ନୂଆଦିଲ୍ଲୀ, ୦୬/୦୧ : ଶପଥ ନେଲେ ଭେନେଜୁଏଲା ଅନ୍ତରୀଣ ରାଷ୍ଟ୍ରପତି। ନ୍ୟାସନାଲ ଆସେମ୍ଵଲିରେ ଡେଲ୍ସି ରୋଡ୍ରିଗ୍ସଙ୍କର ଶପଥ ଗ୍ରହଣ ଉତ୍ସବ ହୋଇଛି। ଏହି ଅବସରରେ ସେ ମାଦୁରୋ-ଫ୍ଲୋରେସ୍ ଙ୍କୁ ନାୟକ ବୋଲି କହିଛନ୍ତି। ଆମେରିକାର ଆକ୍ରମଣକୁ ଡେଲ୍ସି ଭେନେଜୁଏଲାବାସୀଙ୍କ ଉପରେ ଅତ୍ୟାଚାରର ନାମ ଦେଇଛନ୍ତି।
ଡେଲ୍ସି ରୋଡ୍ରିଗ୍ସ ସୋମବାର ଔପଚାରିକ ଭାବେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ପଦରେ ଶପଥ ନେଇଛନ୍ତି। ଅପହୃତ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ନ୍ୟୁୟର୍କ କୋର୍ଟରେ ଡ୍ରଗ୍ସ ତସ୍କରୀ ଅଭିଯୋଗରେ ହାଜର କରିବା ବେଳେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଛି। ଏହି ଅବସରରେ ଡେଲ୍ସି ଆମେରିକାକୁ ଟାର୍ଗେଟ୍ କରିଛନ୍ତି। ଭେନେଜୁଏଲାର ସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଡେଲ୍ସି କହିଛନ୍ତି ଯେ, ମୁଁ ଏବେ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କ ପ୍ରତିନିଧି ରୂପେ କାମ କରିବି। ଏହା ସହ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ମୁକ୍ତ କରିବା ପାଇଁ ଚେଷ୍ଟା କରିବି।
ଶପଥ ଗ୍ରହଣ ସମାରୋହ ସମୟରେ ଡେଲ୍ସି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ଅଭିଭାଷଣ ରଖିଥିଲେ। ଡେଲ୍ସି କହିଥିଲେ ଯେ, "ମୁଁ ସାମ୍ବିଧାନିକ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ମୋରୋସ୍ଙ୍କ ଅଧୀନରେ ଉପରାଷ୍ଟ୍ରପତି ଭାବରେ ଶପଥ ନେଉଛି ଏବଂ ଭେନେଜୁଏଲା ଲୋକଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛି। ଆମ ମାତୃଭୂମି ଉପରେ ବେଆଇନ ସାମରିକ ଆକ୍ରମଣ ପରେ ଭେନେଜୁଏଲାବାସୀ ଯେଉଁ ଯନ୍ତ୍ରଣା ଅନୁଭବ କରିଛନ୍ତି ତାହା ମୁଁ ଅନୁଭବ କରିଛି। ଆମର ଦୁଇ ବୀରଙ୍କୁ ଅପହରଣ ପରେ ଆମେରିକା ଦ୍ୱାରା ବନ୍ଧକ ରଖାଯାଇଛି।"
ଡେଲ୍ସିଙ୍କୁ ଶପଥ ପାଠ କରାଇଲେ ଭାଇ
୫୬ ବର୍ଷୀୟା ଡେଲ୍ସି ରୋଡ୍ରିଗ୍ସ ପେଶାରେ ଶ୍ରମ ଆଇନର ଓକିଲ। ଭେନେଜୁଏଲାରେ ବର୍ତ୍ତମାନର ଶାସକ ଦଳର ସେ ଖୁବ୍ ବିଶ୍ଵସ୍ତ। ତାଙ୍କୁ ତାଙ୍କ ଭାଇ ଜର୍ଜ ରୋଡ୍ରିଗ୍ସ ଶପଥ ପାଠ କରାଇଛନ୍ତି। ଜର୍ଜ ଏବେ ନ୍ୟାସନାଲ ଆସେମ୍ଵଲିର ମୁଖ୍ୟ ଅଛନ୍ତି। ଡେଲ୍ସି ଭେନେଜୁଏଲାର ମୁକ୍ତିଦାତା ସାଇମନ ବୋଲିବରଙ୍କ ନାମରେ ଶପଥ ନେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଡୋନାଲ୍ଡ ଟ୍ରମ୍ପଙ୍କ ପ୍ଲାନ୍ ଫସର ଫାଟିବ: ମୁକୁଳିବେ ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପତ୍ନୀ, ରୋଡ୍ରିଗ୍ସ ଗଠନ କଲେ କମିଶନ