା ପ୍ରଥମ ବଲ୍ ଛକା ମାରିଥିଲେ । ପରେ ପରେ ଆଉଟ୍ ହୋଇଥିଲେ । ଏହା ପରେ ଜେମିମା ବି ବେଶୀ ସମୟ ତିଷ୍ଠି ନଥିଲେ ।  ୧୮ରନ୍‌ ମଧ୍ୟରେ ୨ଟି ୱିକେଟ୍‌ ହରାଇଥିଲା ଭାରତ ।  ଟିମ୍ ଇଣ୍ଡିଆ ସଂଘର୍ଷ କରୁଥିବା ସମୟରେ ଅଧିନାୟିକା ଏବଂ ଉପ-ଅଧିନାୟିକା ସମ୍ଭାଳି ଖେଳିଥିଲେ ।

ସ୍ମୃତି ମନ୍ଧାନା ୩୪ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ୧୦୯ରେ ମନ୍ଧନାଙ୍କ ୱିକେଟର ପତନ ଘଟିଥିଲା । ସେ ୯ଚୌକା ଓ ୨ଛକା ବଳରେ ୬୮ରନ୍‌ କରି ଆଉଟ୍‌ କରିଥିଲେ । ମଧ୍ୟକ୍ରମରେ ଭାରତୀ ଫୁଲମାଳି (୧) ବିଫଳ ହୋଇଥିଲେ । ହର୍ମନପ୍ରୀତ ମଧ୍ୟ ୩୬ ରନ୍‌ କରି ବିଦାୟ ନେଇଥିଲେ । ମାତ୍ର ୱିକେଟ୍‌ କିପର ବ୍ୟାଟର ରିଚା ଘୋଷ ପାକିସ୍ତାନ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ସେ ୧୭ବଲ୍‌ରେ ଦ୍ରୁତ ୩୪ (୫ଚୌକା, ୧ଛକା) ରନ୍‌ ଯୋଗ କରିବା ଫଳରେ ଦଳୀୟ ସ୍କୋର ୬/୧୭୦ରେ ପହଞ୍ଚି ଯାଇଥିଲା । ଦୀପ୍ତି ଶର୍ମା ୧୨ ରନ୍‌ କରି ଅପରାଜିତ ରହିଥିଲେ ।