ନୂଆଦିଲ୍ଲୀ, ୧୫।୧୧: ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତି ଥିବା ୪ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ଆଉ ଡାକ୍ତରୀ ଅଭ୍ୟାସ କରିପାରିବେନି ଏମାନେ । ଜାତୀୟ ମେଡିକାଲ କମିଶନ ନିଜ ସରକାରୀ ରେଜିଷ୍ଟରରୁ ସେମାନଙ୍କ ନାଁ କାଟି ଦେଇଛି । ଦିଲ୍ଲୀ ବିସ୍ଫୋରଣ ପରେ ବେଆଇନ କାର୍ଯ୍ୟକଳାପ ତଥା  (UAPA) ଆଇନ ଅନୁଯାୟୀ, ମାମଲା ରୁଜୁ ହେବା ପରେ ଜାତୀୟ ମେଡିକାଲ କମିଶନ ଶୁକ୍ରବାର ରେଜିଷ୍ଟରରୁ ଡକ୍ଟର ମୁଜାଫର ଅହମ୍ମଦ, ଡକ୍ଟର ଆଦିଲ୍ ଅହମ୍ମଦ ରାଥର, ଡକ୍ଟର ମୁଜାମ୍ମିଲ୍ ସକିଲ୍ ଏବଂ ଡକ୍ଟର ଶାହିନ ସଇଦଙ୍କ ନାଁକୁ ହଟାଇ ଦେଇଛି । 

କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଏହି ୪ ଡାକ୍ତର କୌଣସି ଅଭ୍ୟାସ କରିପାରିବେ ନାହିଁ କି କୌଣସି ରୋଗୀଙ୍କ ଚିକିତ୍ସା କରିପାରିବେ ନାହିଁ । ଦିଲ୍ଲୀ ବୋମା ବିସ୍ଫୋରଣରେ ସମ୍ପୃକ୍ତ ଏହି ଆତଙ୍କବାଦୀ ଡାକ୍ତରମାନେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଏହି ବୃତ୍ତିକୁ ପୁନର୍ବାର ଫେରିପାରିବେ ନାହିଁ । କହିରଖୁଛୁ ଯେ, ନଭେମ୍ବର ୧୦ ତାରିଖରେ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ ହୋଇଥିଲା । ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ତଦନ୍ତ ସହିତ ଜଡ଼ିତ ୮ ଜଣଙ୍କୁ ଗିରଫ କରିବା ସହ ଅନେକଙ୍କୁ ଅଟକ ରଖାଯାଇଥିଲା । ସେମାନଙ୍କ ମଧ୍ୟରେ ଡକ୍ଟର ମୁଜାଫର ଅହମ୍ମଦ, ଡକ୍ଟର ଆଦିଲ୍ ଅହମ୍ମଦ ରାଥର, ଡକ୍ଟର ମୁଜାମ୍ମିଲ୍ ସକିଲ୍ ଏବଂ ଡକ୍ଟର ଶାହିନ ସଇଦ ସାମିଲ ଥିଲେ ।​​​​​​ 

ଶୁକ୍ରବାର ଏକ ନୋଟିସ୍‌ରେ, ଜାତୀୟ ମେଡିକାଲ କମିଶନ ଡାକ୍ତରମାନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାରେ ଅଭିଯୋଗଗୁଡ଼ିକୁ ତାଲିକାଭୁକ୍ତ କରିଛନ୍ତି ଏବଂ କହିଛନ୍ତି "ଜମ୍ମୁ ଏବଂ କାଶ୍ମୀର ମେଡିକାଲ କାଉନସିଲରେ ପଞ୍ଜୀକୃତ ଡାକ୍ତର ମୁଜାଫର୍ ଅହମ୍ମଦ, ଡାକ୍ତର ଆଦିଲ୍ ଅହମ୍ମଦ ରାଥର ଏବଂ ଡାକ୍ତର ମୁଜାମ୍ମିଲ୍ ସକିଲ୍ ତଦନ୍ତ ଏଜେନ୍ସିଗୁଡ଼ିକ ଦ୍ୱାରା ସଂଗୃହୀତ ପ୍ରମାଣ ଆଧାରରେ ମାମଲାରେ ଜଡ଼ିତ ଥିବା ଜଣାପଡ଼ିଛି ।" ଏହି ମାମଲା ଭାରତୀୟ ଡାକ୍ତରୀ ସଂଘ ନିୟମାବଳୀ ୨୦୦୨ର ବ୍ୟବସ୍ଥା ଅଧୀନରେ ଆସେ । ନୋଟିସରେ କୁହାଯାଇଛି ଯେ, ଜମ୍ମୁ ଏବଂ କାଶ୍ମୀର ମେଡିକାଲ କାଉନସିଲ ଡାକ୍ତର ଅହମ୍ମଦ, ଡାକ୍ତର ରାଥର, ଡାକ୍ତର ସକିଲ ଏବଂ ଡାକ୍ତର ସୈଇଦଙ୍କ ପଞ୍ଜୀକରଣ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତୁରନ୍ତ ପ୍ରଭାବରୁ ସେମାନଙ୍କ ନାମ ଡାକ୍ତରୀ ପ୍ରାକ୍ଟିସନର ତାଲିକାରୁ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

"ଏପରି ବହିଷ୍କାର କରିବା ଫଳରେ, ଏହି ଡାକ୍ତରମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡାକ୍ତରୀ ଅଭ୍ୟାସ କରିପାରିବେ ନାହିଁ କିମ୍ବା ଡାକ୍ତର ଭାବରେ କୌଣସି ପଦବୀରେ ରହିପାରିବେ ନାହିଁ," ବୋଲି NMC ନୋଟିସରେ କୁହାଯାଇଛି । ନୋଟିସରେ କୁହାଯାଇଛି, "ଏବେ ଉପରୋକ୍ତ ଡାକ୍ତରମାନଙ୍କ ପଞ୍ଜୀକରଣ ବାତିଲ ସମ୍ପର୍କରେ ଜମ୍ମୁ ଏବଂ କାଶ୍ମୀର ମେଡିକାଲ ପରିଷଦ ଦ୍ୱାରା ନଭେମ୍ବର ୧୩ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଦୃଷ୍ଟିରେ ରଖି, ସେମାନଙ୍କ ନାମ ତୁରନ୍ତ ଭାରତୀୟ ମେଡିକାଲ ରେଜିଷ୍ଟର ବା ଜାତୀୟ ମେଡିକାଲ ରେଜିଷ୍ଟରରୁ ହଟାଇ ଦିଆଯିବା ଉଚିତ୍ ।"

ନଭେମ୍ବର ୧୦ରେ ପୁଲିସ ଘୋଷଣା କରିଥିଲା ଯେ, ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରେ ଡକ୍ଟର ମୁଜାମ୍ମିଲଙ୍କ ଭଡ଼ା ଘରୁ ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଉଦ୍ଧାର କରାଯାଇଛି । ଆତଙ୍କବାଦୀ ଜଣକ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରେ ଚାକିରି କରୁଥିଲେ ଏବଂ ସେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା । ଏହାର କିଛି ସମୟ ପରେ, ଜମ୍ମୁ ଏବଂ କାଶ୍ମୀର ପୁଲିସ ଘୋଷଣା କରିଥିଲା ଯେ ବିଶ୍ୱବିଦ୍ୟାଳୟ ଏବଂ ଏହାର ଆଖପାଖରେ ୨୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି ଏବଂ ଏକ "ହ୍ୱାଇଟ୍ କୋଲାର ଟେରର୍ ମଡ୍ୟୁଲ୍"ର ପର୍ଦ୍ଦାଫାଶ କରାଯାଇଛି ଏଥିସହ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ପୁଲିସ​​​​​​​ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ଡାକ୍ତର ମୁଜାଫରଙ୍କୁ ଖୋଜୁଛି । ଗିରଫ ହୋଇଥିବା ଲୋକଙ୍କୁ ପଚରାଉଚରା କରିବା ପରେ, କାଜିଗୁଣ୍ଡର ବାସିନ୍ଦା ମୁଜାଫର ତଦନ୍ତ ପରିସରକୁ ଆସିଥିଲା । ସେ ଅଗଷ୍ଟ ମାସରେ ଭାରତରୁ ଲୁଚି ଖସିଯାଇ ଆଫଗାନିସ୍ତାନରେ ରହୁଛି । ତା’ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ପାଇଁ ପୁଲିସ ଇଣ୍ଟରପୋଲ ସହିତ ଯୋଗାଯୋଗ କରିଛି । ମୁଜାଫରଙ୍କ ଭାଇ ଡାକ୍ତର ଆଦିଲ ରାଥରଙ୍କୁ ନଭେମ୍ବର ୭ ତାରିଖରେ ସାହାରନପୁରରୁ ଗିରଫ କରାଯାଇଥିଲା । ଅନନ୍ତନାଗ ହସ୍ପିଟାଲରେ ତାଙ୍କ ଲକରରୁ ଏକ ଏକେ-୫୬ ରାଇଫଲ ଏବଂ ଅନ୍ୟାନ୍ୟ ଗୁଳି ଜବତ କରାଯାଇଥିଲା ।