ନୂଆଦିଲଲୀ,୯।୧୦: ଦିଲ୍ଲୀରେ ପୁଣିଥରେ ବଡ଼ ଧରଣର ରାଜନୈତିକ ଘଟଣାକ୍ରମ। ପିଡବ୍ଲୁଡିର ୬ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନକୁ ସିଲ୍ କରିଛନ୍ତି। ଏହାର ଗେଟ୍ ଉପରେ ବିଭାଗ ଡବଲ୍ ଲକ୍ ଲଗାଇ ଦେଇଛି। ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏହି ସରକାରୀ ବାସଭବନକୁ ଖାଲି କରାଯାଇଥିଲା। ନୂଆ ମୁଖ୍ୟମନ୍ତ୍ରୀ ହେବାପରେ ଆତିଶି ସେଠାକୁ ସିଫ୍ଟ ହୋଇଥିଲେ। ବାସଭବନକୁ ଖାଲି କରିବା ଓ ହସ୍ତାନ୍ତର କରିବାକୁ ନେଇ ବିବାଦ ରହିଛି, ଯାହାପରେ ପିଡବ୍ଲୁଡି ପକ୍ଷରୁ ଆକ୍ସନ ନିଆଯାଇଛି।
ଏହାଛଡା ଦିଲ୍ଲୀର ଭିଜିଲାନ୍ସ ଡିପାର୍ଟମେଣ୍ଟରେ ପିଡବ୍ଲୁଡିର ଦୁଇ ସେକ୍ସନ ଅଫିସର ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପୂର୍ବତନ ସ୍ପେଶାଲ ସେକ୍ରେଟରୀଙ୍କୁ ହାଣ୍ଡଓଭର କରିଥିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ପିଡବ୍ଲୁଡିର କାର୍ଯ୍ୟାନୁଷ୍ଠାନ ପରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଉପରାଜ୍ୟପାଳଙ୍କ ଉପରେ ଗମ୍ଭୀର ଅଭିଯୋଗ କରାଯାଇଛି। ଦଳ କହିଛି, ଉପରାଜ୍ୟପାଳଙ୍କ ନିର୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶିଙ୍କ ସବୁ ଜିନିଷ ସିଏମ୍ ବାସଭବନ ବାହାରକୁ ବାହାର କରି ଦିଆଯାଇଛି।
ଏହାର କିଛି ସମୟ ପୂର୍ବରୁ ଆପ୍ ଅଭିଯୋଗ କରିଥିଲା, ପ୍ରୋଟୋକଲ୍ର ଅବହେଳା କରି ଅଧିକାରୀ ବିଜେପିର ଚାପରେ ଆସି ୬ ଫ୍ଲାଗରୋଡ୍ରେ ଥିବା ବଙ୍ଗଳାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ ଆବଣ୍ଟିତ କରୁ ନାହାନ୍ତି। ସେପଟେ ସିଏମ୍ ହାଉସ୍ ସିଲିଂ ପରେ ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା କହିଛନ୍ତି, କେଜ୍ରିଓ୍ବାଲ ଶେଷରେ ଆପଣଙ୍କ ପାପର ଘଡା ଭରି ଯାଇଛି। ଆପଣଙ୍କ ଦୁର୍ନୀତିର ଶିଶା ମହଲ ଶେଷରେ ସିଲ୍ ହୋଇଗଲା।