ନୂଆଦିଲ୍ଲୀ,୦୨/୧୦: ବିଜୟାଦଶମୀରେ ପାକିସ୍ତାନକୁ ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଉଲ୍ଲଂଘନ କରିବାରେ ବିଫଳ ହୋଇଥିଲା। ଆମର ସେନା ଏହାର ଉଚିତ ଜବାବ ଦେଇଛି।   ଯଦି ପାକିସ୍ତାନ ସର୍ କ୍ରିକ୍ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ସାହସ କରେ ତେବେ ଏହାର ଭୌଗୋଳିକ ପରିବର୍ତ୍ତନ କରାଯିବ।

ବିଜୟାଦଶମୀ ଅବସରରେ ଗୁଜରାଟର କଚ୍ଛରେ ଶାସ୍ତ୍ର ପୂଜନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ। ପରେ ଭାରତୀୟ ସୈନିକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ, " ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଲେହରୁ ସର୍ କ୍ରିକ୍ ଅଞ୍ଚଳ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ପ୍ରବେଶ କରିବାକୁ ବିଫଳ ହୋଇଥିଲା। ତଥାପି ଏହାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ଭାରତୀୟ ସେନା ପାକିସ୍ତାନୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ପର୍ଦ୍ଦାଫାଶ କରିଦେଇଥିଲା। ଯାହା ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲା ଯେ ଭାରତୀୟ ସେନା ଯେତେବେଳେ ଯେ କୌଣସି ସ୍ଥାନରେ ଏବଂ ଯେପରି ଇଚ୍ଛା ପାକିସ୍ତାନକୁ ଭାରୀ କ୍ଷତି ପହଞ୍ଚାଇ ପାରିବେ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ," ସ୍ୱାଧୀନତାର ୭୮ ବର୍ଷ ସତ୍ତ୍ୱେ ସର୍ କ୍ରିକ୍ ଅଞ୍ଚଳରେ ସୀମା ବିବାଦ ଏବେ ବି ଉଠାଯାଉଛି। ଭାରତ ବାରମ୍ବାର ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛି କିନ୍ତୁ ପାକିସ୍ତାନର ଉଦ୍ଦେଶ୍ୟ ତ୍ରୁଟିପୂର୍ଣ୍ଣ ଏବଂ ଅସ୍ପଷ୍ଟ। ସର୍ କ୍ରିକ୍ ସଂଲଗ୍ନ ଅଞ୍ଚଳରେ ସାମରିକ ଭିତ୍ତିଭୂମିର ସମ୍ପ୍ରସାରଣ ଏହାର ଉଦ୍ଦେଶ୍ୟକୁ  ପ୍ରକାଶ କରୁଛି।" ଭାରତୀୟ ସେନା ଏବଂ ବିଏସଏଫ ଭାରତର ସୀମାକୁ ସତର୍କତାର ସହ ସୁରକ୍ଷା ଦେଉଛନ୍ତି । ସର୍ କ୍ରିକ୍ ଅଞ୍ଚଳରେ ପାକିସ୍ତାନର ଯେ କୌଣସି ଆକ୍ରମଣର କଡ଼ା ଜବାବ ଦିଆଯିବ।  ଯାହା ଇତିହାସ ଏବଂ ଭୂଗୋଳ ଉଭୟକୁ ବଦଳାଇ ଦେବ। ପାକିସ୍ତାନ ମନେ ରଖିବା ଉଚିତ ଯେ କରାଚୀକୁ ଯିବା ପାଇଁ ଗୋଟିଏ ରାସ୍ତା କ୍ରିକ୍ ଦେଇ ଯାଇଥାଏ। "