ନୂଆଦିଲ୍ଲୀ,୧୨।୧୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦିଲ୍ଲୀ ଲାଲକିଲ୍ଲା ନିକଟରେ ସୋମବାର ହୋଇଥିବା ବିସ୍ଫୋରଣ ଘଟଣାରେ ସମବେଦନା ବ୍ୟକ୍ତ କରିଛନ୍ତି। ସେ ଭାରତକୁ ଇସ୍ରାଏଲର ଖୋଲା ସମର୍ଥନ ଘୋଷଣା କରିଛନ୍ତି। ବିସ୍ଫୋରଣକୁ କଡ଼ା ଶବ୍ଦରେ ନିନ୍ଦା କରି କହିଛନ୍ତି, ଆତଙ୍କବାଦ ସହରକୁ ଟାର୍ଗେଟ କରିପାରେ, କିନ୍ତୁ ଦୃଢ ରାଷ୍ଟ୍ରର ଭାବନା ଓ ଆତ୍ମାକୁ ଭାଙ୍ଗି ପାରିବନି।’
ନେତନ୍ୟାହୁ କହିଛନ୍ତି, ଆମର ପ୍ରିୟ ମିତ୍ର ନରେନ୍ଦ୍ର ମୋଦି ଓ ଭାରତର ବାହାଦୁର ଲୋକ, ପୀଡିତଙ୍କ ପରିବାର ପ୍ରତି ଇସ୍ରାଏଲ ପକ୍ଷରୁ ଗଭୀର ସମବେଦନା । ଏହି ସମୟରେ ଇସ୍ରାଏଲ ଆପଣଙ୍କ ଦୁଃଖ ଓ ଶକ୍ତିରେ ଆପଣଙ୍କ ସହ ମଜବୁତ ଭାବରେ ଠିଆ ହୋଇଛି।’ ନେତାନ୍ୟାହୁ ଦୁଇ ଦେଶ ଭିତରେ ସମ୍ପର୍କ ଖୁବ୍ ଦୃଢ ଏବଂ ଅତୁଟ ଭାବନାରେ ଏକଜୁଟ୍ ପ୍ରାଚୀନ ସଭ୍ୟତା ବୋଲି କହିଛନ୍ତି।
ସେ କହିଛନ୍ତି, ‘ଭାରତ ଏବଂ ଇସ୍ରାଏଲ ହେଉଛି ପ୍ରାଚୀନ ସଭ୍ୟତା ଯାହା ନିରାଟ ସତ୍ୟ। ଆତଙ୍କ ଆମ ସହରଗୁଡ଼ିକୁ ଆକ୍ରମଣ କରିପାରେ, କିନ୍ତୁ ଏହା କେବେ ଆମ ଆତ୍ମାକୁ ଦୋହଲାଇ ପାରିବ ନାହିଁ। ଆମ ରାଷ୍ଟ୍ରଗୁଡ଼ିକର ଆଲୋକ ଆମର ଶତ୍ରୁମାନଙ୍କର ଅନ୍ଧକାରକୁ ପରାସ୍ତ କରିବ।’ ଦିଲ୍ଲୀରେ ଘଟିଥିବା ଦୁଃଖଦ ବିସ୍ଫୋରଣ ପରେ ଭାରତକୁ ବହୁ ଦେଶ ସମବେଦନା ଜଣାଇଛନ୍ତି। ଏହା ଭିତରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଆସିଛି। ଉଲ୍ଲେଖନୀୟ ଯେ, ଦିଲ୍ଲୀ ବିସ୍ଫୋରଣ ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ଭାରତୀୟ ଅଧିକାରୀ ଏହି ଘଟଣାକୁ ଏକ ସମ୍ଭାବ୍ୟ ଆତଙ୍କବାଦୀ ଘଟଣା ଭାବରେ ତଦନ୍ତ କରୁଛନ୍ତି।