ନୂଆଦିଲ୍ଲୀ,୮/୭ : ରୋହିଣୀ ସେକ୍ଟର-୧୬ର ଜି-୪ ପକେଟରେ ସୋମବାର ଏକ ନିର୍ମାଣାଧୀନ କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ଦୁର୍ଘଟଣା ସମୟରେ ଅନେକ ଶ୍ରମିକ କୋଠା ଭିତରେ କାମ କରୁଥିଲେ । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଅନେକ ଶ୍ରମିକ ଭଗ୍ନା ବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଚିତ୍କାର ଶୁଣାଯାଇଥିଲା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଏକ ଜୋରରେ ବିସ୍ଫୋରଣ ଭଳି ଶବ୍ଦ ଶୁଣିବାକୁ ମିଳିଥିଲା ଏବଂ କିଛି ମୁହୂର୍ତ୍ତ ମଧ୍ୟରେ ସମଗ୍ର କୋଠାଟି ଭୁଶୁଡ଼ି ପଡ଼ିଥିଲା । ଏହାଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ଖବର ଦେଇଥିଲେ।

ଖବରପାଇ ଦିଲ୍ଲୀ ପୋଲିସ, ଦମକଳବାହିନୀ ଏବଂ NDRF ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ମେସିନ ସହ ରେସ୍କ୍ୟୁ ଟିମ୍ ବି ସାମିଲ କରାଯାଇଛି । ଅଧିକାରୀଙ୍କ କହିବା ଅନୁସାରେ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ପାଖକୁ ଯଥାଶୀଘ୍ର ପହଞ୍ଚିବା ପାଇଁ ପ୍ରୟାସ କରାଯାଉଛି । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ କରାଯାଇଛି।

ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଦୁର୍ଘଟଣା ଏତେ ହଠାତ୍ ଘଟିଥିଲା ଯେ କାହାରିକୁ ଉଦ୍ଧାର କରିବାକୁ ସୁଯୋଗ ମିଳିଲା ନାହିଁ। ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ, "ଏକ ଜୋରଦାର ଶବ୍ଦ ହୋଇଥିଲା ଏବଂ କିଛି ସେକେଣ୍ଡ ମଧ୍ୟରେ ସମଗ୍ର କୋଠାଟି ତାସ ଘର ପରି ଭୁଶୁଡ଼ି ପଡ଼ିଥିଲା। ସବୁଠି ଧୂଳି ବ୍ୟାପି ଯାଇଥିଲା ଏବଂ ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଲାଗିଥିଲେ।" ବର୍ତ୍ତମାନ ପ୍ରଶାସନ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ନେଇଛି ଏବଂ ଜନସାଧାରଣଙ୍କୁ ଘଟଣାସ୍ଥଳ ନିକଟକୁ ନ ଯିବା ପାଇଁ ନିବେଦନ କରିଛି । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ସମ୍ପୂର୍ଣ୍ଣ ଭାବରେ ହଟାଇବା ପରେ ହିଁ ସ୍ପଷ୍ଟ ହେବ ଯେ କେତେ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ'ଣ ରହିଛି ।