ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ଏନ୍ଆଇଏକୁ ଏଭଳି କିଛି ଭିଡିଓ ମିଳିଛି,ଯାହାକି ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଓ ପାଲେଷ୍ଟାଇନ୍ ଆତଙ୍କୀ ସଂଗଠନ ହମାସ ଭିତରେ ଗଭୀର ସମ୍ପର୍କକୁ ଦର୍ଶାଉଛି। ସୁରକ୍ଷା ଏଜେନ୍ସି ଅଧିକାରୀଙ୍କ କହିବା ଅନୁସାରେ,ଏହି ଷଡଯନ୍ତ୍ରର ସ୍କ୍ରିପ୍ଟ ଫେବୃଆରୀରେ ଲେଖାଯାଇଥିଲା। ଏବେ ଏହି ନେଟଓ୍ବର୍କର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ବିସ୍ଫୋରଣର ତଦନ୍ତ ବେଳେ ଜଣାପଡିଛି ଜୈଶ-ଇ-ମହମ୍ମଦର ହ୍ବାଇଟ କଲର ଟେରର ମଡ୍ୟୁଲ ହମାସର ରଣନୀତି ଗ୍ରହଣ କରିଥିଲା। ଜିହାଦୀ ଫୌଜରେ ସାମିଲ କରିବା ପାଇଁ ମୌଲବୀ ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରୁଥିଲେ। ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣରେ ଏଜେନ୍ସି ଚକିତ କରିଦେବା ଦେବା ଭଳି ଖୁଲାସା କରିଛି।
ଏନ୍ଆଇଏ ଅଧିକାରୀଙ୍କ କହିବା ଅନୁସାରେ, ହ୍ବାଇଟ୍ କଲର ଟେରର ମଡ୍ୟୁଲ କାଶ୍ମୀର ଓ ହରିୟାଣା ସହ ବହୁ ରାଜ୍ୟରେ ନେଟଓ୍ବର୍କ ବ୍ୟାପିଛି। ଜୈଶ-ଇ-ମହମ୍ମଦର ହ୍ବାଇଟ କଲର ଟେରର ମଡ୍ୟୁଲ ହମାସର ରଣନୀତି ଗ୍ରହଣ କରିଛି। ବିଶେଷଜ୍ଞଙ୍କ ମତରେ ହତିଆର ପାଇଁ ଡ୍ରୋନର ବ୍ୟବହାର ଓ ହସ୍ପିଟାଲକୁ ଆର୍ମସ୍ ଷ୍ଟୋରେଜ୍ ରୂପରେ ଉପଯୋଗ କରିବା ହମାସର ଟେରର ମାନୁଆଲ ସହ ମେଳ ଖାଇଥାଏ। ଏଜେନ୍ସି ଗୁଡିକ ଅନୁସାରେ, ହମାସର ରଣନୀତିର ବ୍ୟବହାର କରୁଥିଲା ଜୈଶର ‘ହ୍ବାଇଟ କଲର’ ଆତଙ୍କୀ ମଡ୍ୟୁଲ।ଡ୍ରୋନ୍ ହତିଆରି କରିବାଠାରୁ ନେଇ ହସ୍ପିଟାଲରେ ହତିଆର ରଖିବା ପର୍ଯ୍ୟନ୍ତ ସବୁ କିଛି ହମାସର ଆତଙ୍କୀ ପୁସ୍ତିକାରୁ ଅଣାଯାଇଛି। ଚଳିତ ବର୍ଷ ୫ ଫେବୃଆରୀରେ ପାଲେଷ୍ଟାଇନ୍ ଆତଙ୍କୀ ସଂଗଠନ ହମାସ ପ୍ରଥମ ଥର ପାକିସ୍ତାନ ଅଧିକୃତ କାଶ୍ମୀରର ରାଓଲକୋଟ୍ରେ ଜୈଶ ଓ ଲସ୍କରର ଆତଙ୍କବାଦୀଙ୍କ ସହ ମଞ୍ଚ ସେୟାର କରିଥିଲା। ହମାସ ନେତା ଡକ୍ଟର ଖାଲିଦ କଦ୍ଦୋମୀ, ଡକ୍ଟର ନାଜି ଜାହିର ଓ ସେଠାରେ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ବୈଠକ ଏହି କଥାର ସଙ୍କେତ ଥିଲା ଯେ, ଆତଙ୍କୀ ନେଟଓ୍ବର୍କ ଏବେ ବିଶ୍ବସ୍ତରରେ ତାଳମେଳ ବଢାଉଛି।
ଅଲ୍-ଫାଲାହ ୟୁନିଭର୍ସିଟିରୁ ସାମନାକୁ ଆସିଥିବା ‘ହ୍ବାଇଟ କଲର ଟେରର’ ମଡ୍ୟୁଲ ପରେ ବହୁ ସଂଖ୍ୟକ ଡାକ୍ତର ଏବଂ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଡାକ୍ତର ଏବଂ କର୍ମଚାରୀଙ୍କ ଲକର ଯାଞ୍ଚ କରୁଛନ୍ତି, ସେମାନେ ସେମାନଙ୍କ ଲକରରେ କୌଣସି ପ୍ରମାଣ ଲୁଚାଇ ପଳାଇଛନ୍ତି କି ନାହିଁ ତାହା ଯାଞ୍ଚ କରୁଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଅନେକ ଲକରରୁ ମୋବାଇଲ୍ ଫୋନ୍ ଏବଂ ଟାବଲେଟ୍ ଭଳି ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ସାଇବର ସେଲ୍ ଏହି ମାମଲାର ତଦନ୍ତ ମଧ୍ୟ କରୁଛି ଯାହା ଦ୍ୱାରା ଏହି ବ୍ୟକ୍ତିମାନେ କାହା ସହିତ ସମ୍ପର୍କରେ ଥିଲେ ତାହା ଜାଣିହେବ।