ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀବାସୀ ପୁଣି ଅଣନିଃଶ୍ୱାସୀ।ପ୍ରବଳ ଶୀତ ସାଙ୍ଗକୁ ଏବେ ବିଷାକ୍ତ ବାୟୁ ଯୋଗୁଁ ସ୍ଥିତି ଗମ୍ଭୀର। କାରଣ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପୁଣିଥରେ ‘ସିଭିୟର’ ସ୍ଥିତିରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁସାରେ ଦିଲ୍ଲୀରେ ରବିବାର ଅପରାହ୍ନ ୪ଟା ସୁଦ୍ଧା ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ବଢ଼ି ୪୦୯ରେ ପହଞ୍ଚିଛି। ଯାହା କିଛିଦିନର ଆଶ୍ୱସ୍ତି ପରେ ପୁଣିଥରେ ଦିଲ୍ଲୀବାସୀଙ୍କ ପାଇଁ ବିପଦର ସଙ୍କେତ ଦେଇଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ବାୟୁର ହାରାହାରି ମାନକ ୩୯୫ ରେକର୍ଡ ହୋଇଥିଲା। 

ଦିଲ୍ଲୀର ଆଲିପୁର, ଆନନ୍ଦ ବିହାର, ଅଶୋକ ବିହାର, ମଥୁରା ରୋଡ୍, ବୁରାଡି କ୍ରସିଂ, ଡିଟିୟୁ ଦିଲ୍ଲୀ, କରଣୀ ସିଂହ ସୁଟିଂ ରେଞ୍ଜ, ଦ୍ବାରକା ସେକ୍ଟର-୮, ଆଇଟିଓ ଦିଲ୍ଲୀ, ଜାହାଙ୍ଗୀରପୁରୀ, ଜବାହାରଲାଲ ନେହରୁ ଷ୍ଟାଡିୟମ, ମେଜର ଧ୍ୟାନଚନ୍ଦ ଷ୍ଟାଡିୟମ, ମନ୍ଦିର ମାର୍ଗ, ମୁଣ୍ଡକା, ନରେଲା, ନେହରୁ ନଗର, ନର୍ଥ କ୍ୟାମ୍ପସ, ଓଖଲା ଫେଜ-୨, ବିବେକ ବିହାର, ଓ୍ବଜିରପୁର ସହ ୨୮ କେନ୍ଦ୍ର ଏକ୍ୟୁଆଇ ୪୦୦ ପାର କରିଛି।

ରବିବାର ଦିଲ୍ଲୀର ବହୁ ସ୍ଥାନରେ ଘନ କୁହୁଡି ଆସ୍ତରଣ ଦେଖିବାକୁ ମିଳିଥିଲା। ନଭେମ୍ବର ମାସ ସାରା ରାଜଧାନୀରେ ବାୟୁର ମାନ ଅତ୍ୟନ୍ତ ଖରାପ ରହିଥିଲା। ହେଲେ ଡିସେମ୍ବର ପ୍ରଥମ ସପ୍ତାହରେ ସହରବାସୀଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କରେ କିଛି ମାତ୍ରାରେ ସୁଧାର ଆସିବା ପରେ ଡିସେମ୍ବର ୫ରେ ଗ୍ରାପ୍-୪ କଟକଣା କୋହଳ କରାଯାଇଥିଲା। ଏହାପରେ ଗତ ୧୬ ଡିସେମ୍ବର ରାତିରୁ ଦିଲ୍ଲୀ ବାୟୁର ମାନ ପୁଣି ଖରାପ ହେବାରେ ଲାଗିଛି। ଏବେ ପାଣିପାଗ ବିଭାଗ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ହୁଏତ ବର୍ଷା ହେଲେ ପ୍ରଦୂଷଣରୁ ଆଶ୍ବସ୍ତି ମିଳିପାରେ ବୋଲି ଆଶା କରାଯାଉଛି।