ନୂଆଦିଲ୍ଲୀ: ଗତ ମାସରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟା ଘଟଣାରେ କେନ୍ଦ୍ର ସରକାର ଆଜି (ମଙ୍ଗଳବାର) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରେଳ ମନ୍ତ୍ରଣାଳୟ ଦିଲ୍ଲୀ ମଣ୍ଡଳ ରେଳ ପ୍ରବନ୍ଧକ (DRM) ସୁଖବିନ୍ଦର ସିଂହଙ୍କୁ ବଦଳି କରିଛି। ସୁଖବିନ୍ଦର ସିଂହଙ୍କୁ ଜୁଲାଇ୨୦୨୩ରେ ଦିଲ୍ଲୀ ଡିଭିଜନର DRM ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ତାଙ୍କର କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ଥିଲା, କିନ୍ତୁ ବର୍ତ୍ତମାନ ତାଙ୍କୁ ଏବେ ସମୟ ପୂର୍ବରୁ ହଟାଇ ଦିଆଯାଇଛି। ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ,ଏବେ ତାଙ୍କ ସ୍ଥାନରେ ଉତ୍ତର କେନ୍ଦ୍ରୀୟ ରେଳ ଅଧିକାରୀ ପୁଷ୍ପେଶ ଆର ତ୍ରିପାଠି ନୂତନ ଡିଆରଏମ ହେବେ। ବର୍ତ୍ତମାନ, ସୁଖବିନ୍ଦର ସିଂହଙ୍କ ନୂତନ ପୋଷ୍ଟିଂ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
୧୯୯୫ ବ୍ୟାଚ୍ ଅଧିକାରୀ ପୁଷ୍ପେଶ ଆର୍ ତ୍ରିପାଠୀଙ୍କ ଯୋଗଦାନ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଶ୍ରୀଯୁକ୍ତ ତ୍ରିପାଠି ପ୍ରୟାଗରାଜରେ ନିୟୋଜିତ ଥିଲେ ଏବଂ ଭାରତୀୟ ରେଳବାଇ ବୈଦ୍ୟୁତିକ ଇଞ୍ଜିନିୟର ସେବାରେ ଅଛନ୍ତି। ରେଳ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଦଳାଚକଟା ସହିତ ବଦଳିର କୌଣସି ସମ୍ପର୍କ ନାହିଁ ଏବଂ ଏହାର ତଦନ୍ତ ଚାଲିଛି।
ସୂଚନାଥାଉକି, ଫେବୃଆରୀ ୧୫ ତାରିଖରେ NDLS ରେ ଦଳାଚକଟା ହୋଇଥିଲା, ଯେତେବେଳେ ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଟ୍ରେନରେ ଚଢ଼ିବା ପାଇଁ ପ୍ଲାଟଫର୍ମ ୧୪ ଏବଂ ୧୫ ରେ ଏକ ବିରାଟ ଭିଡ଼ ଜମା ହୋଇଥିଲା ଏବଂ ଏହି ଘଟଣାରେ୧୮ ଜଣଙ୍କ ଜୀବନ ଯାଇଥିଲା। ଘଟଣାର ତଦନ୍ତ ପାଇଁ ଉତ୍ତର ରେଳବାଇ ଏକ ଦୁଇ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲା। ଏନେଇ ରେଳବାଇ ଦାବି କରିଛି ଯେ ସନ୍ଧ୍ୟା ୬ଟାରୁ ରାତି ୮ଟା ମଧ୍ୟରେ ଦୁଇ ଘଣ୍ଟା ମଧ୍ୟରେ ନୂଆଦିଲ୍ଲୀରେ ୨୬ ଶହ ଅତିରିକ୍ତ ଯାତ୍ରୀ ସେମାନଙ୍କର ଟିକେଟ ବୁକ୍ କରିଛନ୍ତି।