ନୂଆଦିଲ୍ଲୀ, ୧୮/୧୧ : ଦିଲ୍ଲୀ ବିସ୍ଫୋରଣ ଘଟଣା ଉପରୁ ହଟୁଛି ପରଦା। ସାମ୍ନାକୁ ଆସିଲା ମାଷ୍ଟରମାଇଣ୍ଡ୍ ଆତଙ୍କୀ ଡାକ୍ତର ଉମର ନବୀର ଭିଡିଓ। ଆତ୍ମଘାତୀ ଆକ୍ରମଣକୁ ସଠିକ୍ ବୋଲି କହୁଛି ଉମର। ବିସ୍ଫୋରଣ ପୂର୍ବରୁ ଉମର ଏହି ଭିଡିଓ କରିଥିଲା। ଆତ୍ମଘାତୀ ଆକ୍ରମଣ ବା ସୁଇସାଇଡ୍ ବମ୍ବିଂ ଖରାପ ନୁହେଁ । ଏହା ସମ୍ପୂର୍ଣ୍ଣ ଠିକ୍ ବୋଲି ପ୍ରାଞ୍ଜଳ ଇଂରାଜୀ ଭାଷାରେ କହିଥିଲା। ଘଟଣାର ୭ଦିନ ପରେ ଏହି ଭିଡିଓ ସାମ୍ନାକୁ ଆସିଛି। ଯାହାକି ସୁରକ୍ଷା ଅଧିକାରୀଙ୍କ ନିଦ ହଜାଇ ଦେଇଛି।  

ଏହି ଭିଡିଓରେ ଉମର କହୁଛି ଯେ, ସୁଇସାଇଡ ବମ୍ବିଂକୁ ଠିକ୍ ଭାବରେ ବୁଝି ପାରି ନାହାଁନ୍ତି । ବିସ୍ଫୋରଣ ଏବଂ ଆତ୍ମଘାତୀ ବିସ୍ଫୋରଣ ଭିତରେ ବିଚାରଗତ ଫରକ ରହିଛି । ଏହାକୁ ନେଇ ଅନେକ ବିରୋଧାଭାଷ ଓ ତର୍କ ରହିଛି। ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ସମସ୍ୟା ହେଲା ଯେତେବେଳେ କୌଣସି ବ୍ୟକ୍ତି ମାନିନିଏ ଯେ, ତାର ମୃତ୍ୟୁ ଏକ ନିଶ୍ଚିତ ସମୟ ଓ ନିର୍ଦ୍ଧିଷ୍ଟ ସ୍ଥାନରେ ହେବ ସେତେବେଳେ ସେ ଏକ ବିପଦପୂର୍ଣ୍ଣ ମାନସିକ ସ୍ଥିତିକୁ ଚାଲିଯାଏ। ମୃତ୍ୟୁ ହିଁ ଶେଷ ଠିକଣା ବୋଲି ମାନିନିଏ। ହେଲେ ସତ କଥାଟା ହେଉଛି ଏଭଳି ଚନ୍ତାଧାରା କିମ୍ଵା ଏଭଳି ପରିସ୍ଥିତି କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ଵାରା ସ୍ଵୀକାର୍ଯ୍ୟ ନୁହେଁ। କାରଣ ଏହା ସମାଜ, ଜୀବନ ଏବଂ ଆଇନର ସିଦ୍ଧାନ୍ତକୁ ଉଲ୍ଲଙ୍ଘନ କରିଥାଏ । ତେବେ ଏହି ଭିଡିଓଟି ଖୁବ୍ କମ୍ ସମୟର ରହିଛି। ଏତିକି କହିବା ପରେ ଭିଡିଓଟି ଶେଷ ହୋଇଯାଇଛି । 

ସୂଚନାଯୋଗ୍ୟ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣରେ ଏଯାବତ୍ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଉମର ନିଜେ ଆଇ-20 କାର୍ ଚଲାଇ ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣରେ ଉମରର ମୃତ୍ୟୁ ହୋଇଥିଲା। ଯାଞ୍ଚ ଏଜେନ୍ସି ଉମରର ଡିଏନଏ ଟେଷ୍ଟ କରିଥିଲେ। ଉମରର ମା ସହ ଡିଏନଏ ସାମ୍ପୁଲ ମ୍ୟାଚ୍ ହୋଇଥିଲା।