ନୂଆଦିଲ୍ଲୀ ୧୩/୧୧: ସୋମବାର ସନ୍ଧ୍ୟା ୬.୫୨ ମିନିଟ୍। ରାଜଧାନୀ ଦିଲ୍ଲୀର ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଆଇ-ଟ୍ୱେଣ୍ଟି କାର୍ରେ ଶକ୍ତିଶାଳୀ ବିସ୍ଫୋରଣ ହେଲା। ବିସ୍ପୋରଣ ଯୋଗୁ ସେହି କାର୍ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଯିବା ସହ ଆଖପାଖରେ ଥିବା ଆହୁରି କିଛି କାର୍, ଇ-ରିକ୍ସା ଏବଂ ଅଟୋରେ ନିଆଁ ଲାଗିଗଲା। ଏଥିସହ ଆଖି ପିଛୁଳାକେ ଲିଭିଗଲା ୧୨ ଜଣ ନିରୀହ ଲୋକଙ୍କ ଜୀବନଦୀପ। କେହି କିଛି ବୁଝିବା ପୂର୍ବରୁ ଲୋକଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ମାଂସ ଟୁକୁଡା ବହୁ ଦୂର ପର୍ଯ୍ୟନ୍ତ ଛିଟିକି ପଡିଲା। ହିମାଚଳ ପ୍ରଦେଶର ମୂଳ ବାସିନ୍ଦା ଅଜୟ ସିଂହ ସେହି ଭୟାବହ ବିସ୍ଫୋରଣର କିଛି ସମୟ ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେଠାରୁ କ୍ଯାବ୍ ନେଇ ନିଜ ଘରକୁ ଯିବାକୁ ଚିନ୍ତା କରୁଥିବାବେଳେ ଶେଷ ମୁହୂର୍ତ୍ତରେ ୬.୫୧ରେ ମେଟ୍ରୋରେ ଯିବାକୁ ଟିକଟ କାଟିଥିଲେ। ସେହି ନିଷ୍ପତ୍ତି ତାଙ୍କ ପାଇଁ ବରଦାନ ସାଜିଥିଲା। ସେଥିଯୋଗୁ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।
ହୋଟେଲ ବ୍ୟବସାୟ ସହ ସଂପୃକ୍ତ ଅଜୟ ନିଜର ସେହି ଅଭିଜ୍ଞତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେଥିରେ ଲେଖିଛନ୍ତି, ସୋମବାର ସନ୍ଧ୍ୟାରେ ସେ ଚାନ୍ଦିନୀ ଚୌକରେ ଥିଲେ। ଲାଲକିଲ୍ଲା ଆଡକୁ ଚାଲି ଚାଲି ଆସିବାବେଳେ ସେଠାରୁ ସେ କ୍ୟାବ୍ ଧରି ଘରକୁ ଯିବାକୁ ମନେ ମନେ ଚିନ୍ତା କରିଥିଲେ। କିନ୍ତୁ ଲାଲକିଲ୍ଲା ନିକଟରେ ପହଞ୍ଚିବା ପରେ ତାଙ୍କ ମନ ବଦଳିଯାଇଥିଲା। ସେ କ୍ୟାବ୍ ବଦଳରେ ୬.୫୧ରେ ମେଟ୍ରୋରେ ଯିବାକୁ ଟିକଟ କାଟିଥିଲେ। ତାର ମାତ୍ର ୧ ମିନିଟ୍ ପରେ ସେଠାରେ ବିସ୍ପୋରଣ ହୋଇଥିଲା। ଯଦି ସେ ନିଜର ଯୋଜନାରେ ପରିବର୍ତ୍ତନ କରିନଥାନ୍ତେ ତେବେ ହୁଏତ ମୃତକଙ୍କ ତାଲିକାରେ ତାଙ୍କର ନାମ ଥାଆନ୍ତା।
ଅଜୟ ଆହୁରି ଲେଖିଛନ୍ତି, ସାଧାରଣତଃ ଘରକୁ ଫେରିବା ସମୟରେ ସେ କେବେ ବି ମେଟ୍ରୋରେ ଯାତ୍ରା କରନ୍ତି ନାହିଁ। କାରଣ ଚାନ୍ଦିନୀ ଚୌକରୁ ମାର୍କେଟିଂ କରି ଫେରିବା ପରେ ହାତରେ ଅନେକଗୁଡିଏ ସପିଂ ବ୍ୟାଗ୍ ଧରି ମେଟ୍ରୋରେ ଯିବାକୁ ତାଙ୍କୁ ଭଲ ଲାଗେ ନାହିଁ। ସେଥିଲାଗି ସବୁବେଳେ ସେ କ୍ୟାବ୍ କରିଥାନ୍ତି। କିନ୍ତୁ ସେଦିନ କାହିଁକି କେଜାଣି ତାଙ୍କୁ ମେଟ୍ରୋରେ ଯିବାକୁ ଇଚ୍ଛା ହେଲା। ଏକ ଅଜଣା ଆବେଗରେ ସେ ମେଟ୍ରୋରେ ଟିକଟ କାଟିଲେ। ଆଉ ସେହି ଛୋଟିଆ ନିଷ୍ପତ୍ତି ତାଙ୍କ ଲାଗି ସୁରକ୍ଷା କବଚ ଭଳି କାମ କଲା। ବିସ୍ଫୋରଣରୁ ବର୍ତ୍ତି ଯାଇଥିବାରୁ ସେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି।