ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଶିଷ୍ଟତାର ପରିଭାଷା

Published By : Rasmita Pradhan | June 25, 2025 9:23 AM

ଆଜିର ଯୁଗ ବିଜ୍ଞାନ ଓ କାରିଗରୀ କୌଶଳର ଯୁଗ । ବିଜ୍ଞାନ ଅନେକ କିଛି ଦେଇଛି ଆଜିର ମଣିଷକୁ । ବିଜ୍ଞାନର ନୂତନ ଜ୍ଞାନ ବଳରେ ଏକଦା ଅସମ୍ଭବ ମନେ ହେଉଥିବା ଅନେକ କାର୍ଯ୍ୟ ଅଧୁନା ସହଜ ଓ ସମ୍ଭବ ହୋଇପାରିଛି । ମଣିଷର ପାର୍ଥିବ ସୁଖ ସମୃଦ୍ଧି ଯଥେଷ୍ଟ ବୃଦ୍ଧି ପାଇଛି । ତେବେ, ଏହା ହେଉଛି ମୁଦ୍ରାର ଗୋଟିଏ ପାଶ୍ୱର୍ ଯାହାକୁ ଦେଖି ଆମେ ତଲ୍ଲୀନ ହେଉଛେ । ଅନ୍ୟପଟେ, ମୁଦ୍ରାର ଅପର ପାର୍ଶ୍ୱକୁ ଦେଖିଲେ ମନରେ ନୈରାଶ୍ୟ ଭାବଟିଏ ସୃଷ୍ଟି ହୁଏ । ତାହା ହେଲା– ମାନବୀୟ ଗୁଣାବଳୀର ଘୋର ଅବକ୍ଷୟ । କହିବାକୁ ଗଲେ, ପାର୍ଥିବ ପ୍ରାଚୁର୍ଯ୍ୟ ଆମକୁ ଯେତିକି ଖୁସି କରାଉଛି, ମାନବୀୟ ଗୁଣାବଳୀର ଅବକ୍ଷୟ ଆମକୁ ତା'ଠାରୁ ଅଧିକ ଦୁଃଖୀ କରାଉଛି । ବାସ୍ତବରେ ସମସ୍ତ ମାନବୀୟ ଗୁଣାବଳୀ ମଧ୍ୟରେ ଶିଷ୍ଟତା ହେଉଛି ଶ୍ରେଷ୍ଠ । ଏହା ଏପରି ଏକ ଗୁଣ, ଯାହା ମନୁଷ୍ୟକୁ ସବୁକାଳେ ମହାନ କରି ତୋଳିଥାଏ । ପୁନଶ୍ଚ, ଏହି ଗୁଣ ବିନା ମୂଲ୍ୟରେ ପ୍ରାପ୍ତ ହୋଇଥାଏ । କିନ୍ତୁ ଏହାଦ୍ୱାରା ସବୁକିଛି ହାସଲ କରାଯାଇପାରେ । 

ଶିଷ୍ଟ ମଣିଷଟି ସବୁଠି ବାରି ହୋଇପଡ଼େ । ନିଜର ନମ୍ର ଓ ଭଦ୍ରୋଚିତ ଆଚରଣ ଦ୍ୱାରା ସେ ସମସ୍ତଙ୍କୁ ଆପଣାର କରିପାରେ । ତେବେ, ଶିଷ୍ଟତା ଆଚରଣରେ ହିଁ ପ୍ରକାଶ ପାଇଥାଏ । ଶିଷ୍ଟାଚାରୀ ମଣିଷଟିର ଭାଷା ସଂଯତ, ବ୍ୟବହାର ଭଦ୍ରୋଚିତ ଏବଂ ଚାଲିଚଳନ ସର୍ବଦା ଆଦର୍ଶ ସ୍ଥାନୀୟ । ଶିଷ୍ଟାଚାର ପରିବାରରୁ ହିଁ ଆରମ୍ଭ ହୋଇଥାଏ । ପରିବାରରେ ପିତାମାତା, ଭାଇଭଉଣୀ, ଜେଜେବାପା, ମାଆ ତଥା ଅନ୍ୟମାନେ ମିଶି ରହନ୍ତି । ପରିବାରର ସଦସ୍ୟମାନେ ପରସ୍ପର ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କଲେ ପରିବାରରେ ସଂପ୍ରୀତି ଓ ସଂହତି ବୃଦ୍ଧି ପାଏ । ଏହା କ୍ରମେ ପ୍ରତିବେଶୀକୁ ପ୍ରଭାବିତ କରେ । କ୍ରମଶଃ, ଗାଁ, ସହର, ଜିଲ୍ଲା, ରାଜ୍ୟ ଓ ଦେଶକୁ ଏହା ପରିବ୍ୟାପ୍ତ ହୋଇ ଶେଷରେ ବିଶ୍ୱସ୍ତରକୁ ଏହା ପ୍ରଭାବିତ କରିଥାଏ । ପରିବାରରୁ ଏକ ଛୋଟିଆ ବିନ୍ଦୁ ସଦୃଶ ଆରମ୍ଭ ହୋଇଥିବା ଶିଷ୍ଟତା ପରିଶେଷରେ ବିଶ୍ୱ ସ୍ତରରେ ପହଞ୍ଚିଲା ବେଳକୁ ମହାସିନ୍ଧୁରେ ପରିଣତ ହୋଇ ସାରିଥାଏ । ହେଲେ, ଆଜିର ଉଗ୍ର ଆଧୁନିକତା ଏ କ୍ଷେତ୍ରରେ କିଛିଟା ପ୍ରତିବନ୍ଧକ ସାଜୁଛି । ଉଗ୍ର ଆଧୁନିକତା ଆଜି ମଣିଷର ଚଳଣିକୁ ବିଶେଷ ପ୍ରଭାବିତ କରିଛି । କହିବା ନିଷ୍ପ୍ରୟୋଜନ ଯେ ଆଜି ସମ୍ପର୍କ ସଙ୍କୁଚିତ ଓ ପରିବାର ସଂକୀର୍ଣ୍ଣ । ପାର୍ଥିବ ପ୍ରାଚୁର୍ଯ୍ୟ ଭିତରେ ନୀତି ନୈତିକତାର କଥା ହଜିଗଲାଣି ଆମ ଭିତରେ । ଉପରକୁ ଉଠିବାର ନିଶା ଏମିତି ଘାରିଛି ମଣିଷକୁ ଯେ, ଏଥିପାଇଁ ସେ ଅନ୍ୟକୁ ପଦଦଳିତ କରିବା ପାଇଁ ସାମାନ୍ୟତମ କୁଣ୍ଠା ପ୍ରକାଶ କରୁନାହିଁ । ରାଷ୍ଟ୍ର ଓ ବିଶ୍ୱ ତ ବହୁତ ଦୂରର କଥା, ପରିବାର ଭିତରେ ସଞ୍ଜତ ଓ ନମ୍ର ବ୍ୟବହାର ଅଭାବ । ପାର୍ଥିବ ଉନ୍ନତିର କଥା ଏମିତି ଘାରୁଛି ଯେ ଶିଷ୍ଟାଚାର କଥାକୁ ମନରୁ ପାସୋରି ଗଲାଣି ମଣିଷ । ପ୍ରତିଦିନ ଏହାର ମାଳମାଳ ଉଦାହରଣ ଆମେ ଦେଖିବାକୁ ପାଉଛେ । ଶିଷ୍ଟାଚାର ଅଭାବରୁ ଅଧୁନା ସମାଜ କଳୁଷିତ । 

ସମାଜରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏକ ସ୍ୱପ୍ନ । ସବୁଠି ହିଂସା, ଦ୍ୱେଷ, ପରଶ୍ରୀକାତରତା, ଅସହିଷ୍ଣୁତା, ଈର୍ଷା ଓ ଅସୂୟାଭାବ । ଏହା ଫଳରେ କେବଳ ଯେ ବର୍ତ୍ତମାନର ସ୍ଥିତି ବିଗୁଡ଼ୁଛି ତାହା ନୁହେଁ, ଭବିଷ୍ୟତ ମଧ୍ୟ ପ୍ରଭାବିତ ହେଉଛି । ଏକ ସୁନ୍ଦର ଭବିଷ୍ୟତର ଛବିଟିଏ ପରିକଳ୍ପନା କରାଯାଇ ପାରୁନାହିଁ । କାରଣ, ଆଜିର ସ୍ଥିତି ଉପରେ ଆସନ୍ତା କାଲିଟି ପର୍ଯ୍ୟବେସିତ । ଆଜିର ତରୁଣ ଗୋଷ୍ଠୀ ଆସନ୍ତା କାଲି ରାଷ୍ଟ୍ରର କର୍ଣ୍ଣଧାର । ଶିଷ୍ଟାଚାର ସାଧାରଣତଃ ଶିଷ୍ଟାଚାର ଶିକ୍ଷାଦାତାଙ୍କ ଆଚରଣ ଉପରେ ନିର୍ଭର କରେ । ଯଦି ପରିବାରରେ ପିତାମାତା ସତ୍ୟନିଷ୍ଠ ଓ ନ୍ୟାୟବାନ, ତେବେ ପିଲାମାନଙ୍କ ଉପରେ ତାହାର ଉତ୍ତମ ପ୍ରଭାବ ପଡ଼ିଥାଏ । ଏହା ପରେ ଆସେ ଶିକ୍ଷାନୁଷ୍ଠାନର କଥା । ଶିକ୍ଷାନୁଷ୍ଠାନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଆଚରଣ ଓ ଉଚ୍ଚାରଣ ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପକାଏ । କେହି କେହି ମତ ଦିଅନ୍ତି ଯେ ଆଧୁନିକତା ଶିଷ୍ଟାଚାରର ପରିପନ୍ଥୀ । କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ୍‌ । ଆଦିମ ଯୁଗରୁ ଆଧୁନିକ ଯୁଗ ଯାଏଁ ସବୁଠି ମଣିଷର ଶ୍ରେଷ୍ଠତ୍ୱ ବଜାୟ ରହିଆସିଛି । ତେବେ ସଂପ୍ରତି ଆଧୁନିକତା ନାଁରେ ଅନେକ ଅପସଂସ୍କୃତି ଆମକୁ ଆବୋରି ବସିଛି । ଏହି ଅପସଂସ୍କୃତି ହିଁ ଶିଷ୍ଟତାର ପରିପନ୍ଥୀ । ଅତଏବ, ଆମେ ଆଧୁନିକତା ନାଁରେ ଉଗ୍ର ଆଧୁନିକତାକୁ ପ୍ରଶ୍ରୟ ଦେବା ନାହିଁ କି ସଂସ୍କୃତି ନାଁରେ ଅପସଂସ୍କୃତିକୁ ଆପଣେଇବା ନାହିଁ । ଗୋଟିଏ କଥା ମନେ ରଖିବା ଯେ, ଶିଷ୍ଟାଚାରୀ ମଣିଷମାନେ ହିଁ ସବୁକାଳେ ଏକ ସୁସଂସ୍କୃତ ଓ ସୁସମୃଦ୍ଧ ରାଷ୍ଟ୍ର ଗଠନର ବିନ୍ଧାଣୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.