ନୂଆଦିଲ୍ଲୀ,୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ କଡ଼ା ଚେତାବନୀ। ସିଧାସିଧା ଶୁଣାଇଦେଲେ ଭେନେଜୁଏଲାରେ ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍। ସେ ଟ୍ରମ୍ପଙ୍କର ସେହି କଥାକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ ସେ କହିଥିଲେ ଭେନେଜୁଏଲାକୁ ଆମେରିକା ଚଳାଉଛି। ଏନେଇ ରୋଡଗ୍ରିଜ୍ କହିଛନ୍ତି ଏହା ସାର୍ବଭୌମତ୍ୱ ଉପରେ ଆକ୍ରମଣ। ସେ ସ୍ପଷ୍ଟ କରିଛନ୍ତି ଯେ, ଭେନେଜୁଏଲା ଏକ ସ୍ବତନ୍ତ୍ର ରାଷ୍ଟ୍ର। ବାହାର ଶକ୍ତି ଅଧିନରେ ରହି କାମ କରେନି। ମାଦୁରୋଙ୍କ ଗିରଫଦାରୀ ପରେ ଉପୁଜିଥିବା ବିବାଦ ଦୁଇ ଦେଶ ଭିତରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି,ଯାହାଫଳରେ ଲାଟିନ୍ ଆମେରିକାରେ ଅସ୍ଥିରତା ସୃଷ୍ଟି ହୋଇଛି।

କାର୍ଯ୍ୟ ନିର୍ବାହୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ କହିଛନ୍ତି, ଭେନେଜୁଏଲା ଏକ ଶାନ୍ତିପ୍ରିୟ ଦେଶ, କିନ୍ତୁ ଆମେରିକା ଏହା ଉପରେ ଆକାରଣ ଆକ୍ରମଣ କରିଛି। ସେ ଟ୍ରମ୍ପଙ୍କ ଚେତାବନୀକୁ ଖଣ୍ଡନ କରି କହିଛନ୍ତି, ଆମ ସରକାର ନିଜ ଦେଶର ସୁରକ୍ଷା ଓ ତାଦାରଖ କରିବାରେ ସମ୍ପୂର୍ଣ୍ଣ ସକ୍ଷମ। ରୋଡ୍ରିଗେଜ୍ ଆମେରିକାର କଷ୍ଟଡିରେ ଥିବା ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ମୁକ୍ତି ଦାବି ମଧ୍ୟ ଦୋହରାଇଛନ୍ତି। କରାକସ୍‌ରେ ହୋଇଥିବା ଆମେରିକା ସେନା ଆକ୍ରମଣରେ ନିହତ ଯବାନ ଓ ନାଗରିକଙ୍କ ସମ୍ମାନରେ ଭେନେଜୁଏଲା ସରକାର ୭ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ରୋଡ୍ରିଗେଜଙ୍କ କହିବା ଅନୁସାରେ,ଏହି ଯବାନ ଦେଶର ରକ୍ଷା କରି ଶହୀଦ ହୋଇଛନ୍ତି। ତାଙ୍କର ବଳିଦାନକୁ ବ୍ୟର୍ଥରେ ଯିବାକୁ ଦିଆଯିବନି। ତେବେ ମୃତ୍ୟୁର ସଠିକ୍ ସଂଖ୍ୟା ଯାଞ୍ଚ ପାଇଁ ଏପର୍ଯ୍ୟନ୍ତ ବିଶେଷ କମିଶନ୍ର ଗଠନ କରାଯାଇଛି।

ରିପୋର୍ଟ ଅନୁସାରେ, ଏହି ଆମେରିକୀୟ ସେନା ଅପରେସନ୍ରେ ଭେନେଜୁଏଲାର ବହୁ ସୁରକ୍ଷା ଅଧିକାରୀ ଓ ସାଧାରଣ ନାଗରିକଙ୍କ ଜୀବନ ଚାଲିଯାଇଥିଲା। ଏହାକୁ ‘ଯୁଦ୍ଧ ଅପରାଧ’ ବୋଲି କୁହାଯାଉଛି। କ୍ୟୁବା ମଧ୍ୟ ନିଜର ୩୨ ସୈନିକ ଓ ପୁଲିସ ଅଧିକାରୀଙ୍କ ମୃତ୍ୟୁର ସୂଚନା ଦେଇଛି। ଅନ୍ୟପକ୍ଷେ ଆମେରିକାର ୨୦୦ ସୈନିକଙ୍କ ଭିତରୁ କେବଳ ୬ ଜଣ ଆହତ ହେବାର ଖବର ସାମନାକୁ ଆସିଛି। ତାଜା ସର୍ଭେ ଅନୁସାରେ, ମାଦୁରୋଙ୍କୁ ଗିରଫ କରିବା ଓ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଖୋଦ ଆମେରିକାର ଜନତାଙ୍କ ଭିତରେ ମଧ୍ୟ ମତଭେଦ ରହିଛି। ୪୦% ଲୋକ ଠିକ୍ କହୁଥିବା ବେଳେ ୪୫ ପ୍ରତିଶତ ଏହାକୁ ନିୟମ ବିରୋଧି କହୁଛନ୍ତି। ବର୍ତ୍ତମାନ ମାଦୁରୋଙ୍କ ଉପରେ ଡ୍ରଗ୍ସ ତସ୍କରୀ ମାମଲା ଚାଲିଛି। ଆଗାମୀ ଶୁଣାଣି କୋର୍ଟରେ ୧୭ ମାର୍ଚ୍ଚରେ ହେବାର ଅଛି।

ଆହୁରି ପଢନ୍ତୁ :ଅଏଲ ଟ୍ୟାଙ୍କର ପଛରେ ପଡିଥିଲା ଆମେରିକା, ମୁକାବିଲା ପାଇଁ ରୁଷ ବାହାର କଲା ସବମରିନ୍ ଓ ନୌସେନା ଜାହାଜ