ନୂଆଦିଲ୍ଲୀ,୭।୧: ରୁଷ ଏବଂ ଆମେରିକା ମଧ୍ୟରେ ଆରମ୍ଭ ହୋଇପାରେ ଯୁଦ୍ଧ। ଉତ୍ତର ଆଟଲାଣ୍ଟିକରେ ଏକ ନିଷିଦ୍ଧ ତୈଳ ଟ୍ୟାଙ୍କରକୁ ସୁରକ୍ଷା ଦେବା ପାଇଁ ରୁଷ ବୁଡ଼ାଜାହାଜ ଏବଂ ନୌସେନା ଜାହାଜ ନିୟୋଜିତ କରିଥିଲା। ରୁଷ ପତାକା ସହ ଏହି ଟ୍ୟାଙ୍କର ‘ମାରିନେରା’ ନାମରେ ଚାଲୁଛି। ଡିସେମ୍ବର ୨୦୨୫ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ସରକାରଙ୍କ ଉପରେ ଚାପ ବୃଦ୍ଧି କରିବା ପାଇଁ ସ୍ୟାଡୋ ଫ୍ଲିଟ୍ ଉପରେ ବ୍ଲକେଡ ଲଗାଇଥିଲେ।

ଟ୍ୟାଙ୍କର, ବେଲା-୧ ଭେନେଜୁଏଲାରେ ଅଶୋଧିତ ତୈଳ ଲୋଡ୍ କରିବାକୁ ଯାଇଥିବା ସମୟରେ ଆମେରିକା ତଟରକ୍ଷୀ ବାହିନୀ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ତା ପରେ ଏହା ଉତ୍ତର ଦିଗକୁ ପଳାଇଯାଇଥିଲା। ପରବର୍ତ୍ତୀ ସମୟରେ ଜାହାଜଟି ତା’ର ନାଁ ବଦଳାଇ ମାରିନେରା ରଖିଥିଲା। ଏହା ବର୍ତ୍ତମାନ ଆଇସଲ୍ୟାଣ୍ଡରୁ ୩୦୦ ମାଇଲ ଦକ୍ଷିଣରେ ଏବଂ ରୁଷର ମୁରମାସ୍କ ବନ୍ଦର ଅଭିମୁଖେ ଯାଉଛି। ଆମେରିକାକୁ ଜାହାଜର ପିଛା କରିବାକୁ ରୁଷ ମନା କରିଥିଲା, କିନ୍ତୁ ଯେତେବେଳେ ଆମେରିକୀୟ ତଟରକ୍ଷୀ ବାହିନୀ ପଛକୁ ହଟିବାକୁ ମନା କଲା, ସେତେବେଳେ ସୁରକ୍ଷା ଦେବା ପାଇଁ ରୁଷ ଟ୍ୟାଙ୍କର, ବୁଡ଼ାଜାହାଜ ଏବଂ ଅନ୍ୟାନ୍ୟ ନୌସେନା ଜାହାଜ ନିୟୋଜିତ କରିଥିଲା। ରୁଷ ଗଣମାଧ୍ୟମ ଆରଟି ଟ୍ୟାଙ୍କରରୁ ଭିଡିଓ ଦେଖାଇଛି, ଯେଉଁଥିରେ ଆମେରିକା ଜାହାଜ ପଛପଟୁ ଦେଖାଯାଉଛି।

ଏହା ଅସ୍ପଷ୍ଟ ମାଲିକାନା ହକ୍ ଥିବା ଟ୍ୟାଙ୍କର, ଯାହାକି ବ୍ୟାନ୍ ଦେଶରୁ ତେଲ ନେଇକି ଯାଇଥାଏ। ଏହା ଟ୍ରାକିଂ ସିଷ୍ଟମ ବନ୍ଦ କରିଦେଇଥାଏ କିମ୍ବା ଫେକ୍ ଲୋକେସନ୍ ଦେଖାଇଥାଏ। ଏଆଇଏସ୍ ସ୍କୁଫିଙ୍ଗର ଫ୍ଲିଟ୍ରେ ଶତାଧିକ ଜାହାଜ ରହିଛି, ଯାହାକି ରୁଷ ଅର୍ଥବ୍ୟବସ୍ଥାକୁ ଚଳାଇବାରେ ସାହାଯ୍ୟ କରେ। ମ୍ୟାରିନେରା ଟ୍ୟାଙ୍କର ଉପରେ ୨୦୨୪ ରେ ଆମେରିକା କଟକଣା ଲଗାଇଛି। ରୁଷ ଟ୍ୟାଙ୍କରର ସୁରକ୍ଷା ପାଇଁ ଏକ ଯୁଦ୍ଧଜାହାଜ ଓ ନୌସେନା ଜାହାଜ ମୁତୟନ କରିଛି।

ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ କେବଳ ନାଭାଲ ଆସେଟର ଆଲୋଚନା କରିଛି। ଜାହାଜର ନାଁ ସାର୍ବଜନିକ କରାଯାଇ ନାହିଁ। ରୁଷର ନଦର୍ନ ଫ୍ଲିଟ୍ର ଏହି ଜାହାଜ ହୋଇପାରେ,କିନ୍ତୁ ସଠିକ ସ୍ପେସିଫିକେସନ୍ର ସୂଚନା ଜଣାପଡି ନାହିଁ। ଆମେରିକା ଏଭଳି ବହୁ ଟ୍ୟାଙ୍କର ଜବତ କରିସାରିଛି, କିନ୍ତୁ ଇଣ୍ଟର ନ୍ୟାସନାଲ ଓ୍ବାଟରରେ ରୁଷ ପତାକା ଥିବା ଜାହାଜ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର।