ନୂଆଦିଲ୍ଲୀ,୦୪/୦୨; ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାନ୍ୱୟରେ ଚତୁର୍ଥ ଥର ପାଇଁ ଡବ୍ଲ୍ୟୁପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ୍‌ରେ ଗୁଜରାଟ ଜାଏଣ୍ଟ୍ସକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଜାଏଣ୍ଟ୍ସ ୭ ୱିକେଟ୍ ହରାଇ ୧୬୮ ରନ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୫.୪ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ପୂର୍ବ ୩ଟି ଯାକ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍ ଖେଳିଛି ଓ ରନର୍ସ ଅପ୍ ଅଭିଯାନ ଶେଷ କରିଛି । ଗୁଜରାଟ ବିପକ୍ଷ ଏଲିମିନେଟର ମ୍ୟାଚରେ ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଥିଲେ ଜେମିମା ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭରୁ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଥିଲା । ଗୁଜରାଟ ଜାଏଣ୍ଟ୍ସ ମାତ୍ର ୯ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା । ଦୁର୍ଦ୍ଧର୍ଷ ବ୍ୟାଟର ଶୋଫି ଡିଭାଇନ୍ ମାତ୍ର ୬ ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଦଳ ନିୟମିତ ବ୍ୟବଧାନରେ ଆଉ ୩ଟି ୱିକେଟ୍ ହରାଇଥିଲା । ଅନୁଷ୍କା ଶର୍ମା ୧୬ରନ କରିଥିବାବେଳେ ଅଧିନାୟିକା ଆସଲି ଗାର୍ଡନର ଖାତା ଖୋଲି ପାରିନଥିଲେ । ସେହିପରି କନିକା ଆହୁଜା ୬ ରନ କରି ବିଦାୟ ନେଇଥିଲେ । ୫୯ ରନ୍‌ର ୪ଟି ୱିକେଟ୍ ହରାଇ ଗୁଜରାଟ ଜାଏଣ୍ଟ୍ସ ସଂକଟରେ ପଡ଼ି ଯାଇଥିଲ।। । ଅନ୍ୟ ଓପନର ବେଥ ମୁନିଙ୍କ ସହ ଜର୍ଜିୟା ୱାରେହାମ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଲଢୁଆ ବ୍ୟାଟିଂ କରି ୬୧ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୧୨୦ ବେଳେ ୱାରେହାମ ବ୍ୟକ୍ତିଗତ ୩୫(୩ଚୌକା ଓ ୧ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ଦଳ ଆଉ ୨ଟି ୱିକେଟ୍ ହରାଇଥିଲେ ହେଁ ମୁନି ଗୋଟିଏ ପଟେ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍କୋରକୁ ୧୬୮ରେ ପହଞ୍ଚାଇଥିଲେ । ସେ ୬୨ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଶଭୀ ଗୌତମ ୧୮ ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଚିନେଲି ହେନରୀ ୩ଟି ଓ ନନ୍ଦନୀ ଶର୍ମା ୨ଟି ୱିକେଟ୍ ନେଇଥିଲେ । ନନ୍ଦନୀ ଚଳିତ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୭ଟି ୱିକେଟ୍ ନେଇ ସାଇକା ଆଇଜାକଙ୍କ ନାମରେ ଥିବା ୧୫ ୱିକେଟ୍ ରେକର୍ଡ ଭଙ୍ଗ କରିଥିଲେ ।

ଏହା ବି ପଢନ୍ତୁ...କୋଟି କୋଟି ଟଙ୍କାର କ୍ଷତି , ଲଜ୍ଜା ଓ ସଂପୂର୍ଣ୍ଣ ବୟକଟ୍ ... ଆଇସିସି ପାକିସ୍ତାନକୁ ଶୁଣାଇ ଦେଲା ଫାଇନାଲ ଅଲଟିମେଟମ୍

ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଓପନର ଲିଜେଲି ଲି ଓ ଶେଫାଳି ବର୍ମା ବିସ୍ଫୋରକ ବ୍ୟାଟିଂ କରି ୮୯ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ଅଷ୍ଟମ ଓଭରରେ ଉଭୟ ଓପନରଙ୍କୁ ଆଉଟ୍ କରିଥିଲେ ୱାରେହାମ । ଲି’ ୨୪ଟି ବଲ୍‌ର ୮ଚୌକା ଓ ୧ ଛକା ବଳରେ ୪୩, ଶେଫାଳି ୨୧ଟି ବଲ୍‌ରୁ ୭ ଚୌକା ବଳରେ ୩୧ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଲୌରା ଉଲଭାର୍ଟ ଓ ଜେମିମା ରୋଡ୍ରିଗ୍ସ ଦର୍ଶନୀୟ ସଟମାନ ଖେଳି ୬୮ ରନ୍‌ର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୬୦ରେ ପହଞ୍ଚିଥିଲା । ବିଜୟ ପାଇଁ ଆଉ ମାତ୍ର ୯ ରନ ଆବଶ୍ୟକ ହେଉଥିଲା । ୧୫ତମ ଓଭରରେ ରାଜେଶ୍ୱରୀ ଗାଏକୱାଡ୍ ଯୋଡ଼ି ଭାଙ୍ଗିଥିଲେ । ଜେମିମା ୨୩ଟି ବଲ୍‌ରେ ୪ଚୌକା ଓ ୧ ଛକା ବଳରେ ୪୧ ରନ କରି ଆଉଟ୍ ହୋଇଥିଲେ । ଉଲଭାଟ୍ର୍ ଓ ମରିଜାନ କାପ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଉଲଭାର୍ଟ ୩୨(୨ଚୌକା, ୧ଛକା) ରନ କରିଥିଲେ ।