ମେ' ସରିବାକୁ ବସିଲାଣି। ଏତେବେଳକୁ ଗହୀରମଥାର ବାଲୁକାଶଯ୍ୟାରେ ପୋତା ହୋଇଥିବା ଅଣ୍ଡା ଫଟାଇ ଲକ୍ଷ ଲକ୍ଷ ନବଜାତ କଇଁଛ ଗୁରୁଣ୍ଡି ଗୁରୁଣ୍ଡି ଧାଉଁଥାନ୍ତେ ସମୁଦ୍ରର ନୀଳ ଜଳରାଶି ଆଡ଼କୁ। ଏଥର ବିଡ଼ମ୍ବନା, ସେଭଳି ରୋମାଞ୍ଚକ ଦୃଶ୍ୟ ଏବର୍ଷ ଦେଖିବାକୁ ମିଳିଲା ନାହିଁ। ଆଗକୁ ଏଭଳି ଦୃଶ୍ୟ ଆଉ ଦେଖିବାକୁ ମିଳିବ କି ନାହିଁ ତାହା ମଧ୍ୟ ସନ୍ଦେହରେ। ପ୍ରତିବର୍ଷ ଓଡ଼ିଶାର ଉପକୂଳବର୍ତ୍ତୀ ଇଲାକା ଗହୀରମଥା ଓ ଋଷିକୁଲ୍ୟା ନଦୀ ମୁହାଣକୁ ଅଣ୍ଡା ଦେବା ପାଇଁ ସମୁଦ୍ର ପଥରେ ହଜାର ହଜାର ମାଇଲ୍ ଅତିକ୍ରମ କରି ଆସିଥାଆନ୍ତି ଲକ୍ଷ ଲକ୍ଷ ସଂଖ୍ୟକ ବିରଳ ଅଲିଭରିଡଲେ କଇଁଛ। ଗହୀରମଥା ଏହି ସାମୁଦ୍ରିକ ଜୀବଙ୍କ ଅନ୍ୟତମ ବୃହତ ପ୍ରଜନନ କେନ୍ଦ୍ର ବା ଅନ୍ତୁଡ଼ିଶାଳ। ଏବର୍ଷ କିନ୍ତୁ ଗହୀରମଥାରେ ଗଣଅଣ୍ଡାଦାନ ଏଯାଏ ସମ୍ଭବ ହୋଇନି। ଶୂନଶାନ ମନେ ହେଉଛି ଅଲିଭରିଡଲେଙ୍କ ଅନ୍ତୁଡ଼ିଶାଳ। ଯାହାକୁ ନେଇ ପରିବେଶବିତ୍ ମାନେ ଏବେ ଚିନ୍ତାରେ।

​​​​​​​ରିପୋର୍ଟ
କେନ୍ଦ୍ରାପଡ଼ାରୁ ଜୀବନ ସିଂହ
ରାଜନଗରରୁ ବସନ୍ତ ହାତି
ମହାକାଳପଡ଼ାରୁ କଳ୍ପତରୁ ସାମଲ

ଚଳିତ ବର୍ଷ ଅଲିଭରିଡଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଗଣଅଣ୍ଡାଦାନ ବିଲକୁଲ ହୋଇପାରି ନାହିଁ ଏବର୍ଷ । ଅଣ୍ଡା ନଦେଇ ଫେରିଛନ୍ତି କଇଁଛ । ଏପ୍ରିଲ ଯାଇ ମେ’ ସରିବାକୁ ବସିଲାଣି । ଦୀର୍ଘ ଅଢ଼େଇ ମାସ ଧରି କୂଳରୁ ୫୦୦ ମିଟର ଯାଏ ଲକ୍ଷାଧିକ କଇଁଛ ଠୁଳ ହୋଇଥିଲେ ସତ । ହେଲେ ଅଣ୍ଡାଦାନ କରିନଥିଲେ । ଏବେ ୨ ସପ୍ତାହ ହେବ କଇଁଛଙ୍କୁ ଦେଖିବାକୁ ମିଳୁନି । ଓଡ଼ିଶାକୁ ଗଣଅଣ୍ଡାଦାନ କରିବାକୁ ଆସୁଥିବା କଇଁଛଙ୍କ ଭିତରୁ ପ୍ରତିବର୍ଷ ୫୦%ରୁ ଅଧିକ ଅଲିଭରିଡଲେ ରାଜ୍ୟର ଏହି ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ଆସିଥାନ୍ତି । ସମୁଦ୍ରର ନୀଳ ଜଳରାଶିରେ ସେମାନଙ୍କ ମିଳନ ପରେ ବେଳାଭୂମିର ବାଲୁକା ଶଯ୍ୟାରେ ଲକ୍ଷାଧିକ କଇଁଛ ସମୂହ ଅଣ୍ଡାଦାନ କରିଥାନ୍ତି । ୨୦୨୫ ମସିହା ମାର୍ଚ୍ଚ ମାସ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ କରିଥିଲେ । ପ୍ରତିବର୍ଷ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଅଲିଭରିଡ୍ଲେ କଇଁଛ ଅଣ୍ଡାଦାନ କରିଥାନ୍ତି । ବେଳେବେଳେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ମଧ୍ୟ ସମୂହ ଅଣ୍ଡାଦାନ ହୋଇଥାଏ । ମାତ୍ର ଚଳିତବର୍ଷ ସେଭଳି ନହେବାରୁ ପରିବେଶବିତ୍ମାନେ ଚିନ୍ତାରେ ପଡ଼ିଛନ୍ତି । ୧୯୯୭ ମସିହାରୁ ଅଲିଭରିଡଲେକଇଁଛମାନଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଗହୀରମଥା ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ମିଳିଛି । ଧାମରା ମୁହାଣରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ପ୍ରାୟ ୭୦ କିଲୋମିଟର ବ୍ୟାପୀ ଉପକୂଳ ଅଞ୍ଚଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପରିସରରେ ଆସୁଛି । ବିରଳ ଅଲିଭରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ସମୟରେ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥାଏ । ତେବେ ଏବର୍ଷ ସମୂହ ଅଣ୍ଡାଦାନ ବିଳମ୍ବିତ ହେବା ବା ଏଯାଏ ଆଦୌ ନହେବା ପଛରେ ବିଭିନ୍ନ କାରଣକୁ ଦାୟୀ କରାଯାଉଛି । ଜଳବାୟୁ ପରିବର୍ତ୍ତନ ସହ ଲୁଚାଛପାରେ ଗହୀରମଥାରେ ଟ୍ରଲର ଓ ବଡ଼ ବଡ଼ ବୋଟ୍ ଜରିଆରେ ମାଛ ଧରାଯାଉଥିବାରୁ ଜାଲ ଫାଶରେ ପଡ଼ି କଇଁଛଙ୍କ ମୃତ୍ୟୁ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିଛି । ପ୍ରଦୂଷିତ ସମୁଦ୍ର ପାଣି ହେଉ ଅବା ସମୁଦ୍ରରେ ପ୍ଲାଷ୍ଟିକ୍ ବସ୍ତୁ ଭାସିବା କାରଣରୁ ଏସବୁ ଘଟୁଛି ବୋଲି ପରିବେଶବିତ୍ମାନଙ୍କ ଅଭିଯୋଗ ।

ଝୁଣି ଖାଉଛନ୍ତି କୁକୁର

କଇଁଛଙ୍କ ମିଳନ ପୂର୍ବରୁ ଯାଉଛି ଜୀବନ । ଟ୍ରଲର୍ ମାଡ଼ ଓ ବଡ଼ ବଡ଼ ବୋଟ୍ ଜାଲରେ ଫସି ପ୍ରାଣ ହରାଉଛନ୍ତି ବିଦେଶୀ ଅତିଥି ଅଲିଭରିଡଲେ । କେଉଁଠି ମରଶରୀର ବେଳାଭୂମିରେ ପଡ଼ି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ତ ପୁଣି କେଉଁଠି କାଉ ଓ କୁକୁର ଝୁଣି ଖାଉଛନ୍ତି । ରାଜନଗର ବନଖଣ୍ଡ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଭିନ୍ନ ସମୟରେ ଏଭଳି କିଛି ଯନ୍ତ୍ରଣାଦାୟକ ଚିତ୍ର ସାମ୍ନାକୁ ଆସିଛି । ବନ ବିଭାଗ ତରଫରୁ ୨୦୨୬-୨୭ ମସିହାରେ ନଭେମ୍ବରୁ ମାର୍ଚ୍ଚ ସୁଦ୍ଧା ପ୍ରାୟ ୫୮୪ ଅଲିଭରିଡଲେଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଅଧିକ କଇଁଛ ଜୀବନ ହରାଇଥିବା ଅଭିଯୋଗ ହୁଏ ।

ଘାତକ ସାଜିଛି ଭିଏଚ୍ଏଫ୍ ସେଟ୍?

ବେଆଇନ ଭିଏଚ୍ଏଫ୍ ଟାୱାର ବଙ୍ଗଳା ଭାଷାଭାଷୀ ଅଞ୍ଚଳରେ କାୟା ବିସ୍ତାର କରିଛି । କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକର ବିଭିନ୍ନ ଅଞ୍ଚଳ ସହ ରାଜନଗର ବ୍ଲକର ତାଳଚୁଆ ସାମୁଦ୍ରିକ ଥାନା ନିକଟବର୍ତ୍ତୀ ଅଞ୍ଚଳରେ ମାଳମାଳ ଭିଏଚ୍ଏଫ୍ ଟାୱାର ଦେଖିବାକୁ ମିଳେ । ଯଦ୍ୱାରା ଅଲିଭରିଡଲେଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟ୍ରଲରରେ ମାଛ ଧରିବାକୁ ଯାଉଥିବା ଡ୍ରାଇଭର, କର୍ମଚାରୀ ଓ ମାଲିକ ବେଆଇନ ଭାବରେ ଭିଏଚ୍ଏଫ୍ ବ୍ୟବହାର କରୁଛନ୍ତି । ଫଳରେ ଆଗୁଆ ଖବର ପାଇ ବନ ବିଭାଗର ପାଟ୍ରୋଲିଂ ବୋଟକୁ ଚକମା ଦେଇ ଖସିଯିବାରେ ସକ୍ଷମ ହେଉଛନ୍ତି । ଟ୍ରଲର ମାଲିକମାନେ ବେଆଇନ ଭିଏଚ୍ଏଫ୍ ସେଟ୍ ବ୍ୟବହାର ପାଇଁ ଅନୁମତି ଆବଶ୍ୟକତା ରହିଛି କି ନାହିଁ, ତାହା ଯାଞ୍ଚ୍ ହେଉନାହିଁ । ଟ୍ରଲର ମାଲିକମାନେ ନିଜ ଟ୍ରଲରରେ ଏକାଧିକ ଭିଏଚ୍ଏଫ୍ ସେଟ ବ୍ୟବହାର କରୁଥିବା କୁହାଯାଉଛି । ଏମାନେ ହାଇଟେରା, ଏଲ୍ଏନ୍ସ୍କା ଓ ମୋଟରଲା କମ୍ପାନୀର ଭିଏଚ୍ଏଫ୍ ସେଟ୍ ବ୍ୟବହାର କରୁଛନ୍ତି । ଜନୈକ ମତ୍ସ୍ୟଜୀବୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ବୋଟ୍ ଓ ଟ୍ରଲରର କର୍ମଚାରୀ ଏବଂ ଡ୍ରାଇଭରଙ୍କୁ ସୁରକ୍ଷା ଦେବା ପାଇଁ ସାଧାରଣ ଲୋକଟିଏ ଭିଏଚ୍ଏଫ୍ ଟାୱାର ମାଧ୍ୟମରେ ବନ ବିଭାଗର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦେଇ ମାଲିକମାନଙ୍କଠାରୁ ମୋଟା ଅଙ୍କର ଆର୍ଥିକ ସହାୟତା ନେଉଛି । ଏପରିକି ବନ ବିଭାଗରେ କାମ କରୁଥିବା କିଛି କର୍ମଚାରୀ ମୋବାଇଲରେ ମେସେଜ୍ ଦେଇ ପରବର୍ତ୍ତୀ ସମୟରେ କାଟି ଦେଉଥିବା ଅଭିଯୋଗ ରହିଛି । ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଭିଏଚ୍ଏଫ୍ ଟାୱାର ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇପାରନ୍ତା ।

ଫେଲ୍ ମାରିଛି ‘ଅପରେସନ୍ ଅଲିଭା’

ଅଲିଭରିଡଲେଙ୍କ ଜୀବନ ପ୍ରତି ବଢ଼ୁଥିବା ବିପଦକୁ ଦେଖି ୧୯୯୯ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ‘ଅପରେସନ୍ ଅଲିଭା’ ଅଭିଯାନ ଆରମ୍ଭ କରିଥିଲେ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମିଳନ ଓ ଅଣ୍ଡାଦାନ ସମୟରେ ଅଲିଭ୍ରିଡ୍ଲେ କଇଁଛଙ୍କୁ ସୁରକ୍ଷା ଯୋଗାଇ ଦେବା । ଏଥିପାଇଁ ଉପକୂଳ ସୁରକ୍ଷା ବାହିନୀକୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା । ହେଲେ ଏହା କେବଳ କାଗଜପତ୍ରରେ ସୀମତ ରହିଯାଇଛି । ୧୯୯୮ ମସିହାରେ ଅଲିଭରିଡଲେଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ସଂଖ୍ୟା ବଢ଼ିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଉପକୂଳ ସୁରକ୍ଷା ବହିନୀ ଏଥିପାଇଁ ସ୍ୱତନ୍ତ୍ର ଭାବେ ଜାହାଜ ମୁତୟନ କରିବ । ଯାହା ଗଣଅଣ୍ଡାଦାନ କରିବାକୁ ଆସୁଥିବା ୫ କଇଁଛ ପ୍ରଜାତିଙ୍କୁ ସୁରକ୍ଷା ଯୋଗାଇ ଦେବ । ଅଲିଭରିଡଲେଙ୍କ ସହ ହକ୍ସବିଲ୍, ଗ୍ରୀନ ଟର୍ଟଲ, ଲେଦରବ୍ୟାକ୍, ଲଗରହେଡ୍ ପ୍ରଜାତିର କଇଁଛ ବିପଦରୁ ରକ୍ଷା ପାଇବେ । ହେଲେ ଏହି ଅଭିଯାନ କେବଳ କାଗଜପତ୍ରରେ ସୀମିତ ରହିଯାଇଛି । 

ଢିଲା ପାଟ୍ରୋଲିଂ!

ଉପକୂଳରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ଏବଂ ଧାମରା ମୁହାଣରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ଅଞ୍ଚଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରୂପେ ଚିହ୍ନିତ ହୋଇଛି । ଅଲିଭରିଡଲେ କଇଁଛ ସୁଦୂର ଶ୍ରୀଲଙ୍କା, ପ୍ରଶାନ୍ତ ମହାସାଗର, କୋଷ୍ଟାରିକା ଅଞ୍ଚଳରୁ ନିଜର ବଂଶ ବିସ୍ତାର କରିବା ପାଇଁ ହଜାର ହଜାର କିମି ସାମୁଦ୍ରିକ ପଥ ଅତିକ୍ରମ କରି ଏଠାକୁ ଆସିଥାନ୍ତି । ଏମାନେ ମୁଖ୍ୟତଃ ବାବୁବାଲି, ନାସୀ, ଅଗରନାସୀ, ଏକକୂଳା, ଚିଞ୍ଚିରି ମୁହାଣ, ସାତଭାୟା ପ୍ରଭୃତି ସ୍ଥାନରେ ଅଣ୍ଡା ଦେଇଥାନ୍ତି । ଅଲିଭ୍ରିଡଲେ କଇଁଛ ଗହୀରମଥାକୁ ଆସିଲେ ଅଧିକ ପରିମାଣରେ ମାଛ ଉପଲବ୍ଧ ହୋଇଥାଏ । ଜେଲିଫିସ୍ ମାଛ ଯାଆଁଳକୁ ଖାଇ ଦେଇଥାଏ । ଅଲିଭରିଡଲେ କଇଁଛ ଜେଲିଫିସ୍କୁ ଖାଇ ମାଛବଂଶ ବୃଦ୍ଧିରେ ସହାୟକ ହୋଇଥାଏ । ଗହୀରମଥାରେ ଏହି ସମୟରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ଟ୍ରଲର ମାଲିକମାନେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ମାରିବା ସହିତ ଅଲିଭରିଡଲେ କଇଁଛଙ୍କ ପାଇଁ ମୃତ୍ୟୁର ସୌଦାଗର ସାଜିଥାନ୍ତି । ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ସହିତ କୋଷ୍ଟଗାର୍ଡ, ସାମୁଦ୍ରିକ ଥାନା ପୁଲିସ ଓ ମତ୍ସ୍ୟ ବିଭାଗ ସହିତ ମିଳିତ ପାଟ୍ରୋଲିଂ କରିବାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ବନ ବିଭାଗକୁ ବାଦ୍ ଦେଲେ ଅନ୍ୟ ବିଭାଗଗୁଡ଼ିକ କେବଳ କାଗଜକଲମରେ ପାଟ୍ରୋଲିଂ କରିଥାନ୍ତି ବୋଲି ଅଭିଯୋଗ ହୋଇ ଆସୁଛି ।