ନୂଆଦିଲ୍ଲୀ,୧୪/୧୧: ଦିଲ୍ଲୀ ବିସ୍ଫୋରଣ ମାମଲାର ତଦନ୍ତ କରୁଥିବା ଏଜେନ୍ସିଗୁଡ଼ିକୁ ଏକ ବଡ଼ ସୁରାକ ମିଳିଛି । ବିସ୍ଫୋରଣ ପାଇଁ ସୁଦୂର ତୁର୍କୀରୁ ହୋଇଥିଲା ଷଡ଼ଯନ୍ତ୍ର । ଗିରଫ ଅଭିଯୁକ୍ତମାନଙ୍କର ତୁର୍କୀ ରାଜଧାନୀ ଅଙ୍କାରାରେ ବସିଥିବା ବିଦେଶୀ ହ୍ୟାଣ୍ଡଲରଙ୍କ ସହ ରହିଥିଲା ସିଧାସଳଖ ସମ୍ପର୍କ । ସେସନ ଆପ୍‌ ଜରିଆରେ ଆତଙ୍କୀମାନଙ୍କୁ ତୁର୍କୀରୁ ବିଭିନ୍ନ ନିର୍ଦ୍ଦେଶ ଦିଆଯାଉଥିଲା । ଦିଲ୍ଲୀ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଡା. ଉମର ଉନ ନବୀ ତୁର୍କୀ ଗସ୍ତ କରି ହ୍ୟାଣ୍ଡଲରଙ୍କୁ ଭେଟିଥିଲା । ତା’ ସହ ଆଉ ଦୁଇଜଣ ବି ଯାଇଥିଲେ । ସେମାନେ ହେଲେ ଡା. ମୁଜାଫର ଅହମ୍ମଦ ରାଠର ଏବଂ ଡା. ମୁଜାମିଲ ଶକୀଲ । ୨୦୨୨ ମାର୍ଚ୍ଚରେ ସେମାନେ ତୁର୍କୀ ଯାତ୍ରା କରି ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିଥିଲେ । ଏହି ସମୟ ମଧ୍ୟରେ ସେମାନେ ୧୪ ଜଣ ବ୍ୟକ୍ତିଙ୍କୁ ଭେଟିଥିଲେ । ଏହି ୧୪ ଜଣଙ୍କ ମଧ୍ୟରୁ ଜଣେ ହେଉଛି ୟୁପିର ସହାରନପୁରରୁ ଗିରଫ ହୋଇଥିବା ଜଣେ ବ୍ୟକ୍ତିର ଭାଇ । ଦିଲ୍ଲୀ ବିସ୍ଫୋରଣ ମାମଲାରେ ତୁର୍କୀର କୌଣସି ସମ୍ପୃକ୍ତି ନାହିଁ ବୋଲି ସେଠାକାର ଏର୍ଡୋଗାନ ସରକାର ସ୍ପଷ୍ଟ କରିଛନ୍ତି । ତମାମ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କିନ୍ତୁ ତଦନ୍ତରୁ ମିଳିଥିବା ତଥ୍ୟରୁ ଷଡ଼ଯନ୍ତ୍ରର ଚେର ତୁର୍କୀ ପର୍ଯ୍ୟନ୍ତ ଲମ୍ବିଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଛି । 

ଉମର ନବୀ ସହ ତୁର୍କୀ ଯାଇଥିବା ଡା. ମୁଜାଫର ଅହମ୍ମଦ ରାଠରର ଘର ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ । ତୁର୍କୀରେ ଥିବା ହ୍ୟାଣ୍ଡଲର୍‌ର କୋଡ୍‌ ନାମ ‘ଉକାସା’ ବୋଲି ଜଣାପଡ଼ିଛି । ଆରବୀ ଭାଷାରେ ଉକାସା ଶବ୍ଦର ଅର୍ଥ ବୁଢ଼ିଆଣୀ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ଜୈସ-ଏ-ମହମ୍ମଦ (ଜେଇଏମ୍‌)ର ବାହାବଳପୁର ମୁଖ୍ୟାଳୟ ଉପରେ ଭାରତ ଆକ୍ରମଣ କରିବା ପରଠାରୁ ଜେଇଏମ୍‌ ପ୍ରତିଶୋଧ ପରାୟଣ ହୋଇଥିଲା । ଏଥିଯୋଗୁ ଜୈସର ଛବି ଖରାପ ହୋଇଥିବା ବିବେଚନା କରି ଏହି ଆତଙ୍କୀ ସଙ୍ଗଠନ ଭାରତକୁ କ୍ଷତି ପହଞ୍ଚାଇବାକୁ ଷଡ଼ଯନ୍ତ୍ର ରଚିଥିଲା । ଏଥିପାଇଁ କେତେ ଜଣ ଡାକ୍ତରଙ୍କୁ ନେଇ ଆତଙ୍କୀ ଗୋଷ୍ଠୀ ବା ମଡ୍ୟୁଲ୍‌ ଗଠିତ ହୋଇଥିଲା। ଏହି ମଡ୍ୟୁଲ୍‌ ସିଧାସଳଖ ଭାବେ ତୁର୍କୀ ରାଜଧାନୀ ଅଙ୍କାରାରେ ଥିବା ହ୍ୟାଣ୍ଡଲର ସହ ସମ୍ପର୍କରେ ରହିଥିଲା । ଡାକ୍ତର ଉମର ନବୀ ବିସ୍ଫୋରଣ ଘଟିଥିବା ଆଇ-ଟ୍ୱେଣ୍ଟି କାର୍‌ ଚଲାଉଥିଲା । ଗିରଫ ହୋଇଥିବା ଉମରର ସହଯୋଗୀ ଡା. ମୁଜାମିଲ ଶକୀଲ ଗାନି ଆକ୍ରମଣ ଯୋଜନାରେ ସାମିଲ ହେବା ଲାଗି ତୁର୍କୀ ଗସ୍ତ କରିଥିଲା । ଉଭୟ ଉମର ଏବଂ ମୁଜାମିଲ ଜମ୍ମୁ-କାଶ୍ମୀର ପୁଲୱାମା ଗ୍ରାମର ବାସିନ୍ଦା । ଉଭୟେ ଫରିଦାବାଦର ସମାନ ମେଡିକାଲ କଲେଜରେ କାମ କରୁଥିଲେ । ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଉତ୍ତରପ୍ରଦେଶ ଏଟିଏସ୍‌ ଫର୍‌ହାନ ନବୀ ସିଦ୍ଦିକି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେ ଇସ୍ତାନବୁଲ ଇଣ୍ଟରନ୍ୟାସନାଲର ସହପ୍ରତିଷ୍ଠାତା । ସେ ଘୃଣା ପ୍ରସାର ଲାଗି ଉଦ୍ଦିଷ୍ଟ ଆଲେଖ୍ୟ ଲେଖୁଥିବା ଏବଂ ଏହି କାମ ଲାଗି ହୱାଲା ଜରିଆରେ ବିଦେଶରୁ ୧୧ କୋଟିରୁ ଊଦ୍ଧ୍ୱର୍ ଟଙ୍କା ପାଇଥିବା ଅଭିଯୋଗ ରହିଥିଲା । ତାଙ୍କ ତୁର୍କୀ ପାର୍ଟନର ନାସି ଟୋର୍‌ବା ଏବେ ଫେରାର ଅଛି । ଟୋରବା ହିଁ ନବୀକୁ ଏହି ନେଟ୍‌ୱର୍କରେ ସାମିଲ କରାଇଥିଲା ବୋଲି ଜଣାପଡ଼ିଛି । 

ତୁର୍କୀ ଏବଂ ଜର୍ମାନୀରୁ ମିଳୁଥିବା ପାଣ୍ଠିରେ ଅମରୋହା ଓ ପଞ୍ଜାବରେ ମଦ୍ରାସା ଏବଂ ମସ୍‌ଜିଦ୍‌ ନାଁରେ ଜମି କିଣାଯାଉଥିଲା । ନବୀଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ କେତେଜଣ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଉପରେ ତଦନ୍ତକାରୀ ଏଜେନ୍ସି ନଜର ରଖିଛନ୍ତି । ସେମାନେ କେତେକ ପ୍ରମୁଖ ଏନ୍‌ଜିଓ ମାଧ୍ୟମରେ ବିଦେଶୀ ପାଣ୍ଠିକୁ ଧାର୍ମିକ ଏବଂ ଶିକ୍ଷା ସହ ଜଡ଼ିତ କାର୍ଯ୍ୟକ୍ରମ ନାଁରେ ବ୍ୟବହାର ହେଉଥିବା ଦର୍ଶାଉଥିଲେ । ଅପରେସନ ସିନ୍ଦୂର ବେଳରୁ ହିଁ ତୁର୍କୀର ଭାରତବିରୋଧୀ ଆଭିମୁଖ୍ୟ ଜଳଜଳ ଦିଶିଥିଲା । ସେତେବେଳେ ପାକିସ୍ତାନକୁ ତୁର୍କୀ ଅସ୍ତ୍ରଶସ୍ତ୍ର, ଡ୍ରୋନ୍‌ ଆଦି ଯୋଗାଇଥିଲା । ତୁର୍କୀର ଅନେକ ସି-୧୩୦ଇ ହର୍କୁଲସ ଟ୍ରାନ୍ସପୋର୍ଟ ବିମାନ ପାକିସ୍ତାନରେ ଅବତରଣ କରିଥିଲା । ଏଥିରେ ବିପୁଳ ଅସ୍ତ୍ରଶସ୍ତ୍ର ଆସିଥିଲା, ଯାହାକୁ ଭାରତ ବିରୋଧରେ ବ୍ୟବହାର କରିଥିଲା ପାକିସ୍ତାନ । ଘଟଣା ସାମ୍‌ନାକୁ ଆସିବା ପରେ ତୁର୍କୀ ସରକାର ଇନ୍ଧନ ଭର୍ତ୍ତି ଲାଗି ବିମାନ ପାକିସ୍ତାନରେ ଅବତରଣ କରିଥିବା ସଫେଇ ଦେଇଥିଲା । ଭାରତ ବିରୋଧରେ ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଛି । ପାକିସ୍ତାନ ସମର୍ଥନରେ ହିଁ ତୁର୍କୀ ଏପରି କରିଥିବା କଥାକୁ ଏଡ଼ାଇ ଦେଇହେଉ ନାହିଁ । ଏହା ପଛରେ ଆହୁରି ଅନେକ କାରଣ ରହିଛି । ପାକିସ୍ତାନ ଓ ତୁର୍କୀ ମିଶି ଯୁଦ୍ଧାଭ୍ୟାସ କରିବା ନୂଆ କଥା ନୁହେଁ । ପାକିସ୍ତାନକୁ ଏହା ଅସ୍ତ୍ରଶସ୍ତ୍ର ବିକ୍ରି କରିଥାଏ । ତମାମ ଭାରତ ବିରୋଧୀ ଅଭିଯାନ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ତୁର୍କୀରୁ ଆସିଥାଏ । ଏମିତି କି ଅନ୍ତର୍ଜାତୀୟ ମଞ୍ଚରେ ଭାରତ ବିରୋଧରେ ଅପପ୍ରଚାର କରିବାରେ ବି ଏହାର ହାତ ଅଛି । ଭାରତବିରୋଧୀ ପାକିସ୍ତାନୀ ପ୍ରଚାରକୁ ଏହା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ, ଟେଲିଭିଜନ ଚ୍ୟାନେଲ ଆଦିରେ ପ୍ରସାର କରିଥାଏ । ଏ କ୍ଷେତ୍ରରେ ତୁର୍କୀର ସରକାରୀ ଚ୍ୟାନେଲ ଟିଆର୍‌ଟି ୱାର୍ଲଡ ଅଗ୍ରଣୀ ରହିଆସିଛି ।

 ଏପ୍ରିଲ ୨୨ରେ ପହଲଗାମ୍‌ରେ ଆତଙ୍କୀ ଆକ୍ରମଣର ଦୁଇ ସପ୍ତାହ ପୂର୍ବରୁ ଇସ୍ତାନବୁଲ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଅପପ୍ରଚାରକୁ ନେଇ ଏକ ସେମିନାର କରିଥିଲା । ଏଥିରେ ପାକ୍‌ ସମର୍ଥିତ ନେତାମାନେ ସାମିଲ ହୋଇଥିଲେ । ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ ଏର୍ଡୋଗାନ୍‌ଙ୍କ ପରିବାର ଭାରତ ବିରୋଧୀ ପାକିସ୍ତାନୀ ଅଭିଯାନକୁ ସମର୍ଥନ କରିଆସିଛି । ଏର୍ଡୋଗାନ୍‌ଙ୍କ ଦଳ ଏକେପିର ରାଜନୈତିକ ଆକାଂକ୍ଷାକୁ ଫଳପ୍ରସୂ କରିବାରେ ପ୍ରମୁଖ ଗ୍ରହଣ କରିଥିବା ତୁର୍କୀର ‘ଟୁଗ୍‌ଭା’ ସଙ୍ଗଠନ ମଧ୍ୟ ପାକିସ୍ତାନକୁ ଯଥାସାଧ୍ୟ ସହାୟତା ଯୋଗାଇ ଆସିଛି । ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ଯେଉଁ କେତେକ ରାଷ୍ଟ୍ର ପ୍ରଥମେ ଭାରତକୁ ମାନ୍ୟତା ଦେଇଥିଲେ, ତନ୍ମଧ୍ୟରେ ତୁର୍କୀ ରହିଥିଲା । କିନ୍ତୁ ଶୀତଳ ଯୁଦ୍ଧ ସମୟରୁ ଦୁଇଦେଶ ମଧ୍ୟରେ ସମ୍ପର୍କ ଧିମା ପଡ଼ିଥିଲା । ଏହାପରେ ପୁଣି ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ହୋଇଥିଲା । କିନ୍ତୁ ପାକିସ୍ତାନ ଓ କାଶ୍ମୀର ପ୍ରସଙ୍ଗକୁ ନେଇ ତୁର୍କୀର ବୈଚାରିକ ଓ ଭୂରାଜନୈତିକ ଦୃଶ୍ୟପଟ ବଦଳିବାକୁ ଲାଗିଥିଲା । ଏହା ପରଠାରୁ କାଶ୍ମୀରକୁ ନେଇ ପାକିସ୍ତାନର ଆଭିମୁଖ୍ୟକୁ ତୁର୍କୀ ସମର୍ଥନ ଜଣାଇ ଆସିଛି । ଅନ୍ତର୍ଜାତୀୟ ସଭାରେ ଏର୍ଡୋଗାନ୍‌ କାଶ୍ମୀର ପ୍ରସଙ୍ଗ ଉଠାଇବାର ଅନେକ ନଜିର ରହିଛି । ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ବେଳେ ଜାତିସଂଘ ସାଧାରଣ ପରିଷଦରେ ତୁର୍କୀ କାଶ୍ମୀର ପ୍ରସଙ୍ଗ ଉଠାଇ ପାକ୍‌କୁ ସମର୍ଥନ ଜଣାଇଥିଲା । ଚୀନ୍‌ ସହ ବି ସମ୍ପର୍କ ବଢ଼ାଇବାକୁ ଲାଗିଥିଲା । ଦୀର୍ଘ ବର୍ଷ ହେଲା ପାକ୍‌ ସମର୍ଥନରେ ତୁର୍କୀ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଅଭିଯାନକୁ ସମର୍ଥନ କରିଆସୁଛି । 

ତେବେ ଏପରି କାର୍ଯ୍ୟରେ ତୁର୍କୀର କୌଣସି ସମ୍ପୃକ୍ତି ନ ଥିବା ଭାରତରେ ଥିବା ତୁର୍କୀ ଦୂତାବାସ ପକ୍ଷରୁ କୁହାଯାଇଛି । ତୁର୍କୀ ସବୁ ପ୍ରକାରର ଆତଙ୍କବାଦକୁ ନିନ୍ଦା କରେ । ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ଏପରି ଚରମପନ୍ଥୀ କାର୍ଯ୍ୟରେ ସମ୍ପୃକ୍ତି ରହିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ତୁର୍କୀ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତ ବର୍ତ୍ତମାନ ତୁର୍କୀ-ପାକିସ୍ତାନର ବର୍ଦ୍ଧିତ ପ୍ରତିରକ୍ଷା ସମ୍ପର୍କ ଉପରେ ନଜର ରଖିଛି । ତୁର୍କୀକୁ ସାବାଡ କରିବା ଲାଗି ରଣନୀତିକ ପଦକ୍ଷେପ ବି ନିଆଯାଉଛି । ଏହି କ୍ରମରେ ତୁର୍କୀର ପ୍ରତିଦ୍ୱନ୍ଦ୍ୱୀ ଗ୍ରୀସ୍‌ ସହିତ ଭାରତ କୂଟନୈତିକ ସମ୍ପର୍କ ମଜଭୁତ କରିବାରେ ଲାଗିଛି । ଫଳରେ ଏହା ତୁର୍କୀ ପାଇଁ ଝଟ୍‌କା ସଦୃଶ ହୋଇଛି । ୨୦୨୧ରେ ଭାରତ ଓ ଗ୍ରୀସ୍‌ ସେମାନଙ୍କର ପ୍ରଥମ ମିଳିତ ନୌସେନା ସମରାଭ୍ୟାସ କରିଥିଲେ । ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଗସ୍ତ କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଥିଲା । ଏଥିସହ ସାଇପ୍ରସ୍‌ର ଆଞ୍ଚଳିକ ଅଖଣ୍ଡତା ପାଇଁ ଭାରତ ସମର୍ଥନ ଜଣାଇ ତୁର୍କୀକୁ ଆଉ ଏକ ଶକ୍ତ ପ୍ରହାର କରିଥିଲା । କାଶ୍ମୀର ପ୍ରସଙ୍ଗରେ ତୁର୍କୀ ଯେମିତି ମୁଣ୍ଡ ନ ଖେଳାଏ, ସେଥିପାଇଁ ଉଚିତ ଶିକ୍ଷା ଦେବା ଲାଗି ଭାରତ ଏହି ନୀତି ଆପଣାଇଥିଲା । ଚଳିତବର୍ଷ ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ ଗସ୍ତ କରିଥିଲେ । ୨୩ ବର୍ଷ ମଧ୍ୟରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାଇପ୍ରସ୍‌ ଗସ୍ତ ଥିଲା । ଏହାଛଡ଼ା ଭାରତ ଆର୍ମେନିଆ ସହ ପ୍ରତିରକ୍ଷା ସହଯୋଗ ବଢ଼ାଇଥିଲା । ଆଜରବୈଜାନ ଓ ତୁର୍କୀ ଭଳି ଦେଶ ସହ ଆର୍ମେନିଆର ବିବାଦ ଲାଗିରହିଛି । ୨୦୨୨ ଓ ୨୦୨୩ରେ ଆର୍ମେନିଆ ସହ ଭାରତ ଏକାଧିକ ଅସ୍ତ୍ରଶସ୍ତ୍ର ଚୁକ୍ତି କରିଥିଲା ।