ନୂଆଦିଲ୍ଲୀ,୧।୧୨: ନଭେମ୍ବର ମାସ ଆରମ୍ଭରେ, ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ବିମାନ ସେବାରେ ଗୁରୁତ୍ୱପୂର୍ଣ୍ଣ ବାଧା ଉପୁଜିଥିଲା। ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ପ୍ରାୟ ୮୦୦ ବିମାନ ପ୍ରଭାବିତ ହୋଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ଏଟିସି ଏହି ଘଟଣା ପାଇଁ ଅଟୋମେଟିକ୍ ମେସେଜିଂ ସ୍ବିଚିଂ ସିଷ୍ଟମରେ ତ୍ରୁଟିକୁ ଦାୟୀ କରିଛି। ତେବେ କେନ୍ଦ୍ର ସରକାର ମଧ୍ୟ ଏନେଇେ ସଂସଦରେ ଏକ ଲିଖିତ ବିବୃତ୍ତିରେ ସ୍ୱୀକାର କରିଛନ୍ତି। ସରକାର କହିଛନ୍ତି, ଦିଲ୍ଲୀ ସମେତ ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ଜିପିଏସ୍ ସ୍ପୁଫିଙ୍ଗର ସମସ୍ୟା ଥିଲା। ଅର୍ଥାତ ଏହି ବିମାନ ବନ୍ଦର ଗୁଡ଼ିକରେ ଫ୍ଲାଇଟ୍ ଲ୍ୟାଣ୍ଡିଂ ଓ ଟେକଅଫ୍ ବେଳେ GPS ସ୍ପୁଫିଙ୍ଗର ଶିକାର ହୋଇଛନ୍ତି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିନଜାରାପୁ କହିଛନ୍ତି, ନୂଆଦିଲ୍ଲୀର ଇନ୍ଧିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର(ଆଇଜିଆଇ) ନିକଟରେ ଉଡୁଥିବା ବିମାନ ଜିପିଏସ୍ ସ୍ପୁଫିଙ୍ଗ ବିଷୟରେ ଜାଣିବା ପରେ ତୁରନ୍ତ ବିକଳ୍ପ ପକ୍ରିୟା ଗ୍ରହଣ କରାଯାଇଥିଲା। ଯାହାଫଳରେ ବିମାନ ସୁରକ୍ଷିତ ଭାବରେ ଓହ୍ଲାଇ ପାରିଥିଲା। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରନଓ୍ବେ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଛି, କାରଣ ସେଠାରେ ପାରମ୍ପାରିକ ନାଭିଗେସନ୍ ସିଷ୍ଟମ ରହିଛି। ଉଡାଣ ପରିଚାଳନା ଉପରେ କୌଣସି ଗମ୍ଭୀର ପ୍ରଭାବ ପଡିନାହିଁ।
ସରକାରଙ୍କ ଅନୁଯାୟୀ କହିବା ଅନୁସାରେ, ନଭେମ୍ବର ୨୦୨୩ ଠାରୁ GPS ଜାମିଂ/ସ୍ପୁଫିଂ ରିପୋର୍ଟିଂକୁ ବାଧ୍ୟତାମୂଳକ କରାଯାଇଛି। ଏହା ପରେ ବି ଦେଶର ଅନେକ ପ୍ରମୁଖ ବିମାନବନ୍ଦରେ ଏହି ସମସ୍ୟା ଲଗାତାର ଆସୁଛି। ଯେପରିକି କୋଲକାତା, ଅମୃତସର, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ବିମାନବନ୍ଦର। ଏହି ସମସ୍ତ ସ୍ଥାନଗୁଡ଼ିକ ଜିଏନ୍ଏସ୍ଏସ୍ ଇଣ୍ଟରଫେସ୍ର ଅଭିଯୋଗ ମିଳିଛି।
ଜିପିଏସ୍ ସ୍ପୁଫିଙ୍ଗ ଏକ ସାଇବର ଆଟାକ, ଯାହା ଏକ ଡିଭାଇସର ସ୍ଥାନକୁ ଭୁଲ ଦିଗକୁ ନିର୍ଦ୍ଦେଶିତ କରିବା ପାଇଁ ନକଲି ସିଗନାଲ ପଠାଏ। ଯେପରି ଆପଣଙ୍କ ଫୋନର ଲୋକେସନ୍ ହଠାତ୍ ଚାରି କିଲୋମିଟର ଦୂରରେ ଦେଖାଯାଏ। ଠିକ୍ ସେଭଳି ମଧ୍ୟ ସମାନ ପରିସ୍ଥିତି ବିମାନ ସହ ଘଟିପାରେ। ଯେତେବେଳେ ଏହା ବିମାନ ସହିତ ଘଟେ, ଏହାର ନାଭିଗେସନ୍ ସିଷ୍ଟମ ଭୁଲ ଦିଗକୁ ଯାଇପାରେ, ଯାହା ଦୁର୍ଘଟଣାର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ।